ଏକ୍‌ଜିଟ୍‌ ‌ପୋଲ୍‌ : ରାଜ୍ୟରେ ନବୀନ, କେନ୍ଦ୍ରରେ ମୋଦୀ

ନୂଆଦିଲ୍ଲୀ : ଦେଶରେ ପୁଣି ଥରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ଗଠନ କରିବାକୁ ସକ୍ଷମ ହେବ ଏବଂ ଏନ୍‌ଡିଏ ମେଣ୍ଟର ଆସନ ସଂଖ୍ୟା ୩୦୦ ଟପିବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ ବାହୁଡ଼ା ‌ମତ) ଆକଳନରୁ ଜଣାପଡ଼ିଛି। ସେହିଭଳି ଓଡ଼ିଶା ବିଧାନସଭାରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ବିଜେଡିକୁ ପୂର୍ବଭଳି ଉଲ୍ଲେଖନୀୟ ସଫଳତା ମିଳିବ।

୨୦୧୯ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆଜି ସନ୍ଧ୍ୟାରେ ଶେଷ ହେବା ସହ ଏକ୍‌ଜିଟ୍‌ ପୋଲ୍‌ ପରିଣାମ ସାମ୍ନାକୁ ଆସିଛି। ପ୍ରାୟ ସମସ୍ତ ଏକ୍‌ଜିଟ୍‌ ପୋଲରେ ଏନ୍‌ଡିଏକୁ ସଂଖ୍ୟାଗରିଷ୍ଠତା ମିଳିବ ବୋଲି କୁହାଯାଇଛି। ୫୪୨ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରୁ ଏନ୍‌ଡିଏକୁ ୨୮୭ରୁ ୩୦୬ ଆସନ ମିଳିବ ବୋଲି ଏକ୍‌ଜିଟ୍‌ ପୋଲରୁ ଜଣାପଡ଼ିଛି।

ଟାଇମ୍‌ସ ନାଓ ଭିଏମ୍‌ଆର୍‌ ଏକ୍‌ଜିଟ୍‌ ପୋଲ ଅନୁଯାୟୀ ଏନ୍‌ଡିଏକୁ ୩୦୬ ଆସନ ମିଳିବ ଯାହାକି ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର (୨୭୨) ଠାରୁ ଯଥେଷ୍ଟ ଅଧିକ। ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏକୁ ୧୩୨ ଏବଂ ଅନ୍ୟମାନଙ୍କୁ ୧୦୪ ଆସନ ମିଳିବା ସମ୍ଭାବନା ରହିଛି। ନ୍ୟୁଜ୍‌ ଏକ୍ସ ଏକ୍‌ଜିଟ୍‌ ପୋଲ ଏନ୍‌ଡିଏକୁ ୨୯୮ ଆସନ ଦେଇଥିବା ବେଳେ ୟୁପିଏକୁ ୧୧୮ ଆସନ ଏବଂ ଅନ୍ୟମାନଙ୍କୁ ୧୨୭ ଆସନ ଦେଇଛି। ରିପବ୍ଲିକ୍‌ ଏକଜିଟ୍‌ ପୋଲରେ ଏନ୍‌ଡିଏକୁ ୨୯୫ରୁ ୩୧୫ ଆସନ ମିଳିବ ବୋଲି ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ୟୁପିଏକୁ ୧୨୨ରୁ ୧୨୫ ଏବଂ ଅନ୍ୟମାନଙ୍କୁ ୧୦୨ରୁ ୧୨୫ ଆସନ ମିଳିବ ବୋଲି ରିପବ୍ଲିକ ଟିଭି ଦର୍ଶାଇଛି। ସୂଚନାଯୋଗ୍ୟ ରିପବ୍ଲିକ୍‌ ଟିଭି ସି-ଭୋଟର୍‌ ଏବଂ ଜନ୍‌କି ବାତ ସହ ମିଳିତ ଭାବେ ଦୁଇଟି ଏକଜିଟ୍‌ ପୋଲ କରିଥିଲା। ନ୍ୟୁଜ୍‌ ଏକ୍ସ-ନେତାର ଏକ୍‌ଜିଟ୍‌ ପୋଲ ମୁତାବକ ଏନ୍‌ଡିଏକୁ ୨୪୨, ୟୁପିଏକୁ ୧୬୪ ଏବଂ ଅନ୍ୟମାନଙ୍କୁ ୧୩୬ ଆସନ ମିଳିବ। ନ୍ୟୁଜ୍‌-୧୮ ଏକ୍‌ଜିଟ୍‌ ପୋଲ ମୁତାବକ ଏନ୍‌ଡିଏକୁ ୨୯୨ରୁ ୩୧୨ ଆସନ ଏବଂ ୟୁପିଏକୁ ୬୨ରୁ ୭୨ ଆସନ ମିଳିବ ବୋଲି ଅନୁମାନ କରାଯାଇଛି । ଏବିପି-ନେଲ୍‌ସନ ଏକଜିଟ୍‌ ପୋଲ୍‌ରେ ଏନ୍‌ଡିଏକୁ ୨୬୭, ୟୁପିଏକୁ ୧୨୭ ଏବଂ ଅନ୍ୟମାନଙ୍କୁ ୧୪୮ ଆସନ ମିଳିବ ବୋଲି କୁହାଯାଇଛି ।

ସମସ୍ତ ଏକଜିଟ୍‌ ପୋଲ୍‌ର ମିଳିତ ଆକଳନ କରିଥିବା ଏନ୍‌ଡିଟିଭିର ‘ପୋଲ୍‌ ଅଫ୍‌ ଏକ୍‌ଜିଟ୍‌ ପୋଲ୍‌’ ଅନୁଯାୟୀ ଏନ୍‌ଡିଏକୁ ୩୦୬, ୟୁପିଏକୁ ୧୨୪ ଏବଂ ଅନ୍ୟମାନଙ୍କୁ ୧୧୨ ଆସନ ମିଳିବ।

ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ଏସ୍‌ପି-ବିଏସ୍‌ପି ମହାମେଣ୍ଟ ବିଜେପିର ବିଜୟ ଅଭିଯାନକୁ ରୋକିବାରେ ସମର୍ଥ ହୋଇପାରିବ ନାହିଁ ବୋଲି ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ଆକଳନରୁ ଜଣାପଡ଼ିଛି। ୬ଟି ଏକ୍‌ଜିଟ୍‌ ପୋଲର ମୋଟ ଆକଳନରୁ ଜଣାପଡ଼ିଛି ଯେ ୟୁପିର ମୋଟ ୮୦ ଆସନରୁ ବିଜେପି ଏବଂ ଏହାର ସହଯୋଗୀ ଅପନା ଦଳ ୪୬ଟି ଆସନ ଦଖଲ କରିବ ଏବଂ ମହାମେଣ୍ଟକୁ ୩୨ଟି ଆସନ ମିଳିବ। ଏଠାରେ କଂଗ୍ରେସ ୨ଟି ଆସନରେ ସୀମିତ ରହିବ ବୋଲି ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକର ପରିଣାମରୁ ଅନୁମାନ କରାଯାଇଛି। ତେବେ ୨୦୧୪ ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ ୭୧ଟି ଆସନ ଦଖଲ କରିଥିବା ବେଳେ ଏଥର ମହାମେଣ୍ଟ ଯୋଗୁଁ ଯେଉଁ କ୍ଷତିର ସମ୍ମୁଖୀନ ହେବ ତାହା ପଶ୍ଚିମବଂଗ ଏବଂ ଓଡ଼ିଶାରୁ ବିଜେପି କିଛି ମାତ୍ରାରେ ଭରଣା କରିବାରେ ସକ୍ଷମ ହେବ ବୋଲି ଏକ୍‌ଜିଟ୍‌ ପୋଲ ଆକଳନରୁ ଜଣାପଡ଼ିଛି। ପଶ୍ଚିମବଂଗର ମୋଟ ୪୨ ଆସନରୁ ଟିଏମ୍‌ସିକୁ ୨୪ , ବିଜେପିକୁ ୧୪ ଏବଂ କଂଗ୍ରେସକୁ ୨ଟି ଆସନ ମିଳିବ ବୋଲି ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ର ମିଳିତ ଆକଳନରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଓଡ଼ିଶାର ୨୧ ଆସନରୁ ବିଜେଡିକୁ ୧୦ ଏବଂ ବିଜେପିକୁ ୧୦ଟି ଆସନ ମିଳିବ ବୋଲି ଅନୁମାନ କରାଯାଇଛି।
କଂଗ୍ରେସକୁ ସବୁଠାରୁ ବଡ଼ ଝଟ୍‌କା ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରୁ ମିଳିବ ବୋଲି ଏକ୍‌ଜିଟ୍‌ ପୋଲ ଆକଳନରୁ ଅନୁମାନ କରାଯାଉଛି। ଡିସେମ୍ବରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଏହି ତିନି ରାଜ୍ୟ ବିଜେପି ଦଖଲରୁ କଂଗ୍ରେସ ଛଡ଼ାଇ ନେବାକୁ ସକ୍ଷମ ହୋଇଥିଲା। କିନ୍ତୁ ଏବେ ‌ଲୋକସଭା ନିର୍ବାଚନରେ ବିଜେପି ଏହି ତିନି ରାଜ୍ୟରେ ଜୋର୍‌ଦାର ସଫଳତା ହାସଲ କରିବ ବୋଲି କୁହାଯାଇଛି। ରାଜସ୍ଥାନର ୨୫ ଆସନରୁ ବିଜେପି ମେଣ୍ଟକୁ ୨୨, କଂଗ୍ରେସକୁ ୩ ଆସନ, ମଧ୍ୟପ୍ରଦେଶର ୨୯ ଆସନରୁ ବିଜେପିକୁ ୨୫ ଏବଂ କଂଗ୍ରେସକୁ ୪ ଆସନ ମିଳିବ ବୋଲି ବିଭିନ୍ନ ଏକ୍‌ଜିଟ୍‌ ପୋଲର ଆକଳନରୁ ଜଣାପଡ଼ିଛି। ହରିୟାଣାର ୧୦ଟି ଆସନରୁ ବିଜେପି ସମସ୍ତ ୧୦ ଆସନ ଏବଂ ଦିଲ୍ଲୀର ସମସ୍ତ ୭ଟି ଯାକ ଆସନରେ ବିଜେପି ବିଜୟୀ ହେବ ବୋଲି ଅନୁମାନ କରାଯାଇଛି।

ବିଭିନ୍ନ ସଂସ୍ଥାର ରିପୋର୍ଟ ଅନୁସାରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜେଡି କ୍ଷମତା ବଜାୟ ରଖିବ। ‌େସହିଭଳି ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ସରକାର ପରାଜୟର ସମ୍ମୁଖୀନ ହେବ ଏବଂ ଜଗନମୋହନ ରେଡ଼ୀଙ୍କ ୱାଇଏସଆର କଂଗ୍ରେସ କ୍ଷମତାସୀନ ହେବ। ରାଜ୍ୟ ବିଧାନସଭାର ୧୭୫ ଆସନ ମଧ୍ୟରେ ଏହି ପାର୍ଟିକୁ ୧୩୦ରୁ ୧୩୫ ଆସନ ମିଳିବାର ସମ୍ଭାବନା ରହିଛି। ଟିଡିପିପୁ ୩୭ରୁ ୪୦ ଆସନ ମିଳିବ ବୋଲି ଇଣ୍ଡିଆ ଟୁଡେ ଏକଜିଟ୍ ପୋଲ ସର୍ଭେରେ କୁହାଯାଇଛି।

ସମ୍ବନ୍ଧିତ ଖବର