ନୂଆଦିଲ୍ଲୀ: ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରୁ ଭାରତକୁ ଶୁକ୍ରବାର ଷଷ୍ଠ ପଦକ ଆସିଯାଇଛି ପଞ୍ଚମ କାଂସ୍ୟ ରୂପରେ। ୫୭ କେଜି ପୁରୁଷ ଫ୍ରିଷ୍ଟାଇଲ୍ କୁସ୍ତିରେ ୨୧ ବର୍ଷୀୟ ଅମନ ସେରାୱତ ଭାରତକୁ ଚଳିତ ସଂସ୍କରଣରେ ପ୍ରଥମ ଏବଂ ଅଲିମ୍ପିକ୍ସ ଇତିହାସରେ ଅଷ୍ଟମ କୁସ୍ତି ପଦକ ଭେଟି ଦେଇଛନ୍ତି।
ତେବେ ଅମନ ନିଜର ଏହି ସଫଳତାରେ ସନ୍ତୁଷ୍ଟ ନୁହନ୍ତି। ସେ ୨୦୨୮ ଅଲମ୍ପିକ୍ସରେ ଦେଶ ପାଇଁ ସ୍ବର୍ଣ୍ଣ ଆଣିବାର ଲକ୍ଷ୍ୟ ରଖିଛନ୍ତି। ଇଣ୍ଡିଆଟୁଟେ ସହିତ ଏକ ସାକ୍ଷାତ୍କାରରେ ଅମନ ସେରାୱତ ଏବଂ ତାଙ୍କ ପ୍ରଶିକ୍ଷକ କହିଛନ୍ତି ଯେ ଲସ ଏଞ୍ଜେଲସରେ ହେବାକୁ ଥିବା ଅଲିମ୍ପିକ୍ସ ୨୦୨୮ରେ ଭାରତୀୟ ରେସଲର ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ିବେ। ସେ ୫୭ କିଲୋଗ୍ରାମ୍ ଫ୍ରିଷ୍ଟାଇଲ ରେସଲିଂ ଇଭେଣ୍ଟରେ କାଂସ୍ୟ ବିଜୟ ସହ ଅଲିମ୍ପିକ ପଦକ ଜିତିବାରେ ସର୍ବକନିଷ୍ଠ ଭାରତୀୟ ହୋଇ ପାରିଛନ୍ତି।
ଶୁକ୍ରବାର କାଂସ୍ୟ ପଦକ ମୁକାବିଲାରେ ପୁର୍ତ୍ତୋରିକୋର ଡାରିଆନ୍ ତୋଇ କ୍ରୁଜ୍ଙ୍କୁ ୧୩-୫ରେ ପରାସ୍ତ କରି ଏହି ସଫଳତା ପାଇଛନ୍ତି। ମ୍ୟାଚ୍ର ପ୍ରଥମ ପିରିୟଡ୍ରେ ଅମନ ୬-୩ରେ ଅଗ୍ରଣୀ ପାଇଥିଲା ବେଳେ ଦ୍ବିତୀୟରେ ୭-୨ ପଏଣ୍ଟ ପାଇ ଏକତରଫା ଭାବେ ଜିତିଥିଲେ। ଫଳରେ ଅଲିମ୍ପିକ୍ସରେ ଭାରତର ମୋଟ ପଦକ ସଂଖ୍ୟା ୪୧ରେ ପହଞ୍ଚିଛି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଜିତିଥିବା ୬ ପଦକର ସମକକ୍ଷ ବି ହୋଇଛି ଭାରତ। ତେବେ ଗତ ସଂସ୍କରଣ ୭ ପଦକଠୁ ଗୋଟିଏ ପଛରେ ରହିଛି।
ଅମନଙ୍କ ପୂର୍ବରୁ ଅଲିମ୍ପିକ୍ସରୁ ଭାରତ ପାଇଁ କେଡି ଯାଦବ (କାଂସ୍ୟ-୧୯୫୨), ସୁଶୀଲ କୁମାର (କାଂସ୍ୟ-୨୦୦୮, ରୌପ୍ୟ-୨୦୧୨), ଯୋଗେଶ୍ବର ଦତ୍ତ (କାଂସ୍ୟ-୨୦୧୨), ସାକ୍ଷୀ ମଲ୍ଲିକ (କାଂସ୍ୟ-୨୦୧୬), ରବିକୁମାର ଦାହିୟା (ରୌପ୍ୟ-୨୦୨୦), ବଜରଙ୍ଗ ପୁନିଆ (କାଂସ୍ୟ-୨୦୨୦) କୁସ୍ତି ପଦକ ଜିତିଥିଲେ।