ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଓମ ପ୍ରକାଶଙ୍କ ହତ୍ୟାକୁ ନେଇ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଛି। ଏବେ ଜାଣିବାକୁ ମିଳିଛି ଯେ ଓମ ପ୍ରକାଶଙ୍କୁ ଡାଇନିଂ ଟେବୁଲରେ ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ଛୁରି ଭୁସି ହତ୍ୟା କରାଯାଇଥିଲା।
ସୂତ୍ର ଅନୁଯାୟୀ, ଓମ ପ୍ରକାଶ ତାଙ୍କ ପ୍ଲେଟରେ ଦୁଇ ପ୍ରକାରର ମାଛ ଧରି ଖାଇବାରେ ମଜିଥିଲେ, ସେତେବେଳେ ତାଙ୍କ ପତ୍ନୀ ପଲ୍ଲବୀ ତାଙ୍କ ସହ ଏକ ଯୁକ୍ତିତର୍କ ଆରମ୍ଭ କରି ହଠାତ୍ ତାଙ୍କୁ ଏକ ଛୁରିରେ ଆକ୍ରମଣ କରିଥିଲେ।
ଘଟଣାସ୍ଥଳରୁ ପୁଲିସ ଦୁଇଟି ଛୁରୀ ଏବଂ ଏକ ଭଙ୍ଗା ବୋତଲ ଜବତ କରିଛି। ଯାହାକୁ ହତ୍ୟାରେ ବ୍ୟବହୃତ ହୋଇଥିବା ଅନୁମାନ କରାଯାଉଛି। ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି ଯେ ପଲ୍ଲବୀ ଏବଂ କୃତି ଉଭୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥାଇପାରନ୍ତି।
ଆକ୍ରମଣ ପରେ ଦୁହେଁ ଓମ୍ ପ୍ରକାଶଙ୍କ ମୃତଦେହକୁ ଏକ ବେଡ୍ସିଟ୍ରେ ଗୁଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ସୂତ୍ର ଅନୁସାରେ, ମା' ଏବଂ ଝିଅ ନିଜକୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ।
ପରେ ପଲ୍ଲବୀ ପୁଲିସକୁ ଫୋନ୍ କରି ହତ୍ୟା ବିଷୟରେ ସୂଚନା ଦେଇଥିବା ଜଣାପଡ଼ିଛି। ସେ ପରେ ଆତ୍ମସମର୍ପଣ କରି ଅପରାଧ ସ୍ୱୀକାର କରିଥିବା ଜଣାପଡ଼ିଛି। ଯେତେବେଳେ ପୁଲିସ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଲା, ଝିଅ କୃତି ବାହାରକୁ ଆସିବାକୁ ମନା କରିଦେଇଥିଲା ଏବଂ କୋଠରୀ ଭିତରେ ବନ୍ଦ କରିଦେଇଥିଲା।
ସେ ପୁଲିସର ଡାକରାର ଉତ୍ତର ଦେଇ ନଥିଲେ। ଶେଷରେ ପୁଲିସ୍ କବାଟ ଭାଙ୍ଗି କୃତିକୁ ହେପାଜତକୁ ନେଇଥିଲା। ପୁଲିସ ମୃତକ ଏବଂ ଦୁଇ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଥିଲା।