ନୂଆଦିଲ୍ଲୀ : ଲକ୍ଷ୍ନୌର ଇନ୍ଦିରା ନଗରସ୍ଥିତ ଘରେ ନିଆଁ ଲାଗିଯିବାରୁ ଜଣେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଘରେ ନିଆଁ ଦେଖିବା ପରେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଦୀନେଶ ଚନ୍ଦ୍ର ପାଣ୍ଡେ, ତାଙ୍କ ପତ୍ନୀ ଅରୁଣା ଏବଂ ପୁଅ ଶଶାଙ୍କ ଘରୁ ବାହାରକୁ ବାହାରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେମାନେ ବାହାରି ପାରି ନଥିଲେ।

Advertisment

ସୂଚନା ପାଇ ଇନ୍ଦିରାନଗର ଅଗ୍ନିଶମ କେନ୍ଦ୍ରର ୩ଟି ଦମକଳ ଗାଡ଼ି ଏବଂ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ସମ୍ପୂର୍ଣ୍ଣ ବିଲ୍‌ଡିଂଟି ଧୂଆଁରେ ଭର୍ତ୍ତି ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ଅଗ୍ନିଶମ କର୍ମଚାରୀମାନେ ପାଣ୍ଡେ ଏବଂ ତାଙ୍କ ପରିବାର ଏକ କୋଠରୀରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲା। ତାଙ୍କ ପତ୍ନୀ ଏବଂ ପୁଅଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଡାକ୍ତରମାନେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀଙ୍କୁ ମୃତ ଘୋଷଣା କରିଥିଲେ। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ।