ପରୀକ୍ଷା ପେ ଚର୍ଚ୍ଚା: ଛାତ୍ରମାନେ ମାଆଙ୍କଠାରୁ ସମୟ ପରିଚାଳନା ଶିଖନ୍ତୁ

ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ‘ପରୀକ୍ଷା ପେ ଚର୍ଚ୍ଚା’ର ଷଷ୍ଠ ସଂସ୍କରଣରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀମାନଙ୍କୁ ସଫଳତାର ମନ୍ତ୍ର ଦେବା ସହ ଜୀବନ ଜୀଇଁବାର କଳା ଶିଖାଇଛନ୍ତି। ଏହା ସହିତ ମାଆମାନଙ୍କ ଠାରୁ ସମୟ ପରିଚାଳନା କୌଶଳ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତାଲକଟୋରା ଷ୍ଟାଡ଼ିୟମରେ ଶୁକ୍ରବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଯେ ସବୁ ଘରେ ମାଆ ମାନଙ୍କର ସମୟ ପରିଚାଳନା ଅତିବ ଉତ୍ତମ। ଅନେକ କାମ କରି ସୁଦ୍ଧା ଜଣେ ମାଆ କେବେ ଚାପଗ୍ରସ୍ତ ହୁଅନ୍ତି ନାହିଁ। ମାଆଙ୍କୁ ଲକ୍ଷ୍ୟ କଲେ ସମୟ ପରିଚାଳନା ବିଦ୍ୟାଟି ଶିଖିହେବ। ମାଆଙ୍କ ଗତିବିଧିକୁ ଦେଖିଲେ ସମୟ ପରିଚାଳନା ଉପରେ ଅନେକ କିଛି ଶିଖିବାକୁ ମିଳିବ ଏବଂ ଲାଭ ମିଳିବ। ସେ କହିଛନ୍ତି ଯେ ଯେଭଳି କ୍ରିକେଟ୍ ଷ୍ଟାଡିୟମରେ ବ୍ୟାଟ୍ସମ୍ୟାନ ଦର୍ଶକଙ୍କ ଚାହିଦାକୁ ଧ୍ୟାନ ନ ଦେଇ କେବଳ ନିଜ ଖେଳ ଉପରେ ଧ୍ୟାନ ଦିଅନ୍ତି। ସେହିଭଳି ଭାବରେ ପିଲାମାନେ ଲୋକଙ୍କ କଥାକୁ ଚାପରେ ନନେଇ କେବଳ ନିଜର କ୍ଷମତା ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ପରୀକ୍ଷା ଯୋଦ୍ଧାଙ୍କୁ ମାର୍ଗଦର୍ଶନ, ପ୍ରେରଣା ଏବଂ ସମର୍ଥନ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ପରୀକ୍ଷା ପେ ଚର୍ଚ୍ଚା ଜନଆନ୍ଦୋଳନର ରୂପ ନେଇସାରିଛି। ଗତ ୮-୯ ବର୍ଷ ଧରି ପ୍ରଧାନମନ୍ତ୍ରୀ କେବଳ ଦେଶକୁ ସମ୍ଭାଳିନାହାନ୍ତି ବରଂ ଦେଶରେ ଅନେକ ଜନଆନ୍ଦୋଳନର ଜନକ ହୋଇଛନ୍ତି। ସ୍ୱଚ୍ଛ ଭାରତ, ପରୀକ୍ଷା ପେ ଚର୍ଚ୍ଚା ମାଧ୍ୟମରେ ଦେଶର ଯୁବଶକ୍ତିଙ୍କ ମଧ୍ୟରେ ନୂଆ ଉତ୍ସାହ ଉତ୍ପନ୍ନ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ। ପ୍ରଧାନମନ୍ତ୍ରୀ ସମୟ ବାହାର କରି ନିଜକୁ ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକ ବନାଇଛନ୍ତି। ସେହି ଉପାୟରେ ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଏଗ୍‌ଜାମ ଓ୍ୱରିୟର୍ସ’ର ନୂଆ ସଂସ୍କରଣ ଭାରତର ପ୍ରମୁଖ ୧୩ଟି ଭାଷାରେ ପ୍ରକାଶିତ ହୋଇଛି ବୋଲି ସେ ସୂଚନା ଦେଇଥିଲେ। ଉଲ୍ଲେଖନୀୟ, ଚଳିତବର୍ଷ ପରୀକ୍ଷା ପେ ଚର୍ଚ୍ଚା ପାଇଁ ମୋଟ ୩୮ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜୀକରଣ କରାଇଥିଲେ । ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୧୫ ଲକ୍ଷ ୭୩ ହଜାର ଅଧିକ । ପ୍ରଥମ ଥର ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶିକ୍ଷା ବୋର୍ଡ ମାନଙ୍କର ୧୬ ଲକ୍ଷ ପିଲା ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର