କ୍ୟାପଟେନ ଅମରିନ୍ଦର ହୋଇପାରନ୍ତି ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜେପି ନେତୃତ୍ବାଧୀନ ଏନଡିଏ ପକ୍ଷରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇପାରେ ବୋଲି ଜାତୀୟ ସ୍ତରର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଅମିରନ୍ଦର ଗତ ବର୍ଷ କଂଗ୍ରେସ ଛାଡ଼ିବା ପରେ ନିଜର ଏକ ନୂଆ ଦଳ ପଂଜାବ ଲୋକ କଂଗ୍ରେସ ସ୍ଥାପନ କରିଥିଲେ । ଏହି ଦଳ ବିଜେପି ସହ ମିଶି ପଂଜାବର ବିଧାନସଭା ନିର୍ବାଚନ ଲଢିଥିଲେ ବି ବିଶେଷ ସଫଳତା ପାଇପାରିନଥିଲା ।

ଏବେ ନିଜର ମେରୁଦଣ୍ଡ ଅସ୍ତ୍ରୋପଚାର ପାଇଁ ଲଣ୍ଡନରେ ଅଛନ୍ତି । ସେଠାରୁ ଫେରିବା ପରେ ସେ ପଂଜାବ ଲୋକ କଂଗ୍ରେସ  ବିଜେପିରେ  ବିଲୟ ହେବା ନେଇ ଘୋଷଣା କରିବାର ସମ୍ଭାବନା ରହିଛି । ଏ ସଂପର୍କରେ ପଂଜାବ ବିଜେପି ନେତା ହରଜିତ ସିଂ ଗ୍ରେଓ୍ବାଲ ସୂଚନା ଦେଇଛନ୍ତି ।

ଆସନ୍ତା ଜୁଲାଇ ୫ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବ । ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଜୁଲାଇ ୧୯ ରଖାଯାଇଛି । ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏନଡିଏ ପକ୍ଷରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଚଳିତ ମାସରେ ହିଁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ।

 

ସମ୍ବନ୍ଧିତ ଖବର