ନୂଆଦିଲ୍ଲୀ : ବିରଳ ରୋଗରେ ପୀଡ଼ିତ ଲୋକମାନଙ୍କ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ସବୁ ବିରଳ ରୋଗ ପାଇଁ ବ୍ୟକ୍ତିଗତ ଚିକିତ୍ସା ଉଦ୍ଦେଶ୍ୟରେ ଆମଦାନି କରାଯାଉଥିବା ଔଷଧ ଓ ଖାଦ୍ୟ ସାମଗ୍ରୀ ଉପରେ ମୂଳ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରାଯିବ। ଏ ସଂକ୍ରାନ୍ତରେ ଏକ ସାଧାରଣ ଶୁଳ୍କଛାଡ଼ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାତୀୟ ବିରଳ ରୋଗ ନୀତି ୨୦୨୧ ଅଧୀନରେ ତାଲିକାଭୁକ୍ତ ହୋଇଥିବା ସବୁ ବିରଳ ରୋଗ ପାଇଁ ଆମଦାନି କରାଯାଉଥିବା ଔଷଧ ଓ ଖାଦ୍ୟ ଉପରେ ସୀମା ଶୁଳ୍କ ରିହାତି ଦେବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି।
ଏହି ଶୁଳ୍କ ଛାଡ଼ ସୁବିଧା ପାଇବା ଲାଗି ଆମଦାନିକାରୀମାନଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ କିମ୍ବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ/ସିଭିଲ ସର୍ଜନଙ୍କ ଠାରୁ ଏକ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ସାଧାରଣତଃ ଔଷଧ/ଔଷଧୀୟ ସାମଗ୍ରୀ ଉପରେ ୧୦% ମୂଳ ସୀମାଶୁଳ୍କ ଲାଗୁ ହୋଇଥାଏ। ଅନ୍ୟ କେତେକ ଜୀବନ ରକ୍ଷାକାରୀ ଔଷଧ ଉପରେ ୫% ରିହାତି ଦରରେ ସୀମା ଶୁଳ୍କ ଲାଗୁ ହୋଇଥାଏ କିମ୍ବା ସମ୍ପୂର୍ଣ୍ଣ ଶୁଳ୍କ ଛାଡ଼ କରାଯାଇଥାଏ।
ପୂର୍ବରୁ ସ୍ପାଇନାଲ ମସ୍କୁଲାର ଅଟ୍ରୋଫି କିମ୍ବା ଡ୍ୟୁସେନ ମସ୍କୁଲାର ଡିଷ୍ଟ୍ରଫି ଭଳି ରୋଗର ଚିକିତ୍ସା ପାଇଁ ରହିଥିବା ନିର୍ଦ୍ଦିଷ୍ଟ ଔଷଧ ଉପରେ ଶୁଳ୍କ ଛାଡ଼ ରିହାତି ପ୍ରଦାନ କରାଯାଉଥିଲା। ତେବେ ଅନ୍ୟ କେତେକ ବିରଳ ରୋଗ ପାଇଁ ବ୍ୟବହୃତ ଔଷଧ ଆମଦାନି ଉପରୁ ସୀମାଶୁଳ୍କ ଛାଡ଼ ପାଇଁ ସରକାରଙ୍କୁ ବିଭିନ୍ନ ସମୟରେ ପ୍ରସ୍ତାବ ମିଳୁଥିଲା। ଏସବୁ ବିରଳ ରୋଗ ପାଇଁ ବ୍ୟବହୃତ ଔଷଧ ଓ ଖାଦ୍ୟସାମଗ୍ରୀ ବ୍ୟୟବହୁଳ ହୋଇଥାଏ ଏବଂ ସେଗୁଡ଼ିକୁ ଆମଦାନି କରିବାକୁ ପଡ଼ିଥାଏ। ଏକ ଅନୁମାନ ଅନୁଯାୟୀ, ୧୦ କିଲୋଗ୍ରାମ ଓଜନର ଏକ ଶିଶୁ ବିରଳ ରୋଗରେ ପୀଡ଼ିତ ଥିଲେ ତା’ର ବାର୍ଷିକ ଚିକିତ୍ସା ଖର୍ଚ୍ଚ ୧୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ସାରା ଜୀବନ ଏପରି ଚିକିତ୍ସା ଜାରି ରଖିବାର ଆବଶ୍ୟକତା ଥିବାରୁ ବୟସ ଏବଂ ଓଜନ ବଢ଼ିବା ସହିତ ଔଷଧର ମାତ୍ରା ଓ ଖର୍ଚ୍ଚ ବଢ଼ି ଚାଲିଥାଏ।
ଏବେ ସରକାର ସୀମାଶୁଳ୍କ ଛାଡ଼ କରିଥିବାରୁ ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ ଏବଂ ଏହାଦ୍ୱାରା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଉପକୃତ ହୋଇପାରିବେ। ସରକାର ବିଭିନ୍ନ କର୍କଟ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ପେମ୍ବ୍ରୋଲିଜୁମାବ (କେଟ୍ରୁଡା) ଉପରୁ ମୂଳ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରିଛନ୍ତି।