ଇମ୍ରାନ ଖାଁଙ୍କ ହେଲିକପ୍ଟରର ଜରୁରୀ ଅବତରଣ

ରାୱଲପିଣ୍ଡି: ଶନିବାରଦିନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନୀ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାଁଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ରାଓ୍ବାଲପିଣ୍ଡିର ଏକ ଛୋଟ ଟାଉନରେ ତାହାର ଜରୁରୀ ଅବତରଣ କରାଯାଇଛି । ଇମ୍ରାନ ଡେରା ଇସମାଇଲ ଖାନରୁ ଇସଲାମାବାଦକୁ ଫେରୁଥିଲେ।

ପିଟିଆଇ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ହେଲିକାପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ପାଇଲଟ୍ ତାହାକୁ ରାଓ୍ବଲପିଣ୍ଡିର ଆଡିଆଲା ଟାଉନରେ ତାହାର ଜରୁରୀ ଅବତରଣ କରିଥିଲେ । ହେଲିକାପ୍ଟରରୁ ଓହ୍ଲାଇବା ପରେ ଇମ୍ରାନ ସ୍ଥାନୀୟ ଲୋକମାନଙ୍କ ସହ କିଛି ସମୟ ଆଲୋଚନା କରିବା ପରେ ସଡ଼କ ପଥରେ ଇସ୍ଲାମାବାଦ ଫେରିଯାଇଥିଲେ ।

ଚଳିତ ମାସ ଆରମ୍ଭରେ ଏକ ଅଦାଲତ ଅବମାନନା ମାମଲାରୁ ମୁକ୍ତ ହୋଇଥିଲେ ଇମ୍ରାନ । ଫଳରେ ସେ ଗିରଫ ହେବାରୁ ବର୍ତ୍ତି ଯାଇଥିଲେ । ଗତ ଅଗଷ୍ଟ ମାସ ୨୦ରେ ଇସ୍ଲାମାବାଦରେ ଅନୁଷ୍ଠିତ ଏକ ଜନସଭାରେ ସେ ଜିଲ୍ଲା ଜଜ୍ ଜେବା ଚୌଧୁରୀଙ୍କ ବିରୋଧରେ ବୟାନ ଦେଇଥିଲେ ।

 

ଏହାକୁ ନେଇ ଇମ୍ରାନଙ୍କ ନାଁରେ ଅଭିଯୋଗ କରାଯାଇଥିଲା । ଇସ୍ଲାମାବାଦର ମର୍ଗାଲା ପୁଲିସ ଷ୍ଟେସନରେ ମାଜିଷ୍ଟ୍ରେଟ୍ ଅଲି ଜାଭେଦ ଏକ ଏଫଆଇଆର ରୁଜ୍ଜୁ କରିଥିଲେ । ପରେ କୋର୍ଟ ତାଙ୍କ ନାଁରେ ଓ୍ବାରେଣ୍ଟ ଜାରି କରିଥିଲେ । ତେବେ ଇସ୍ଲାମାବାଦ ହାଇକୋର୍ଟର ଏକ ୫-ଜଣିଆ ଖଣ୍ଡପୀଠ ଇମ୍ରାନଙ୍କ କ୍ଷମାପ୍ରାର୍ଥନା ଓ ଆଚରଣରେ ସନ୍ତୁଷ୍ଟ ହେବା ସହ ତାଙ୍କୁ ଅଦାଲତ ଅବମାନନା ଅଭିଯୋଗରୁ ଦୋଷମୁକ୍ତ କରିଥିଲେ  ।

ସମ୍ବନ୍ଧିତ ଖବର