ପରୀକ୍ଷା ଚାପ ସହିପାରିଲେନି, ଦୁଇ ଛାତ୍ରୀ ଛାତରୁ ଡେଇଁ ଆତ୍ମହତ୍ୟା କଲେ

ନୂଆଦିଲ୍ଲୀ: ଏକ ଅଭାବନୀୟ ଘଟଣାକ୍ରମରେ ଆଜି ହାଇଦ୍ରାବାଦ୍‌ର ଦୁଇଜଣ ଛାତ୍ରୀ ଛାତରୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଆତ୍ମହତ୍ୟାର ସ୍ପଷ୍ଟ କାରଣ ଏଯାବତ୍‌ ଜଣା ପଡ଼ିନଥିଲେ ମଧ୍ୟ ପରୀକ୍ଷା ଚାପରୁ ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ ପ୍ରକାଶ ହୋଇଛି। ଦୁଇ ଛାତ୍ରୀ ଶ୍ରାବଣୀ କାଲେ ଏବଂ ଭାର୍ଗବୀ ପଟେଲ ବାଇରମଲଗୁଡ଼ାର ଅକ୍ଷରା ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ଛାତ୍ରୀ। ସେମାନେ ଦଶମ ଶ୍ରେଣୀ ସିବିଏସ୍‌ଇ ପରୀକ୍ଷା ଦେଉଥିଲେ। ଉଭୟଙ୍କ ବୟସ ପାଖାପାଖି ୧୫ ବର୍ଷ। ଏଲବି ନଗର ପୁଲିସ ସୁତ୍ରରୁ ଜଣାପଡ଼ିଛି ଯେ ଶ୍ରାବଣୀ ତା’ର ବାନ୍ଧବୀ ଭାର୍ଗବୀ ଘରକୁ ଯାଇଥିଲା। ଉଭୟେ ଏକାଠି ବସି ପାଠ ପଢ଼ିବେ ବୋଲି କହି ଶ୍ରାବଣୀ ତାଙ୍କ ଘରୁ ବାହାରି ପଡ଼ିଥିଲେ। ତେବେ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଉଭୟ ଶ୍ରାବଣୀ ଏବଂ ଭାର୍ଗବୀ ଏକ ବହୁ ମହଲା ବିଶିଷ୍ଟ କୋଠାର ଅଷ୍ଟମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ ଏବଂ ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏଲ୍‌ବି ନଗର ସବ୍‌ଇନ୍ସପେକ୍ଟର ଭେମୁଲାକୋଣ୍ଡା ମଧୁଙ୍କ କହିବା ଅନୁଯାୟୀ ଘଟଣା ଘଟିଥିବା ସମୟରେ ଭାର୍ଗବୀଙ୍କ ଘରେ ଅନ୍ୟ କୌଣସି ସଦସ୍ୟ ନଥିଲେ। ସୂଚନାନୁଯାୟୀ ଶ୍ରାବଣୀଙ୍କ ବାପା ନଗେନ୍ଦ୍ର କାଲେ ରିସର୍ଚ୍ଚ ସେଣ୍ଟର ଇମାରତ (ଆରସିଆଇ)ରେ ଜଣେ ବୈଜ୍ଞାନିକ ଏବଂ ଭାର୍ଗବୀଙ୍କ ବାପା ଶାନ୍ତି କୁମାର ପଟେଲ ନିର୍ମାଣ ବ୍ୟବସାୟରେ ସମ୍ପୃକ୍ତ। ପୁଲିସ ସେମାନେ ପାଠ ପଢ଼ୁଥିବା ଘରୁ ଏକ ସୁଇସାଇଡ ନୋଟ୍‌ ପାଇଛି ଯେଉଁଥିରେ ଶ୍ରାବଣୀ ତା’ ବାପା ମା’ ଏବଂ ଭାଇ ପାଇଁ ଗୋଟିଏ ଧାଡ଼ି କଥା ଲେଖିଛି। ତେବେ ଭାର୍ଗବୀ ଦ୍ୱାରା କୌଣସି ସୁଇସାଇଡ୍‌ ନୋଟ୍‌ ଲେଖାଯାଇନି। ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ଦୁଇଜଣ ଯାକ ଛାତ୍ରୀ ମେଧାବୀ ଛାତ୍ରୀ ଥିଲେ। ତେବେ ସେମାନେ ବୋଧେ ପରୀକ୍ଷାରେ ଭଲ ସ୍କୋର କରିବାପାଇଁ ଚାପରେ ଥିଲେ।

ସମ୍ବନ୍ଧିତ ଖବର