ନୂଆଦିଲ୍ଲୀ : ଦେଶରେ ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ପ୍ରଚାର ଜୋର ଧରିଛି । ଏହା ମଧ୍ୟରେ ଆଜି ନିର୍ବାଚନ ଆୟୋଗ ଆସନ୍ତା ୭ ମାର୍ଚ୍ଚ ପର୍ଯ୍ୟନ୍ତ କୌଣସି ପ୍ରକାରର ବୁଥ ବାହୁଡ଼ା ମତାମତ ସର୍ଭେ ବା ଏକଜିଟ ପୋଲକୁ ନିଷିଦ୍ଧ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶରେ କୁହାଯାଇଛି ଯେ କୌଣସି ବ୍ୟକ୍ତି କୌଣସି ପ୍ରକାରର ଏକଜିଟ ପୋଲର ପ୍ରକାଶନ ବା ପ୍ରସାରଣ କରିପାରିବେ ନାହିଁ । ଏହି ନିଷେଧାଜ୍ଞା ଫେବ୍ରୁଆରି ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୭ ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଲାଗୁ ହେବ । ଯଦି କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶର ଅନୁପାଳନ ନ କରନ୍ତି ତେବେ ତାଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ ବା ଜରିମାନା କିମ୍ବା ଉଭୟ ହୋଇପାରେ ।
ସୂଚନାଯୋଗ୍ୟ, ୫ଟି ରାଜ୍ୟ ଉତ୍ତରପ୍ରଦେଶ, ମଣିପୁର, ପଂଜାବ, ଗୋଆ ଓ ଉତ୍ତରାଖଣ୍ଡରେ ଆସନ୍ତା ମାସରେ ନିର୍ବାଚନ ହେବ । ମୋଟ ୭ଟି ପର୍ଯ୍ୟାୟରେ ଏସବୁ ରାଜ୍ୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ କେବଳ ଉତ୍ତରପ୍ରଦେଶରେ ହେବ । ଏଥିପାଇଁ ଫେବ୍ରୁଆରି ୧୦ରେ ଭୋଟ ଗ୍ରହଣ ହେବ । ୨ୟ ପର୍ଯ୍ୟାୟ ନିର୍ବାଚନ ୪ଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ହେବ । ଏଥିପାଇଁ ଫେବ୍ରୁଆରି ୧୪ରେ ଭୋଟ ଗ୍ରହଣ ହେବ। ଉତ୍ତରପ୍ରଦେଶରେ ୩ୟ ପର୍ଯ୍ୟାୟ ମତଦାନ ୨୦ ଫେବ୍ରୁଆରିରେ ଓ ୪ର୍ଥ ପର୍ଯ୍ୟାୟ ମତଦାନ ୨୩ ଫେବ୍ରୁଆରିରେ ହେବ । ୫ମ ପର୍ଯ୍ୟାୟ ମତଦାନ ମଣିପୁର ଓ ଉତ୍ତରପ୍ରଦେଶରେ ୨୭ ଫେବ୍ରୁଆରିରେ ହେବ । ଉତ୍ତରପ୍ରଦେଶରେ ୬ଷ୍ଠ ଓ ୭ମ ପର୍ଯ୍ୟାୟ ମତଦାନ ଯଥାକ୍ରମେ ମାର୍ଚ୍ଚ ୩ ଓ ମାର୍ଚ୍ଚ ୭ରେ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।