ଟିକା ଅଭାବରୁ ଔଷଧ ଉପଚାରର ପରୀକ୍ଷା ନିରୀକ୍ଷା

ୱାସିଂଟନ: କୋଭିଡ୍ ଯନ୍ତ୍ରଣାରୁ ଉପଶମ ପାଇଁ ମ୍ୟାଲେରିଆ ଔଷଧ ‘ହାଇଡ୍ରକ୍ସିକ୍ଲୋରୋକ୍ବିନ୍’ ଓ ‘କ୍ଲୋରୋକ୍ବିନ୍’ର ସୀମିତ ବ୍ୟବହାର ପାଇଁ ଆମେରିକାର ଖାଦ୍ୟ ଓ ଭେଷଜ ପ୍ରଶାସନ(ଏଫ୍‌ଟିଏ) ଅନୁମତି ଦେଇଛିା ଏହି ଔଷଧ ଦୁଇଟିକୁ ଏକକ ଭାବେ କିମ୍ବା ‘ଆଜିଥ୍ରୋମାଇସିନ୍’ ସହ ମିଶାଇ କୋଭିଡ୍ ରୋଗୀଙ୍କ ଠାରେ ଉପଯୋଗ କରାଯାଉଛି। ତେବେ ଏହାଦ୍ବାରା ହୃଦ୍‌ସ୍ପନ୍ଦନରେ ସମସ୍ୟା ପରି ପାର୍ଶ୍ବ ପ୍ରତିକ୍ରିୟା ଥିବାରୁ ଏହାକୁ କେବଳ ନୈଦାନିକ ପରୀକ୍ଷଣରେ ସୀମିତ ରଖିବାକୁ ଏଫ୍‌ଡିଏ ଚେତାବନୀ ଦେଇଛିା ଏପରିକି ଏହାର ଉପକାରିତାକୁ ହାନିକାରକତା ଟପିଯିବ ବୋଲି ଏଫ୍‌ଡିଏର ସତର୍କତା ସତ୍ତ୍ବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କୋଭିଡ୍-୧୯ର ନିବାରକ ଭାବେ ‘ହାଇଡ୍ରକ୍ସିକ୍ଲୋରୋକ୍ବିନ୍’ ବ୍ୟବହାର କରୁଛନ୍ତି ବୋଲି ଖୋଲାଖୋଲି ସ୍ବୀକାର କରିଛନ୍ତି। ସେହିପରି ଜିଲିଆଡ୍ କମ୍ପାନି ଦ୍ବାରା ପ୍ରସ୍ତୁତ ଭୂତାଣୁ ପ୍ରତିରୋଧୀ ଔଷଧ ‘ରେମ୍ଡେସିଭିର୍’ ଏବଂ ଫୁଲା କମାଇବା ଔଷଧ ‘ବାରିସିଟିନିବ୍’କୁ ମଧ୍ୟ ଅନ୍ୟତମ କୋଭିଡ୍–୧୯ ମହୋଷଧି ଭାବେ ନୈଦାନିକ ପରୀକ୍ଷଣ କରିବାକୁ ଆମେରିକାର ଜାତୀୟ ଶାରୀରିକ ବିକାର ଓ ସଂକ୍ରାମକ ରୋଗ ପ୍ରତିଷ୍ଠାନ(ଏନ୍ଆଇଏଆଇଡି) ସୁପାରିସ କରିଛି। ଆମେରିକା ସମେତ ବିଶ୍ବର ୧୦୦ଟି ସ୍ଥାନରେ ପରୀକ୍ଷା ହେବାକୁ ଥିବା ଏହି ଔଷଧ ପାଇଁ ହଜାରେରୁ ଅଧିକ ସ୍ବେଚ୍ଛାସେବୀ ପଞ୍ଜୀକୃତ ହୋଇସାରିଛନ୍ତିା

ଅନ୍ୟ ଏକ ଘଟଣାକ୍ରମରେ ଭୂତାଣୁ ପ୍ରତିରୋଧୀ ଔଷଧ ‘ଫାଭିଲାଭିର୍’କୁ ମଧ୍ୟ ଅନୁରୂପ ଭାବେ ପ୍ରୟୋଗ କରିବାକୁ ଚୀନ୍‌ର ଜାତୀୟ ଭେଷଜ ଉତ୍ପାଦ ପ୍ରଶାସନ ଅନୁମତି ଦେଇଛି। ସତୁରି ଜଣ ରୋଗୀଙ୍କ ଠାରେ ଏହାର ନୈଦାନିକ ପରୀକ୍ଷଣ ବେଳେ ଏହା ଖୁବ୍ କମ୍ ପାର୍ଶ୍ବ ପ୍ରତିକ୍ରିୟା ସହ କୋଭିଡ୍-୧୯ ଉପଶମରେ ଉଲ୍ଲେଖନୀୟ ଫଳ ଦେଉଥିବା ଜଣାପଡି଼ବାରୁ ଚୀନ୍‌ର ସେନ୍‌ଝେନ୍‌ ସହରରେ ଏହାର ବ୍ୟାବହାରିକ ପରୀକ୍ଷଣ ଜାରି ରହିଛି। ଅପରପକ୍ଷେ, ଆମେରିକାର ମିନେସୋଟା ବିଶ୍ବବିଦ୍ୟାଳୟ ଅଧୀନ ଭେଷଜ ବିଦ୍ୟାଳୟର ଗବେଷକମାନେ ରକ୍ତଚାପ ଔଷଧ ‘ଲୋସାର୍ଟାନ’କୁ ମଧ୍ୟ କୋଭିଡ୍-୧୯ ବିରୋଧରେ ଉପଯୋଗ କରିବାକୁ ପରାମର୍ଶ କରିଛନ୍ତି। ସେହିପରି ପ୍ୟାରିସ ବିଶ୍ବବିଦ୍ୟାଳୟ ପକ୍ଷରୁ ଆର୍ଥ୍ରାଇଟିସ୍‌ ଔଷଧ ‘ଟସିଲିଜୁମାବ୍’କୁ ୧୨୯ ଜଣ ରୋଗୀଙ୍କଠାରେ ପ୍ରୟୋଗ କରି ଅନୁକୂଳ ଫଳାଫଳ ପାଇଥିବା କହିଛନ୍ତି। ବାଂଲାଦେଶର ଚିକିତ୍ସା ବିଶେଷଜ୍ଞମାନେ ୬୦ ଜଣ ରୋଗୀଙ୍କ ଠାରେ ଅଣୁଜୀବ ପ୍ରତିରୋଧୀ ଔଷଧ ‘ଇଭରମେକ୍ଟିନ୍’ ସହ ବୀଜାଣୁ ବିରୋଧୀ ଔଷଧ ‘ଡକ୍ସିସାଇକ୍ଲିନ୍’ର ମିଶ୍ର ଉପଯୋଗ କରି ସକାରାତ୍ମକ ଫଳ ପାଇଛନ୍ତି। ଜାପାନୀ ଔଷଧ କମ୍ପାନିର ଭୂତାଣୁବିରୋଧୀ ଔଷଧ ‘ଫାବିପିରାଭିର୍’କୁ ଚୀନ୍‌ର ସେନ୍‌ଝେନ୍‌ ଓ ଉହାନ ସହରରେ ୩୪୦ ଜଣ କୋଭିଡ୍ ରୋଗୀଙ୍କ ଠାରେ ପ୍ରୟୋଗ କରିବାରେ ତାହା ନିରାପଦ ଓ ଫଳପ୍ରଦ ସାବ୍ୟସ୍ତ ହୋଇଛି।

ସମ୍ବନ୍ଧିତ ଖବର