ଏପର୍ଯ୍ୟନ୍ତ ସନ୍ତୋଷଜନକ ରହିଛି ମୌସୁମୀର ପ୍ରଭାବ, ଜୁନ ୬ ସୁଦ୍ଧା ସମଗ୍ର ଦେଶରେ ବଳକା ବର୍ଷା

ଭୁବନେଶ୍ୱର : କରୋନା ମହାମାରୀ ଓ ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ସରକାରଙ୍କ ପାଇଁ ଏହି ଆଶ୍ୱସ୍ତିଭରା ଖବର । ଏବର୍ଷ ବେଶ ସବଳ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଜୁନ ୧ ତାରିଖରେ କେରଳ ଛୁଇଁବା ପରେ ବର୍ଷି ଚାଲିଛି । ସେହିପରି ଦେଶରେ ଭଲ ପ୍ରାକ-ମୌସୁମୀ ବର୍ଷା ମଧ୍ୟ ହୋଇଛି ।

ସୋମବାର ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ କେନ୍ଦ୍ରୀୟ ଆରବ ସାଗର, ଗୋଆ, କୋଙ୍କଣ, ସମଗ୍ର କର୍ଣ୍ଣାଟକ, ତାମିଲନାଡ଼ୁ ଓ ଉପକୂଳ ଆନ୍ଧ୍ରପ୍ରଦେଶର କିଛି ଭାଗରେ ପହଞ୍ଚିଛି । ଆଗାମୀ ୧୦ରୁ ୧୨ ତାରିଖ ମଧ୍ୟରେ ଏହା ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ।
ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପକ୍ଷରୁ କୁହାଯାଇଛି ଯେ ଗତ ଜୁନ ୬ ତାରିଖ ସୁଦ୍ଧା ଦେଶରେ ସ୍ୱାଭାବିକଠାରୁ ୮୯ ପ୍ରତିଶତ ଅଧିକ ବର୍ଷା ହୋଇଛି । କେନ୍ଦ୍ରୀୟ ଭାରତରେ ସ୍ୱାଭାବିକର ଦୁଇଗୁଣ ବର୍ଷା ଅର୍ଥାତ ୨୦୩ ପ୍ରତିଶତ ବର୍ଷା ହୋଇଛି । ସେହିପରି ଉତ୍ତର-ପଶ୍ଚିମ ଭାରତରେ ୧୩୧ ପ୍ରତିଶତ ବର୍ଷା ହୋଇଛି । ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ସ୍ୱାଭାବିକଠାରୁ ୪୮ ପ୍ରତିଶତ ବର୍ଷା ହୋଇଛି ଓ ଦକ୍ଷିଣ ଭାରତରେ ସ୍ୱାଭାବିକଠାରୁ ୩୬ ପ୍ରତିଶତ ଅଧିକ ବର୍ଷା ହୋଇଛି ।

ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ମୌସୁମୀର ପଶ୍ଚିମଭାଗ ତୁଳନାରେ ପୂର୍ବ ଭାଗଟି ଟିକିଏ ଦୁର୍ବଳ ରହିଛି । କିନ୍ତୁ ଖୁବଶୀଘ୍ର ସ୍ଥିତିରେ ଉନ୍ନତି ଆସିବ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପୂର୍ବଭାରତରେ ମୌସୁମୀକୁ ଆହୁରି ସୁଦୃଢ କରିବ । ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରୁ ପୂର୍ବଭାରତର ଅଧିକାଂଶ ଅଂଚଳରେ ବର୍ଷା ହେବ ।

ସମ୍ବନ୍ଧିତ ଖବର