‘କାଶ୍ମୀର ଫାଇଲ୍ସ’ ଟିପ୍ପଣୀକୁ ନେଇ ଉତ୍ତେଜନା, କେଜ୍ରିୱାଲ୍‌ଙ୍କ ବାସଭବନରେ ଭଙ୍ଗାରୁଜା

କେଜ୍ରିୱାଲ୍‌ଙ୍କ ଜୀବନ ପ୍ରତି ବିପଦ ଅଛି: ଆପ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ‘କାଶ୍ମୀର ଫାଇଲ୍ସ’ ଟିପ୍ପଣୀକୁ ନେଇ ଆଜି ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ବିଜେପି କର୍ମୀମାନେ ଆଜି କେଜ୍ରିୱାଲ୍‌ଙ୍କ ବାସଭବନ ବାହାରେ ଆନ୍ଦୋଳନ କରିବା ସହ ଭଙ୍ଗାରୁଜା କରିଛନ୍ତି। ସାଂସଦ ତେଜସ୍ବୀ ସୂର୍ଯ୍ୟଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ଆଜି କେଜ୍ରିୱାଲ୍‌ଙ୍କ ବାସଭବନରେ ବି‌କ୍ଷୋଭ ପ୍ରଦର୍ଶନ କରିଥିଲେ। ଦିଲ୍ଲୀ ବିଧାନସଭାରେ ଭାଷଣ ଦେବା ସମୟରେ କେଜ୍ରିୱାଲ୍‌ କାଶ୍ମୀର ପଣ୍ଡିତଙ୍କ ହତ୍ୟା ମିଥ୍ୟା ବୋଲି କହିବା ସହ କାଶ୍ମୀର୍‌ ଫାଇଲ୍ସର ପ୍ରଚାର ଏବଂ ପ୍ରସାର କରିଥିବାରୁ ବିଜେପି ବିରୋଧରେ ବର୍ଷିଥିଲେ। ତେବେ କେଜ୍ରିୱାଲ୍‌ଙ୍କ ଏହି ଟିପ୍ପଣୀକୁ ବିରୋଧ କରି ଆଜି ତାଙ୍କ ଘର ଆଗରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଘରର ମୁଖ୍ୟ ଫାଟକ ଭଙ୍ଗାରୁଜା ଘଟଣାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋ‌ଦିଆ କହିଛନ୍ତି, କେଜ୍ରିୱାଲ୍‌ଙ୍କ ଜୀବନ ପ୍ରତି ବିପଦ ରହିଛି। ଦିଲ୍ଲୀ ପୁଲିସ ଉପସ୍ଥିତିରେ ବିଜେପି ଗୁଣ୍ଡାମାନେ ଆଜି କେଜ୍ରିୱାଲ୍‌ଙ୍କ ବାସଭବନରେ ପହଞ୍ଚିଥିଲେ ଏବଂ ସେଠାରେ ଭଙ୍ଗାରୁଜା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘର ପାଖରେ ଥିବା ସିସିଟିଭି ଭଙ୍ଗାଯାଇଛି ଏବଂ ଗେଟ୍‌କୁ ବିକୃତ କରିଦିଆଯାଇଛି।

ସିସୋଦିଆ କହିଛନ୍ତି, ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କେଜ୍ରିୱାଲଙ୍କୁ ଆକ୍ରମଣ କରିବାକୁ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ବିଜେପି ନିର୍ବାଚନରେ କେଜ୍ରିୱାଲ୍‌ଙ୍କୁ ହରାଇବାରେ ଅସଫଳ ହେଲା। ତେଣୁ ଏହା କେଜ୍ରିୱାଲ୍‌ଙ୍କୁ ଶେଷ କରିଦେବାକୁ ଚାହୁଛି। ଅନ୍ୟଜଣେ ଆପ୍‌ ନେତା ସୌରଭ ଭରଦ୍ବାଜ କହିଛନ୍ତି, ବିଜେପି ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହତ୍ୟା କରିବାକୁ ଚାହୁଛି। ଅତୀତରେ ମଧ୍ୟ ବିଜେପି କେଜ୍ରିୱାଲ୍‌ଙ୍କ ଉପରେ ଆକ୍ରମଣ କରିଥିଲା ବୋଲି ସୌରଭ ଦାବି କରିଛନ୍ତି। ଇତି ମଧ୍ୟରେ ବିଜେପି ସାଂସଦ ‌ତେଜସ୍ବୀ ସୂର୍ଯ୍ୟ କେଜ୍ରିୱାଲ୍‌ଙ୍କଠାରୁ ନିଃସର୍ତ୍ତ କ୍ଷମା ଦାବି କରିଛନ୍ତି। କାଶ୍ମୀର ହିନ୍ଦୁଙ୍କ ଗଣହତ୍ୟାକୁ କେଜ୍ରିୱାଲ୍‌ ପରିହାସ କରିଥିବାରୁ ତୁରନ୍ତ କ୍ଷମା ମାଗିବାକୁ ହେବ ବୋଲି ସେ କହିଛନ୍ତି। କେଜ୍ରିୱାଲ୍‌ ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି ଏବଂ ସେ କ୍ଷମା ମାଗିବା ପର୍ଯ୍ୟନ୍ତ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ତେଜସ୍ବୀ କହିଛନ୍ତି।

ସମ୍ବନ୍ଧିତ ଖବର