ପୁଣେ: ପୁଣେ ପୋର୍ସେ କାର୍ ଦୁର୍ଘଟଣାରେ ସମ୍ପୃକ୍ତ ୧୭ ବର୍ଷର ବାଳକକୁ ଜେଲ୍ ଭିତରେ ପିଜା ଓ ବିରିୟାନି ଦିଆଯାଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୁଣେ ପୁଲିସ୍ କମିସନ ଅମିତେଶ କୁମାର। ଅଭିଯୋଗ ହୋଇଥିଲା ଯେ ଜଣେ ରିଏଲ୍ ଇଷ୍ଟେଟ୍ ଡେଭଲ୍ପରଙ୍କ ପୁଅ ହୋଇଥିବାରୁ ତାଙ୍କୁ ପୁଲିସ୍ ଅଗ୍ରାଧିକାର ଦେବା ସହ ସ୍ବତନ୍ତ୍ର ଚିକିତ୍ସା ପ୍ରଦାନ କରିଥିଲା। ପୁଲିସ କମିସନର ଅମିତେଶ କୁମାର ଅସ୍ୱୀକାର କରିଛନ୍ତି।
ଏହି ସମୟରେ ଆହୁରି ଲକ କଥା ଜଣାପଡିଛି ଯେ ନାବାଳକ ଜଣକ ଗତ ୧୯ ତାରିଖ ଦିନ ଦୁର୍ଘଟଣା ଘଟାଇବା ପୂର୍ବରୁ ୨ଟି ପବ୍ ଯାଇ ୬୯,୦୦୦ ଟଙ୍କା ଖର୍ଚ୍ଚ କରିଥିଲେ।
ପୋର୍ସେ ଦୁର୍ଘଟଣା ମାମଲାରେ ଅଭିଯୁକ୍ତକୁ ଜାମିନ ମିଳିବା ଘଟଣା ନେଇ ବିବାଦ ତେଜିବା ପରେ ଆଜି ଅଭିଯୁକ୍ତର ଜାମିନ ରଦ୍ଦ କରାଯାଇଛି। ଏବେ ଏହି ଘଟଣାରେ ନିଜର ମତ ରଖିଛନ୍ତି ମୃତକ ଅନିଷ ଅୱାଧିଆଙ୍କ ମାଆ ସବିତା ଅୱାଧିଆ।
ମୃତକଙ୍କ ମାଆ ଲୁହ ଛଳ ଛଳ ଆଖିରେ କହିଛନ୍ତି, ‘‘ସେ ମୋ ପିଲାର ଜୀବନ ନେଇଗଲା। ମୋ ପିଲା ମୋଠାରୁ ଦୂର ହୋଇଗଲା। ମୁଁ ଏବେ କେବେ ବି ମିଳିପାରିବିନି। ଏଥିରେ ସେ ପିଲାର ଭୁଲ୍ ଅଛି। ତାକୁ ହତ୍ୟାକାରୀ ବୋଲି ବି କହିପାରନ୍ତି। କାରଣ ଯଦି ସେ ଆଜି ଏତେ ବଡ଼ ଭୁଲ୍ କରିନଥାନ୍ତା ତ କାହାର ବି ଜୀବନ ଯାଇନଥାନ୍ତା। ଯଦି ଟିକେ ବି ତା ପରିବାର ଲୋକ ତାକୁ ମନା କରିଥାନ୍ତେ ଗାଡ଼ି ଚଲାଇବାକୁ ତ ଆଜି ମୋ ପୁଅ ଜୀବିତ ଥାଆନ୍ତା। ଏହା ଏକ ହତ୍ୟା।’’