ମୋଦୀ ଦେଖାଇଲେ ରାଷ୍ଟ୍ର ନେତୃତ୍ବର ଉଦାହରଣ, ଦେଶବାସୀଙ୍କୁ ଉଦ୍‌ବୋଧନ ବେଳେ ଚୀନ୍ କଥା ଉଠାଇଲେନି

ନୂଆଦିଲ୍ଲୀ: ମହାମାରୀ କୋଭିଡ୍ ପାଇଁ ଜାରି ରହିଥିବା ଲକ୍‌ଡାଉନ୍‌ ସ୍ଥିତି ହଟାଇ ସ୍ବାଭାବିକତା ଫେରାଇ ଆଣିବା ଉଦ୍ୟମର ଅଂଶବିଶେଷ ‘ଅନ୍‌ଲକ୍-୨’ର ନୀତି ନିୟମ ସମ୍ପର୍କରେ ଦେଶବାସୀଙ୍କୁ ଗତ ମଙ୍ଗଳବାର ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଚୀନ୍ ପ୍ରସଙ୍ଗ ଆଦୌ ଉଠାଇନାହାନ୍ତି। ଗତ ମାସରେ ସୀମାରେ ଚୀନ୍ ସେନା ସହ ଭାରତୀୟ ଯବାନଙ୍କ ରକ୍ତାକ୍ତ ସଂଘର୍ଷ ପରେ ସୃଷ୍ଟ ଉତ୍ତେଜନାମୂଳକ ପରିସ୍ଥିତି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ସମ୍ପର୍କରେ କିଛି କହିବେ ବୋଲି ଦେଶବାସୀ ଉତ୍କଣ୍ଠାର ସହ ଚାହିଁ ବସିଥିବା ବେଳେ ସେ ଚୀନ୍‌ର ନାମ ନନେବା ତାଙ୍କ ରାଷ୍ଟ୍ରନେତୃତ୍ବର ବିରଳ ଉଦାହରଣ ବୋଲି ଚର୍ଚ୍ଚା ହେଉଛି। ଅବଶ୍ୟ ଏ ପ୍ରସଙ୍ଗରେ ସମାଲୋଚକ, ବିରୋଧୀ ଏବଂ ସର୍ବସାଧାରଣଙ୍କ ଚାପରେ କିଛି ମୁହଁ ଖୋଲିବା ହିଁ ବିପଦକୁ ଆମନ୍ତ୍ରଣ କରିବା ସଦୃଶ ନିଶ୍ଚୟ। ତେବେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଚୀନ୍ ସହ ମୁହାଁମୁହିଁ ସ୍ଥିତି ସମ୍ପର୍କରେ ନିରବ ରହି ଅନେକଙ୍କୁ ନିରାଶ ଓ ହତୋତ୍ସାହିତ କରିଥାଇପାରନ୍ତି, ମାତ୍ର ଏହା ଦ୍ବାରା ସେ ଜଣେ ପୋଖତ ରାଷ୍ଟ୍ରନୀତିଜ୍ଞର ଭୂମିକା ନିଭାଇଛନ୍ତି ବୋଲି ଦି ପ୍ରିଣ୍ଟ୍‌ ଖବରକାଗଜର କଟ୍‌ ଦି କ୍ଲଟର-୫୧୦ ସଂସ୍କରଣରେ ମୁଖ୍ୟ ସମ୍ପାଦକ ଶେଖର ଗୁପ୍ତା ଟିପ୍ପଣୀ କରିଛନ୍ତି।

ଶେଖରଙ୍କ ମତରେ, ଏଭଳି ସ୍ଥିତିରେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଭଳି ତ୍ବରିତ ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍ ନୁହେଁ। ବରଂ ପାଞ୍ଚଦିନିଆ ଟେଷ୍ଟ ମ୍ୟାଚ୍‌ ଭଳି ଆଗ ପଛ ବିଚାରି ପ୍ରତ୍ୟେକ ନିଷ୍ପତ୍ତି ନେବା ବୁଦ୍ଧିମାନର ପରିଚୟ । ଲୋକଙ୍କ ଭାବାବେଗ ଚାପରେ କିଛି ନିଷ୍ପତ୍ତି ନେଇଯିବାଟା ପରେ କ୍ଷତିକାରକ ସାବ୍ୟସ୍ତ ହେବାଟା ଥୟ ବୋଲି ଶେଖର କହିଛନ୍ତି। ଏ ପରିପ୍ରେକ୍ଷୀରେ ଜବାହରଲାଲ ନେହରୁ ଓ ଜନ୍‌ ଏଫ୍‌ କେନେଡ଼ିଙ୍କ ନେତୃତ୍ବକୁ ମନେ ପକାଇବାରେ ପ୍ରାସଙ୍ଗିକତା ରହିଛି। ୧୯୬୨ ମସିହାରେ ଚୀନ୍ ସହ ଯୁଦ୍ଧ କରିବାକୁ ଭାରତୀୟ ସେନା ଆଦୌ ପ୍ରସ୍ତୁତ ନଥିଲା ବୋଲି ହୃଦୟଙ୍ଗମ କରି ସୁଦ୍ଧା ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ନେହରୁ ଜନସାଧାରଣଙ୍କ ମତାମତ ଏବଂ ସମାଲୋଚକଙ୍କ କଥାକୁ ପ୍ରାଧାନ୍ୟ ଦେଇ ଆଗେଇ ଯାଇଥିଲେ। ଆଉ ଚୂନ୍‌ ଲଢ଼େଇର ପରିଣାମ କ’ଣ ହେଲା ତାହା ସମସ୍ତଙ୍କୁ ଜଣା। ସେହିପରି ସେହି ବର୍ଷ ଅକ୍ଟୋବର ୧୫ରେ ଆମେରିକୀୟ ଗୁଇନ୍ଦା ହାତରେ ପ୍ରମାଣ ପହଞ୍ଚିଥିଲା କି କ୍ୟୁବାରେ ସୋଭିଏତ୍ ସଂଘ ଆଣବିକ କ୍ଷେପଣାସ୍ତ୍ର ନିୟୋଜିତ କରିଛି। ଆମେରିକା ଠାରୁ ମାତ୍ର ୮୦୦ କିମି ଦୂରରେ ଭଏଳି ଖଞ୍ଜାଯାଇଥିବା ଏହି କ୍ଷେପଣାସ୍ତ୍ରଗୁଡ଼ିକ ସମଗ୍ର ଆମେରିକାକୁ ନିଶାଣ କରିବାକୁ ସକ୍ଷମ ବୋଲି ଜାଣିବା ପରେ ଆମେରିକା ସେନା ତୁରନ୍ତ କ୍ୟୁବା ଉପରେ ଆକ୍ରମଣ କରିବାକୁ ଆଗଭର ହୋଇଥିଲା। ମାତ୍ର କେନେଡ଼ି ସେତେ ଅଭିଜ୍ଞ ରାଷ୍ଟ୍ରନେତା ନହୋଇ ମଧ୍ୟ ଏଭଳି ନିଷ୍ପତ୍ତିରେ ହଠାତ୍ ଛଳିଯାଇନଥିଲେ। ସେହିପରି ୧୯୭୧ ମାର୍ଚ୍ଚ ୨୫ରେ ପାକିସ୍ତାନୀ ସେନା ପୂର୍ବ ପାକିସ୍ତାନ(ବର୍ତ୍ତମାନର ବାଂଲାଦେଶ) ଉପରେ କାର୍ଯ୍ୟାନୁଷ୍ଠାନ ନେଲା ବେଳେ ପାକିସ୍ତାନ ବିରୋଧରେ କାରବାର କରିବାକୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଉପରେ ପ୍ରବଳ ଚାପ ପଡ଼ିଥିଲା। ମାତ୍ର ଭାରତୀୟ ସେନା ଏଥିପାଇଁ ପ୍ରସ୍ତୁତ ନଥିବା ଅନୁଭବ କରି ସ୍ବର୍ଗତା ଗାନ୍ଧି କୌଣସି ତରବରିଆ ନିଷ୍ପତ୍ତି ନନେଇ ଦୀର୍ଘ ୯ ମାସ କାଳ ଅପେକ୍ଷା କରିଥିଲେ। ଏହି ସମୟ ଭିତରେ ଭାରତକୁ ସାମରିକ ଓ କୂଟନୈତିକ ସ୍ତରରେ ଅଧିକ ପ୍ରସ୍ତୁତ କରି ଡିସେମ୍ବର ୩ରେ ଯୁଦ୍ଧ ଘୋଷିତ ହୋଇଥିଲା ଯାହାକି ମାତ୍ର ୧୩ ଦିନରେ ଭାରତକୁ ବିଜୟୀ କରିଥିଲା। ବିଭିନ୍ନ କାରଣରୁ ଗଲୱାନ୍‌ ମାମଲାରେ ମୋଦୀ ତ୍ବରିତ ନିଷ୍ପତ୍ତି ନେବାରୁ ବିରତ ହୋଇଛନ୍ତି। ସୁତରାଂ ଚୀନ୍ ପ୍ରସଂଗରେ ବିଭିନ୍ନ ମହଲର ଚାପରେ ପ୍ରୋତ୍ସାହିତ ମୋଦୀ ଆଦୌ କୌଣସି ତରବରିଆ ନିଷ୍ପତ୍ତି ନନେଇ ଜଣେ ପ୍ରବୀଣ ରାଷ୍ଟ୍ରନୀତିଜ୍ଞର ଭୂମିକା ନିଭାଇଛନ୍ତି ବୋଲି ଶେଖର ଟିପ୍ପଣୀ କରିଛନ୍ତି।

ସମ୍ବନ୍ଧିତ ଖବର