ଏପର୍ଯ୍ୟନ୍ତ ସାରାଦେଶରେ ବଳକା ବର୍ଷା, କିନ୍ତୁ ଉପକୂଳ ଓଡ଼ିଶାରେ ବର୍ଷା ନିଅଣ୍ଟ

ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶରେ ସ୍ବାଭାବିକ ମୌସୁମୀ ପ୍ରବାହ ରହିଛି । ଜୁନ ୧ରେ କେରଳ ଛୁଇଁବା ପରେ ଏହା ସମୟ ପୂର୍ବରୁ ଦେଶର ସବୁ ଅଂଚଳରେ ପହଞ୍ଚିଯାଇଛି । ସ୍କାଏମେଟର ରିପୋର୍ଟ ଅନୁସାରେ ଗତ ଜୁନ ମାସ ଥିଲା ଗତ ୭ ବର୍ଷରେ ସବୁଠାରୁ ଅଧିକ ବର୍ଷା ହୋଇଥିବା ଜୁନ ମାସ । ଏହି ମାସରେ ମୋଟ ବର୍ଷା ପରିମାଣ ୧୯୬.୨ ମିଲିମିଟର ରହିଛି ।

ଆଇଏମଡିର ରିପୋର୍ଟ ଅନୁସାରେ ସାରା ଦେଶରେ ଥିବା ମୋଟ ୬୮୩ଟି ଜିଲ୍ଲା ମଧ୍ୟରୁ ୩୦ ପ୍ରତିଶତ ଜିଲ୍ଲାରେ ସବୁଠାରୁ କମ ବର୍ଷା ହୋଇଛି । ଫଳରେ ଏଠାରେ ନିଅଣ୍ଟିଆ ବର୍ଷା ହୋଇଛି । ଦିଲ୍ଲୀ,ମଣିପୁର, ମିଜୋରାମ ଓ ଦାମନ ଓ ଦିଉରେ ସ୍ବାଭାବିକଠାରୁ ୫୦ ପ୍ରତିଶତ କମ ବର୍ଷା ହୋଇଛି । ସେହପରି କେରଳରେ  ସ୍ବାଭାବିକଠାରୁ ୨୨ ପ୍ରତିଶତ କମ ବର୍ଷା ହୋଇଛି । ନିଅଣ୍ଟିଆ ବର୍ଷା ହୋଇଥିବା ଏସବୁ ଜିଲ୍ଲା ମଧ୍ୟରୁ ଓଡ଼ିଶାର ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକ ରହିଛନ୍ତି । ଏଠାରେ ନିଅଣ୍ଟିଆ ବର୍ଷା ରହିଛି ।

କିନ୍ତୁ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଆଣ୍ଡାମାନ,ଆସାମ,ତେଲେଙ୍ଗାନା, ସିକ୍କିମ ଆଦି ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି ।ଏହି କାରଣରୁ ଆସାମ, ବିହାର ଆଦି  ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ସେହିପରି ଛତିଶଗଡ଼ରେ ଅଧିକ ବର୍ଷା ହେବାଫଳରେ ହୀରାକୂଦରେ ଗେଟ ଖୋଲିବାକୁ ପଡ଼ିଛି ।

ସାମଗ୍ରୀକ ଭାବେ ସାରା ଦେଶରେ ଜୁନ ୧ରୁ ଜୁଲାଇ ୨ ମଧ୍ୟରେ ସ୍ବାଭାବିକଠାରୁ ୧୩ ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି ଆଇଏମଡି ରିପୋର୍ଟରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର