ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ସ୍ବାତୀ ମାଲିୱାଲ ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହାୟକ ବିଭବ କୁମାରଙ୍କ ବିରୋଧରେ ପୁଲିସରେ ଅଭିଯୋଗ ଆଣି ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା କହିଛନ୍ତି। ତେବେ ନୂଆ କରି ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ବିଭବ କୁମାର ସ୍ବାତୀଙ୍କୁ ଆକ୍ରମଣ କରିବା କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍ଙ୍କ ଘରେ ପହଞ୍ଚିଥିଲେ ସ୍ବାତୀ।
ଭାଇରାଲ୍ ହୋଇଥିବା ଭିଡିଓରେ ସ୍ବାତୀଙ୍କୁ କେଜ୍ରିୱାଲଙ୍କ ସୁରକ୍ଷାକର୍ମୀ ଚାଲିଯିବାକୁ କହୁଛନ୍ତି। ସେମାନଙ୍କ କଥା ସ୍ବାତୀ ନମାନିବାରୁ ସେଠାରେ ବଡ଼ ଧରଣର ଏକ ଯୁକ୍ତିତର୍କ ହେଉଥିବାର ବି ଦେଖିବାକୁ ମିଳୁଛି।
ଆଜି ଆନୁଷ୍ଠାନିକ ଭାବେ ସ୍ବାତୀ ଏକ ଅଭିଯୋଗ ଲେଖାଇବା ବେଳେ ସେଥିରେ ଉଲ୍ଲେଖ କରିଛନ୍ତି ଯେ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାର ତାଙ୍କୁ ଚାପୁଡ଼ା, ଗୋଇଠା ମାରିଥିଲେ। ଏପରିକି ତାଙ୍କ ବ୍ୟକ୍ତିଗତ ଅଙ୍ଗକୁ ବି ଆକ୍ରମଣ କରିଥିବା ସ୍ବାତୀ ଅଭିଯୋଗ ଆଣିଥିଲେ।
ଅନ୍ୟପକ୍ଷରେ ଦିଲ୍ଲୀ ଏମ୍ସରେ ସ୍ବାତୀଙ୍କର ଡାକ୍ତରୀ ଚିକିତ୍ସା ହୋଇଛି। ଡାକ୍ତରୀ ଚିକତ୍ସାରେ ତାଙ୍କର ଆଭ୍ୟନ୍ତରୀଣ ଆଘାତ ଚିହ୍ନଟ ହୋଇଛି। ଏହା ପୂର୍ବରୁ ଏ ନେଇ କୌଣସି ଆନୁଷ୍ଠାନିକ ଅଭିଯୋଗ ହୋଇନଥିଲା। ସାଂସଦ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିଲା, ଏକାଧିକ ଥର ଆଘାତ କରାଯାଇଥିଲା, ଏପରିକି “ଶରୀରର ସମ୍ବେଦନଶୀଳ ଅଙ୍ଗ” ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା।
ଏହି ଆକ୍ରମଣର ସବିଶେଷ ତଥ୍ୟରେ ଦର୍ଶାଯାଇଛି ଯେ କୁମାର ତାଙ୍କୁ ଚାପୁଡ଼ା ମାରିବା, ପିଟିବା, ବାଡିରେ ପିଟିବା ଏବଂ ପେଟରେ ଆଘାତ କରିବା ଭଳି କାଣ୍ଡ କରିଥିଲେ। ୩୯ ବର୍ଷୀୟା ରାଜ୍ୟସଭା ସାଂସଦ ଦାବି କରିଛନ୍ତି ଯେ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ତାଙ୍କୁ ଆକ୍ରମଣ ହୋଇଥିଲା।