ଅଯୋଧ୍ୟା: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଆଗାମୀ ୨୨ ତାରିଖରେ ହେବାକୁ ଥିବା ବେଳେ ତାହାକୁ ନେଇ ପ୍ରସ୍ତୁତି ବହୁତ ଆଗରୁ ଆରମ୍ଭ ହୋଇଯାଇଛି। ଗତ ୧୬ ତାରିଖରୁ ମନ୍ଦିର ପ୍ରତିଷ୍ଠା ପୂର୍ବର ରୀତିନୀତି ସବୁ ଆରମ୍ଭ ହୋଇସାରିଛି। ଏହାରି ମଧ୍ୟରେ ଗତକାଲି ଗର୍ଭଗୃହରେ ପ୍ରବେଶ କରି ସାରିଛନ୍ତି ରାମଲଲା। ସମାରୋହରେ ରୀତିନୀତିର ଏକ ଅଂଶ ଭାବରେ ପବିତ୍ର ମନ୍ଦିର ଭିତରେ ରାମ ଲାଲା ପ୍ରତିମା ସ୍ଥାପନ କରାଯାଇଥିଲା। ‘ଇଣ୍ଡିଆ ଟୁଡେ ଟିଭି’ ଦ୍ୱାରା ଆମକୁ ସେହି ରାମଲଲାଙ୍କର ପ୍ରଥମ ମୂର୍ତ୍ତି ଦେଖିବାର ସୁଯୋଗ ମିଳିଛି। ଥରେ ନଜର ପକାଇଲେ ଜାଣିପାରିବେ ଯେ ଏହି ନୂଆ ଫଟୋରେ କେତେ ସୁନ୍ଦର ଦିଶୁଛନ୍ତି ରଘୁନନ୍ଦନ।

Advertisment

ଏହା ପୂର୍ବରୁ ଦେଖିବାକୁ ମିଳିଥିଲା ଫଟୋରେ ତାଙ୍କ ଶରୀରକୁ କପଡ଼ାରେ ଢଙ୍ଗା ଯାଇଥିବା ବେଳେ ଏହି ଫଟୋରୁ କପଡ଼ା କାଢ଼ି ଦିଆଯାଇଛି। କେବଳ ଆଖିରେ ପଟି ପଡ଼ିଥିବାର ଦେଖିବାକୁ ମିଳିଛି। ରାମଲଲାଙ୍କ ଆଖିରେ ଏକ ହଳଦିଆ ରଂଗର ପଟି ପଡ଼ିଥିବା ବେଳେ ତାଙ୍କ ବେକରେ ଗୋଲାପୀ ରଂଗର ଫୁଲ ହାର ପଡ଼ିଥିବାର ଦେଖିବାକୁ ମିଳିଛି।

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାମ ମନ୍ଦିର ପ୍ରାୟ ପ୍ରସ୍ତୁତ। ବର୍ଷ ବର୍ଷ ଧରି ଅପେକ୍ଷା କରିବା ପରେ ରାମଲଲା ମନ୍ଦିର ଭିତରେ ପ୍ରବେଶ କରିଛନ୍ତି। ଜାନୁଆରି ୨୨ ତାରିଖରେ ରାମ ମନ୍ଦିରର ଉଦଘାଟନ ଏବଂ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତି‌ଷ୍ଠା କାର୍ଯ୍ୟ ରହିଛି।  ଏହି ସମୟରେ ଭଗବାନ ରାମଙ୍କ ମୂର୍ତ୍ତିର ପ୍ରଥମ ଝଲକ୍‌ ସାମ୍ନାକୁ ଆସିଛି।