ପଶ୍ଚିମବଙ୍ଗ : ହିଜାବ ବିବାଦ ପାଇଁ ସ୍କୁଲ ପରୀକ୍ଷା ବାତିଲ

କୋଲକାତା : କିଛି ମାସ ପୂର୍ବରୁ କର୍ଣ୍ଣାଟକରେ ହୋଇଥିବା ହିଜାବ ବିବାଦ ଏବେ ପଶ୍ଚିମବଙ୍ଗରେ ପହଞ୍ଚିଛି । ଏହି ବିବାଦ ଯୋଗୁ୍ଁ ଏକ ସ୍କୁଲର ପରୀକ୍ଷାକୁ ବାତିଲ କରିବାକୁ ପଡ଼ିଛି ।

ରାଜ୍ୟର ହାଓ୍ବଡ଼ା ଜିଲ୍ଲାରେ ଥିବା ଏକ ସରକାରୀ ସ୍କୁଲରେ ଦ୍ବାଦଶ ଶ୍ରେଣୀ ପ୍ରି-ବୋର୍ଡ ପରୀକ୍ଷା ଚାଲିଥିବାବେଳେ କିଛି ପିଲା ହିଜାବ ପିନ୍ଧି ପରୀକ୍ଷା ଦେଉଥିଲେ । ଏହାକୁ ପ୍ରତିବାଦ କରି ଆଉ କିଛି ପିଲା ଗେରୁଆ ଗାମୁଛା (ନାମାବଳି ଗାମୁଛା) ପିନ୍ଧି ପରୀକ୍ଷା ଦେବାକୁ ଜିଦ କଲେ । ଏହାକୁ ନେଇ ବିବାଦ ବଢିବା ପରେ ଦୁଇ ଭିନ୍ନ ଭିନ୍ନ ସଂପ୍ରଦାୟର ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।

ଏହି ଗଣ୍ଡଗୋଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଦେଖାଯାଉଛି ଯେ ଛାତ୍ରମାନଙ୍କର ଏକ ଗୋଷ୍ଠୀ ଗେରୁଆ ଗାମୁଛା କାନ୍ଧରେ ପକାଇ ସ୍କୁଲ ଗେଟ ବାହାରେ ବିରୋଧ ପ୍ରଦର୍ଶନ କରୁଥିବାବେଳେ ଆଉ ଏକ ଗୋଷ୍ଠୀ ସ୍କୁଲ ଭିତରେ ହିଜାବ ସପକ୍ଷରେ ପ୍ରଦର୍ଶନ କରୁଛନ୍ତି । ସଂଘର୍ଷ ବଢିବା ଆଶଙ୍କାରେ ଉଭୟ ଗୋଷ୍ଠୀକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ କୋଲକାତା ପୁଲିସ  ଅଲଗା ରଖିଥିଲେ ।

ପରେ ଏହି ବିବାଦକୁ ଦୃଷ୍ଟିରେ ରଖି ସ୍କୁଲ କର୍ତ୍ତୃପକ୍ଷ ପରୀକ୍ଷାକୁ ବାତିଲ କରିଦେଇଥିଲେ । ପରୀକ୍ଷା ପାଇଁ ଏକ ନୂଆ ତାରିଖ ଘୋଷଣା କରାଯିବ ।

ଗତ ଫେବ୍ରୁଆରି ମାସରେ ବି ରାଜ୍ୟର ମୁର୍ସିଦାବାଦ ଜିଲ୍ଲାରେ ଏହିପରି ଏକ ଘଟଣା ଘଟିଥିଲା । ପିଲାଙ୍କୁ ୟୁନିଫର୍ମ ପିନ୍ଧି ଆସିବାକୁ କହିବାରୁ ଜଣେ ହେଡମାଷ୍ଟରଙ୍କୁ କିଛି ଲୋକ ମାଡ଼ ମାରିଥିଲେ ।

ସମ୍ବନ୍ଧିତ ଖବର