୧୦ ଦେଶ ସହ ନୌଜ୍ଞାନ ଆଦାନପ୍ରଦାନ

ଭାରତ ମହାସାଗରରେ ଚୀନ ପ୍ରଭାବକୁ ଭାରତ କରିବ ପ୍ରତିହତ

ଗୋଆ: ଭାରତ ମହାସାଗରରେ ନିଜ ପ୍ରଭାବ ବିସ୍ତାର କରିବାକୁ ମସୁଧା ଜାରି ରଖିଥିବା ଚୀନ୍‌କୁ ସାବାଡ଼ କରିବା ଲାଗି ଭାରତ ଏବେ ନୂଆ କୌଶଳ ଆପଣାଇଛି। ପ୍ରଥମ ଥର ପାଇଁ ଇଣ୍ଡୋନେସିଆ, ମାଲେସିଆ, ଥାଇଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ମରିସସ୍‌ ପରି ୧୦ଟି ଦେଶ ସହ ଭାରତ ନୌଜ୍ଞାନକୌଶଳର ଆଦାନପ୍ରଦାନ ପାଇଁ ପ୍ରସ୍ତାବ ଦେଇଛି। ବିଶେଷ କରି ବିବାଦୀୟ ଦକ୍ଷିଣ ଚୀନ୍‌ ସାଗରରେ ମାନବ ଚାଲାଣ, କଳାବଜାର ଏବଂ ଜଳସୀମା ବିବାଦ ଆଦିକୁ ରୋକିବା ପାଇଁ ଅଭିପ୍ରେତ ଭାରତର ଏହି ଉଦ୍ଦେଶ୍ୟ ଚୀନ୍‌ର କ୍ରମବର୍ଦ୍ଦିଷ୍ଣୁ ପତିଆରାକୁ ଚ୍ୟାଲେଞ୍ଜ କରିବ ବୋଲି କୁହାଯାଉଛି।

ଦକ୍ଷିଣ ଚୀନ୍‌ ସାଗର ଅଞ୍ଚଳରେ ଚୀନ୍‌ ନିଜର ଏକଚାଟିଆ ଆଧିପତ୍ୟ ବିସ୍ତାର କରିବାରେ ବ୍ୟସ୍ତ। ଏବେ ନିକଟରେ ହର୍ଣ୍ଣ ଅଫ୍‌ ଆଫ୍ରିକା ଅନ୍ତର୍ଗତ ଦିବୌତିରେ ଏକ ଘାଟି ନିର୍ମାଣ କରିଛି। ଦେଶ ବାହାରେ ଚୀନ୍‌ର ଏପରି ପ୍ରଥମ ଘାଟି ନିର୍ମାଣକୁ ଚୀନ୍‌ ପ୍ରଶାସନ ନୌସେବା ପାଇଁ ଆନୁଷଙ୍ଗିକ ସୁବିଧା ସୁଯୋଗ ଉପଲବ୍ଧ କେନ୍ଦ୍ର ବୋଲି କହିଚାଲିଛି। ଏପରିକି ୟେମେନ ଓ ସୋମାଲିଆରେ ନିୟୋଜିତ ଶାନ୍ତି ସେନାଙ୍କ ପାଇଁ ତୈଳଭର୍ତ୍ତି ଜାହାଜ ପଠାଇବା ପାଇଁ ସେହି ଘାଟି ଉପଯୋଗ ହେବ ବୋଲି ଚୀନ୍‌ କହୁଛି। ମାତ୍ର ଭାରତ ମହାସାଗରର ଉତ୍ତରପଶ୍ଚିମ କୋଣକୁ ଅବସ୍ଥିତ ଦିବୌତିର ଏହି ଚୀନ୍‌ ଘାଟି ଭାରତକୁ ବିବ୍ରତ କରିଛି। ଚୀନ୍‌ର ସାମରିକ ମେଣ୍ଟ ‘ଷ୍ଟ୍ରିଙ୍ଗ ଅଫ୍‌ ପର୍ଲସ’ର ଏହା ଅଂଶବିଶେଷ ବୋଲି ଭାରତ ଆଶଙ୍କା କରୁଛି।

ତେବେ ଚୀନ୍‌ର ଏଭଳି ପ୍ରଭାବକୁ ପ୍ରତିହତ କରିବା ପାଇଁ ଭାରତ ଏକତରଫା ଉଦ୍ୟମ ଆରମ୍ଭ ନକରି ଅନ୍ୟ ଦେଶମାନଙ୍କ ସହ ମିଶି ସହଯୋଗ ଭିତ୍ତିରେ ଚକମା ଦେଖାଇବାକୁ ଚାହୁଛି। ଭାରତର ଏଭଳି ପ୍ରସ୍ତାବକୁ ମଧ୍ୟ ଭାରତ ମହାସାଗରୀୟ ସହଯୋଗକାରୀ ରାଷ୍ଟ୍ରମାନେ ଆଜି ଗୋଆ ମେରିଟାଇମ୍‌ କନ୍‌କ୍ଳେଭ୍‌ରେ ସବୁଜ ସଂକେତ ଦେଇଥିବା ନୌସେନା ମୁଖ୍ୟ ଆଡମିରାଲ୍‌ ସୁନୀଲ୍‌ ଲାଁବା ସୂଚନା ଦେଇଛନ୍ତି। ପ୍ରଥମ ଥର ପାଇଁ ଭାରତୀୟ ନୌସେନା ଦ୍ୱାରା ଏହି ଦଶଟି ଦେଶର ନୌସେନା ମୁଖ୍ୟ ଏବଂ ନୌବାଣିଜ୍ୟ ମୁଖ୍ୟଙ୍କ ମିଳିତ ଏହି ସମାବେଶରେ ଏପରି ଉଦ୍ୟମ ଆରମ୍ଭ ହୋଇଛି। ଏହି ସବୁ ଦେଶମାନଙ୍କ ପ୍ରତି ଦେଖାଦେଉଥିବା ସୁରକ୍ଷାଜନିତ ବିପଦ ସମ୍ପର୍କରେ ସମସ୍ତେ ଅବଗତ ଅଛନ୍ତି। ତେଣୁ ସମସ୍ତେ ମିଳିମିଶି ଏହାର ମୁକାବିଲା କରିବାକୁ ଆଗ୍ରହୀ ଥିବା ଶ୍ରୀ ଲାଁବା କହିଛନ୍ତି। ଅନ୍ୟ ଦେଶଗୁଡ଼ିକ ଭାରତ ମହାସସାଗରରେ ସେମାନଙ୍କ ଗତିବିଧି ସମ୍ପର୍କରେ ସୂଚନା ଦେବାକୁ ମଧ୍ୟ ଭାରତ କହିଛି। ତେବେ ସେହି ସବୁ ତଥ୍ୟ ପାରମ୍ପରିକ ସାମରିକ ଉଦ୍ଦେଶ୍ୟରେ ପର୍ଯ୍ୟବସିତ ନହୋଇ ସମୁଦ୍ରରେ ଦେଖାଦେଉଥିବା ଅଣପାରମ୍ପରିକ ଧମକ ସହିତ ଜଡ଼ିତ। ଏହି ୧୦ଟି ସହଯୋଗୀ ରାଷ୍ଟ୍ର ପରସ୍ପର ମଧ୍ୟରେ ସମାନ ଭାବରେ ନୌଜ୍ଞାନକୌଶଳ ସମ୍ପର୍କିତ ତଥ୍ୟ ଆଦାନପ୍ରଦାନ କରିବେ। ଫଳରେ ସମସ୍ତେ ମଧ୍ୟ ସମପରିମାଣର ଉପକୃତ ହୋଇପାରିବେ ବୋଲି ଭାରତ ପ୍ରସ୍ତାବ ରଖିଛି।

ସମ୍ବନ୍ଧିତ ଖବର