ପତ୍ନୀଙ୍କ କବର ‘ମିନି ତାଜ୍‌ମହଲ୍‌’ରେ କବର ନେବେ ଡାକବାଲା ଶାହାଜାହାନ

ମିରଟ: ଆଧୁନିକ ସମୟର ଶାହାଜାହାନ୍‌ ଭାବେ ସୁପରିଚିତ ବୁଲନ୍ଦସରର ୮୨ ବର୍ଷିୟ ଅବସରପ୍ରାପ୍ତ ଡାକବାଲା ଫୈଜଲ୍‌ ହସନ୍‌ କଦ୍ରିଙ୍କର ଶୁକ୍ରବାର ପ୍ରତ୍ୟୁଷରେ ଆଲିଗଡ଼ର ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି। ନିଜ ଜୀବନର ସଞ୍ଚିତ ଅର୍ଥରେ ସ୍ୱର୍ଗତା ପତ୍ନୀଙ୍କ ସ୍ମୃତିରେ ତାଜ ମହଲର ପ୍ରତିକୃତି ନିର୍ମାଣ କରାଇଥିବା ଫୈଜଲ୍‌ ଏକ ମଟରସାଇକେଲ୍‌ ଧକ୍କାରେ ଆହତ ହୋଇଥିଲେ। ଏବେ ତାଙ୍କୁ ସେହି ତାଜ ମହଲ ପ୍ରତିକୃତିରେ ତାଙ୍କ ପତ୍ନୀଙ୍କ ସମାଧି ପାର୍ଶ୍ୱରେ କବର ଦିଆଯିବ।

ଦିବାଇ ତହସିଲ୍‌ ଅନ୍ତର୍ଗତ ଏକଦା ଅନାମଧ୍ୟେୟ ଗାଁ କସେର୍‌ କଲନ୍‌ ଠାରେ ୫, ୫୦୦ ବର୍ଗଫୁଟ ଜମିରେ ସିମେଣ୍ଟ୍‌ ଓ ଇଟାରେ କଦ୍ରିଙ୍କ ନିର୍ମିତ ଢାଞ୍ଚାଟି ମୂଳ ଶଙ୍ଖମର୍ମର ଢାଞ୍ଚାର ଚମକ ସହ ତୁଳନୀୟ ନ ହେଲେ ବି ତାଙ୍କ ପତ୍ନୀ ଅନୁରାଗ କେଉଁ ଗୁଣରେ କମ୍‌ ନୁହେଁ।

୨୦୧୧ରେ ଗଳା କର୍କଟ ରୋଗରେ ଆକ୍ରାନ୍ତ ନିଜ ୫୭ ବର୍ଷୀୟ ପତ୍ନୀ ତାଜାମୁଲ୍ଲୀ ବେଗମଙ୍କୁ ହରାଇବା ପରେ କଦ୍ରି ଜୀବନକାଳ ମଧ୍ୟରେ ସଞ୍ଚୟ କରିଥିବା ଅର୍ଥ ଏବଂ କିଛି ଜମି ବିକ୍ରୟ କରି ତାଜ୍‌ ମହଲର ପ୍ରତିକୃତି ନିର୍ମାଣ କରାଇଥିଲେ। ବାଡ଼ି ଖଣ୍ଡେ ଧରି ମଧ୍ୟ ଠିକ୍‌ ଭାବେ ଚାଲି ପାରୁ ନ ଥିବା ଏହି ପାକଲା ବୁଢ଼ାଙ୍କର ଘୋଷଣା ଶୁଣି ଗ୍ରାମବାସୀ ପ୍ରଥମେ କୌତୁକ ଅନୁଭବ କରିଥିଲେ। କିନ୍ତୁ ପରେ ତାଜ୍‌ ମହଲ ତିଆରି ହେବା ଦେଖି ସେମାନେ ତାଙ୍କୁ ଗରିବଙ୍କ ଶାହାଜାହାନ ବୋଲି ଡାକିଲେ।

ସେ ତାଜ୍‌ ମହଲର ମୁଖ୍ୟ ପ୍ରକୋଷ୍ଠରେ ରହିଛି ତାଜାମୁଲ୍ଲୀଙ୍କ କବର। ତା’ପାଖକୁ କଦ୍ରି ଖୋଳି ଯାଇଥିବା ନିଜ କବରରେ ଏବେ ତାଙ୍କୁ କବର ଦିଆଯିବ।

କଦ୍ରି ଓ ତାଜାମୁଲ୍ଲୀଙ୍କର କୌଣସି ପିଲାଛୁଆ ନ ଥିବାରୁ ମିନି ତାଜ ମହଲ ପାଖରେ ଥିବା ତାଙ୍କର ଚାରି ମାଣ ଜମିରେ ଏକ ବାଳିବା ବିଦ୍ୟାଳୟ ବସାଇବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କୁ ଦାନ କରିଛନ୍ତି। ତାଜ୍‌ ମହଲ ନିର୍ମାଣ ପାଇଁ ଆର୍ଥିକ ସହାୟତା ଦେବାକୁ ଏକଦା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ ବି କଦ୍ରି ତାହା ଗ୍ରହଣ କରି ନ ଥିଲେ।

ସମ୍ବନ୍ଧିତ ଖବର