ମୋ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି: ଅନିଲ ଦେଶମୁଖ

ନାଗପୁର: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଆଜି (ରବିବାର) ଦିନ କହିଛନ୍ତି ଯେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ତାଙ୍କ ବିରୋଧରେ ମୁମ୍ବାଇର ପୂର୍ବତନ ପୁଲିସ ମୁଖ୍ୟ ପରମବୀର ସିଂ ଆଣିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବେ। ଏହି ଘଟଣାର ଅନୁସନ୍ଧାନ ପରେ ପ୍ରକୃତ ସତ୍ୟ ପ୍ରକାଶ ପାଇବ ବୋଲି ଦେଶମୁଖ ନାଗପୁର ବିମାନ ବନ୍ଦରରେ ଗଣମାଧ୍ୟମକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୨୦ ତାରିଖରେ, ମୁମ୍ବାଇର ପୂର୍ବତନ ପୁଲିସ ମୁଖ୍ୟ ପରମବୀର ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିବା ଏକ ପତ୍ର ମହାରାଷ୍ଟ ରାଜନୀତିରେ ଏକ ଝଡ଼ ସୃଷ୍ଟି କରିଥିଲା। ଗୃହମନ୍ତ୍ରୀ ଦେଶମୁଖ ପୁଲିସ କର୍ମଚାରୀମାନଙ୍କୁ ବ୍ୟବହାର କରି ବାର ଏବଂ ହୋଟେଲରୁ ମାସିକ ୧୦୦ କୋଟି ଟଙ୍କାର ବଟି ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଥିବା ମୁମ୍ବାଇର ପୂର୍ବତନ ପୁଲିସ ମୁଖ୍ୟ ସିଂ ତାଙ୍କ ପତ୍ରରେ ଅଭିଯୋଗ କରିଥିଲେ। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ଗୃହମନ୍ତ୍ରୀ ଦେଶମୁଖ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣାରେ ମହାରାଷ୍ଟ୍ର ରାଜ୍ୟ ସରକାର ମାର୍ଚ୍ଚ ୧୭ରେ ସିଂଙ୍କୁ ମୁମ୍ବାଇର ପୁଲିସ ମୁଖ୍ୟ ପଦବୀରୁ ହଟାଇ ଦେଇଥିଲେ।

ଗୃହମନ୍ତ୍ରୀ ଦେଶମୁଖ ରବିବାର ଦିନ କହିଛନ୍ତି ଯେ ପରମବୀର ସିଂ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିବାକୁ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ମୋ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବେ। ଏବଂ ତଦନ୍ତ ପରେ ସତ୍ୟ ପବାକୁ ଆସିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର