ପେଟ୍ରୋଲ୍‌ ପାଇଁ ଧାଡ଼ି ବାନ୍ଧିଥିବା ଲୋକଙ୍କୁ ଚା ଏବଂ ପାଉଁରୁଟି ଦେଲେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟ୍‌ ଖେଳାଳି ରୋଶନ ମହାନାମା

କଲମ୍ବୋ: ପେଟ୍ରୋଲ୍‌ ଓ ରନ୍ଧନ ଗ୍ୟାସ୍‌ ପାଇଁ ରାଜଧାନୀ କ‌ଲମ୍ବୋରେ ଅନ୍ତର୍ଗତ ଇନ୍ଧନ ଷ୍ଟେସନ୍‌ମାନଙ୍କରେ ଧାଡ଼ିବାନ୍ଧି ଠିଆ ହୋଇଥିବା ଲୋକମାନଙ୍କୁ ପୂର୍ବତନ କ୍ରିକେଟ୍‌ ଖେଳାଳି ରୋଶନ୍‌ ମହାନାମା ଗତ ଶନିବାର ଦିନ ଚା ଏବଂ ‘ବନ୍‌’ (ଛୋଟ ପାଉଁରୁଟି) ପରିବେଷଣ କରିଥିବା କଥା ଟୁଇଟର୍‌ ପୋଷ୍ଟ୍‌ରୁ ଜଣାପଡ଼ିଛି।

ଶ୍ରୀଲଙ୍କାରେ ଉତ୍କଟ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ଇନ୍ଧନ ସଙ୍କଟ ଅଧିକ ଉତ୍କଟ ହୋଇଯାଇଛି। ଦେଶରେ ଗଚ୍ଛିତ ଥିବା ଇନ୍ଧନ ପାଞ୍ଚ ଦିନ ମଧ୍ୟରେ ଶେଷ ହୋଇଯିବ ବୋଲି ଶୁକ୍ରବାର ଦିନ ଶକ୍ତିମନ୍ତ୍ରୀ ଘୋଷଣା କରିବା ପରେ ପେଟ୍ରୋଲ୍‌ ଓ ଗ୍ୟାସ୍‌ ଷ୍ଟେସନ୍‌ରେ ଲୋକେ ଏକାଧିକ କିଲୋମିଟର୍‌ ଲମ୍ବା ଧାଡ଼ିରେ ପ୍ରତୀକ୍ଷା କରିଥିଲେ।

Image Courtesy of India Today

ଧାଡ଼ିବାନ୍ଧିଥିବା ଲୋକମାନଙ୍କ କଷ୍ଟ ଲାଘବ କରିବାକୁ ଯାଇ ଅଳ୍ପ କେତେ ଜଣ ସ୍ବେଚ୍ଛାସେବୀଙ୍କ ସାଥିରେ ନେଇ ବିଶ୍ବକପ୍‌ ବିଜୟୀ କ୍ରିକେଟ୍‌ ଖେଳାଳି ରୋଶନ ମହାନାମା ଚା ଏବଂ ବନ୍‌ ପରିବେଷଣ କରିଥିଲେ।

ସେ ଟୁଇଟ୍‌ କରି କେତେକ ଫଟୋ ସେୟାର୍‌ କରିବା ସହ ଲେଖିଛନ୍ତି, ୱାର୍ଡ ପ୍ଲେସ୍‌ ଏବଂ ୱିଜେରାମା ମାୱାଥା ଅଞ୍ଚଳରେ ଥିବା ପେଟ୍ରୋଲ୍‌ ଷ୍ଟେସନ୍‌ରେ ଧାଡ଼ିବାନ୍ଧି ଥିବା ଲୋକମାନଙ୍କୁ ଆଜି ସନ୍ଧ୍ୟାରେ ‘କମ୍ୟୁନିଟି ମିଲ୍‌ ସେୟାର୍‌’ ପକ୍ଷରୁ ଆମେ ଚା ଓ ବନ୍‌ ପରିବେଷଣ କରିଛୁ। ଦିନକୁ ଦିନ ଏହି ପ୍ରକାରର ଧାଡ଼ି ଲମ୍ବିବାରେ ଲାଗିଛି। ଧାଡ଼ିବାନ୍ଧି ଥିବା ଲୋକମାନଙ୍କଠାରେ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

ତେଣୁ, ଲୋକେ ସଙ୍ଗରେ ଯଥେଷ୍ଟ ପାଣି ଓ ଖାଦ୍ୟ ଆଣି ଧାଡ଼ିବାନ୍ଧି ଠିଆ ହୁଅନ୍ତୁ ଓ ଆବଶ୍ୟକ ବେଳେ ଧାଡ଼ିବାନ୍ଧି ଥିବା ଲୋକେ ପରସ୍ପରକୁ ସାହାଯ୍ୟ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର