ଚେନ୍ନାଇ/ ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଭିଡିଓ ଜରିଆରେ ବିଚାରପତିଙ୍କୁ ଗାଳିଦେବା ଓ ବିଚାରପତିଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିବା ପାଇଁ ଧମକ ଦେବା ଅଭିଯୋଗରେ କୋଲକତା ଓ ଚେନ୍ନାଇ ହାଇକୋର୍ଟର ପୂର୍ବତନ ବିଚାରପତି ସି ଏସ୍‌ କର୍ଣ୍ଣନ୍‌ଙ୍କୁ ଆଜି (ବୁଧବାର) ଚେନ୍ନାଇର ସେଣ୍ଟ୍ରାଲ କ୍ରାଇମ୍‌ ବ୍ରାଞ୍ଚ ପୁଲିସ୍‌ ଗିରଫ କରିଛି।

Advertisment

ଉଲ୍ଲେଖଯୋଗ୍ୟ, ତାମିଲନାଡ଼ୁ ବାର୍‌ କାଉନସିଲ ପକ୍ଷରୁ ମାଡ୍ରାସ ହାଇକୋର୍ଟରେ ପୂର୍ବତନ ବିଚାରପତି ସି ଏସ୍‌ କର୍ଣ୍ଣନ୍‌ଙ୍କ ବିରୋଧରେ ଏକ ମାମଲା ଆଗତ ହୋଇଥିଲା। ଆଗତ ମାମଲାରେ ଅଭିଯୋଗ କରାଯାଇଥିଲା ଯେ ପୂର୍ବତନ ବିଚାରପତି କର୍ଣ୍ଣନ ବର୍ତ୍ତମାନ ବିଚାରପତି ଥିବା ପତ୍ନୀ, କୋର୍ଟର ମହିଳା ଆଇନଜୀବୀ ଓ ମହିଳା କୋର୍ଟ କର୍ମଚାରୀଙ୍କମାନଙ୍କ ବିରୋଧରେ ଅନ୍‌ଲାଇନ୍‌ ଭିଡିଓ ଜରିଆରେ ଆଶାଳୀନ ମନ୍ତବ୍ୟ ଦେବା ସହ ସେମାନଙ୍କୁ ଦୁଷ୍କର୍ମ କରିବା ପାଇଁ ମଧ୍ୟ ଧମକ ଦେଉଛନ୍ତି।

ମାଡ୍ରାସ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ବିଚାରପତି କର୍ଣ୍ଣନଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା ପାଇଁ ଚେନ୍ନାଇ ପୁଲିସକୁ ନିର୍ଦ୍ଦେଶ ଦେବାସହ ତାଙ୍କ ଦ୍ୱାରା ଛଡ଼ା ଯାଇଥିବା ସମସ୍ତ ଅନ୍‌ଲାଇନ ଭିଡ଼ିଓକୁ ‘ବ୍ଲକ୍‌’ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏହି ମାମଲାରେ ଆସନ୍ତା ଡିସେମ୍ବର ୭ ତାରିଖରେ ତାମିଲନାଡୁର ପୁଲିସ ମହାନିର୍ଦ୍ଦେଶକ (ଡିଜି) ଓ ଚେନ୍ନାଇ ପୁଲିସ୍‌ କମିଶନରଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାର ତଦନ୍ତ କରି ଚେନ୍ନାଇର ସେଣ୍ଟ୍ରାଲ କ୍ରାଇମ୍‌ ବ୍ରାଞ୍ଚ ପୁଲିସ୍‌ ଆଜି କାଲକତା ଓ ଚେନ୍ନାଇ ହାଇକୋର୍ଟର ପୂର୍ବତନ ବିଚାରପତି ସି ଏସ୍‌ କର୍ଣ୍ଣନ୍‌ଙ୍କୁ ଗିରଫ କରିଛି।