ବେଙ୍ଗାଲୁରୁ: ଦୋଷୀ ସାବ୍ୟସ୍ତ ହେବା ପରେ ମିଳିଲା ଦଣ୍ଡ। ପୂର୍ବତନ ଜେଡିଏସ୍ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କୁ ଆଜୀବନ କାରାଦଣ୍ଡ ଦେଲେ କୋର୍ଟ। ଶୁକ୍ରବାର ତାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ମହୀଶୂର କେଆର୍ନଗରର ଜଣେ ଘରୋଇ ସହାୟିକାଙ୍କ ଦ୍ୱାରା ଦାୟର ହୋଇଥିବା ଦୁଷ୍କର୍ମ ମାମଲାରେ ପ୍ରଜ୍ୱଲଙ୍କୁ ଶୁକ୍ରବାର ଜନପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ। ମାମଲା ରୁଜୁ ହେବାର ମାତ୍ର ୧୪ ମାସ ପରେ ରାୟ ପ୍ରକାଶ ପାଇଥିଲା ଏବଂ ଶୁଣାଣି ଉଲ୍ଲେଖନୀୟ ଗତିରେ ଶେଷ ହୋଇଥିଲା। ଅଦାଲତରେ ଭାବପ୍ରବଣ ଦେଖାଯାଉଥିବା ରେବନ୍ନା ରାୟ ପରେ କୋର୍ଟରୁ ବାହାରିବା ବେଳେ କାନ୍ଦି ପକାଇଥିଲେ।
ଅପରାଧ ତଦନ୍ତ ବିଭାଗ (ସିଆଇଡି)ର ସାଇବର କ୍ରାଇମ୍ ଷ୍ଟେସନରେ ରୁଜୁ ହୋଇଥିବା ଏହି ମାମଲାରେ ରେବନ୍ନା ମହିଳାଙ୍କୁ ଦୁଇ ଥର ଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡିଂ କରିଥିବା ଅଭିଯୋଗ ହୋଇଥିଲା। ତଦନ୍ତ ଓ ଶୁଣାଣି ସମୟରେ ପୀଡ଼ିତା ପ୍ରମାଣ ସ୍ୱରୂପ ଏକ ଶାଢି ଦାଖଲ କରିଥିଲେ, ଯାହାକୁ ସେ ସଂରକ୍ଷିତ ରଖିଥିଲେ। ପରେ ଫରେନସିକ୍ ବିଶ୍ଳେଷଣରୁ ଶାଢିରେ ଶୁକ୍ରାଣୁ ଲାଗିଥିବା ଜଣାପଡ଼ିଥିଲା, ଯାହାକୁ ମୁଖ୍ୟ ପ୍ରମାଣ ଭାବରେ ଗ୍ରହଣ କରାଯାଇଥିଲା। ଭାରତୀୟ ଦଣ୍ଡ ବିଧି (ଆଇପିସି) ଓ ସୂଚନାପ୍ରଯୁକ୍ତି (ଆଇଟି) ଆଇନ, ୨୦୦୮ର ସମ୍ପୃକ୍ତ ଧାରା ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଥିଲା। ଇନ୍ସପେକ୍ଟର ଶୋଭାଙ୍କ ନେତୃତ୍ୱରେ ସିଆଇଡିର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ତଦନ୍ତ ସମୟରେ ୧୨୩ଟି ପ୍ରମାଣ ସଂଗ୍ରହ କରି ପାଖାପାଖି ୨୦୦୦ ପୃଷ୍ଠାର ଏକ ବିଶାଳ ଚାର୍ଜସିଟ୍ ଦାଖଲ କରିଥିଲେ।
୨୦୨୪ ଡିସେମ୍ବର ୩୧ ତାରିଖରୁ ଏହି ବିଚାର ଆରମ୍ଭ ହୋଇଥିଲା। ପରବର୍ତ୍ତୀ ୭ ମାସ ମଧ୍ୟରେ କୋର୍ଟ ୨୩ ଜଣ ସାକ୍ଷୀଙ୍କୁ ପଚରାଉଚରା କରିବା ସହ ଭିଡିଓ କ୍ଲିପ୍ର ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି (ଏଫ୍ଏସ୍ଏଲ୍) ରିପୋର୍ଟ ଏବଂ ଘଟଣାସ୍ଥଳରୁ ସ୍ପଟ୍ ଯାଞ୍ଚ ରିପୋର୍ଟର ସମୀକ୍ଷା କରିଥିଲେ। ଯେଉଁ ଧାରାରେ ପ୍ରଜ୍ୱଲ ରେବନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା, ସେଥିରେ ଭିନ୍ନ ଭିନ୍ନ ଦଣ୍ଡ ରହିଛି। ଆଇପିସି ଧାରା ୩୭୬(୨)(କେ) ଓ ୩୭୬(୨)(ଏନ୍)ରେ ସର୍ବନିମ୍ନ ୧୦ ବର୍ଷ କାରାଦଣ୍ଡ ରଖାଯାଇଛି, ଯାହା ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଆଇପିସିର ଧାରା ୩୫୪(ଏ), ୩୫୪(ବି) ଓ ୩୫୪(ସି)ରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ରହିଛି। ଆଇପିସିର ଧାରା ୫୦୬ରେ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଥିବା ବେଳେ ଆଇପିସିର ଧାରା ୨୦୧ରେ ସର୍ବନିମ୍ନ ଏକ ବର୍ଷର ବ୍ୟବସ୍ଥା ରହିଛି, ଯାହାକୁ ୭ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/02/new-project-22-2025-08-02-16-43-39.jpg)