ବିଜେପି ପାଇଁ ଲଡୁ, ଝାଡୁ ପାଇଁ ରସଗୋଲା: କିଛି ଏଭଳି ଉପହାର ଦେଲା ଏକଜିଟ ପୋଲ

ନୂଆଦିଲ୍ଲୀ: ୫ଟି ରାଜ୍ୟ ପାଇଁ ଆଜି ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ବା ବୁଥ ବାହୁଡା ମତ ପ୍ରକାଶ ପାଇଛି | ତେବେ ଆଜିର ଏହି ଫଳାଫଳ(ଆକଳନ ସୂତ୍ର) ଅନୁଯାୟୀ ଉତ୍ତରପ୍ରଦେଶରେ ବିଜେପି ପୁଣିଥରେ ସରକାର ଗଠନ କରିପାରେ ବୋଲି ଅଧିକାଂଶ ସଂସ୍ଥା ଆକଳନ କରିଥିବାବେଳେ ୟୁପି ପାଇଁ ଯୋଗୀ ଉପଯୋଗୀ ବୋଲି ଏକଜିଟ ପୋଲରେ ପ୍ରକାଶ ପାଇଛି | ଉତ୍ତରପ୍ରଦେଶର ସମୁଦାୟ ୪୦୩ଟି ଆସନରୁ ମ୍ୟାଜିକ ନମ୍ବର ୨୦୨ଠାରୁ ବିଜେପି ଅଧିକ ଆସନ ପାଇବ ବୋଲି ଅଧିକାଂଶ ସଂସ୍ଥା ଆକଳନ କରିଛନ୍ତି | ତେବେ ବଡ କଥା ହେଉଛି ଯେ ଏଥର ପଞ୍ଜାବରେ ଅପ୍ରତ୍ୟାଶିତ ଭାବେ ଆମ ଆଦମୀ ପାର୍ଟି ସରକାର ଗଠନ କରିପାରେ ବୋଲି ଏକଜିଟ ପୋଲରେ ଦର୍ଶାଯାଇଛି | ଦିଲ୍ଲୀ ପରେ ଆମ ଆଦମୀ ପାର୍ଟି ଦ୍ଵିତୀୟ ରାଜ୍ୟ ଭାବେ ପଞ୍ଜାବରେ ସରକାର ଗଠନ କରିବ ବୋଲି ବୁଥ ବାହୁଡା ମତରେ ଦର୍ଶାଯାଇଛି |

ପଞ୍ଜାବରେ ସମୁଦାୟ ୧୧୭ଟି ଆସନ ମଧ୍ୟରୁ ମ୍ୟାଜିକ ନମ୍ବର ଥିବା ୫୯ ଆସନରୁ ଆମ ଆଦମୀ ପାର୍ଟି ଯଥେଷ୍ଟ ଅଧିକ ଆସନ ପାଇବ ବୋଲି ଏକଜିଟ ପୋଲରେ ଆକଳନ କରାଯାଇଛି | କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ମିଶି ବିଜେପି ନିର୍ବାଚନ ବୈତରଣୀ ପାର ହେବାର ଯେଉଁ ସ୍ୱପ୍ନ ଦେଖିଥିଲା ତାହା ସଫଳ ହୋଇନଥିବାର ଆକଳନ କରାଯାଇଥିବା ବେଳେ ମଣିପୁର ବିଜେପି ପାଇଁ ଖୁସି ଆଣିପାରେ ବୋଲି ଏକଜିଟ ପୋଲରେ ଦର୍ଶାଯାଇଛି | ମଣିପୁରରେ ବିଜେପି କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ଓ ଆଞ୍ଚଳିକ ଦଳକୁ ପରାସ୍ତ କରିପାରେ ବୋଲି ଆକଳନ କରାଯାଇଛି |

ସେହିପରି ଗୋଆରେ ବିଜେପି ଓ କଂଗ୍ରେସ ମଧ୍ୟରେ ଝୁଲା ସରକାର ହୋଇପାରେ ବୋଲି ଏକଜିଟ ପୋଲରେ ଦର୍ଶାଯାଇଛି | ଉତ୍ତରାଖଣ୍ଡରେ ପୁଣି ବିଜେପି ସରକାର ଆସିବାର କିଛି ସଂସ୍ଥା ଆକଳନ କରିଥିବାବେଳେ ଆଉ କିଛି ସଂସ୍ଥା ଝୁଲା ସରକାର ହୋଇପାରେ ବୋଲି ଆକଳନ କରିଛନ୍ତି | ତେବେ ଆଜି ପ୍ରକାଶ ପାଇଥିବା ଏକଜିଟ ପୋଲରେ ଆମ ଆଦମୀ ପାର୍ଟିକୁ ରସଗୋଲା ଭଳି ଅଧିକ ମିଠା ଓ ବିଜେପିକୁ ଲଡୁ ଭଳି କମ ମିଠା ଦେଇଛନ୍ତି ଆକଳନକାରୀ ସଂସ୍ଥା | କାରଣ ଆମ ଆଦମୀ ପାର୍ଟି ପଞ୍ଜାବ ପାଇଁ ଯେଭଳି ପରିଶ୍ରମ କରିଥିଲା ଏବଂ ବିଜେପି ଓ କଂଗ୍ରେସ ଝାଡ଼ୁକୁ ରୋକିବା ପାଇଁ ଯେଭଳି କୌଶଳ ଆପଣାଇଥିଲେ ସେଥିରେ ଫେଲ ହୋଇଥିବାର ଆକଳନ କରାଯାଇଛି | ତେବେ ହାତୀ କାହା ମୁଣ୍ଡରେ ସୁନା କଳସ ଢ଼ାଳିବ ତାହା ତ ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ଜଣାପଡିବ |

ସମ୍ବନ୍ଧିତ ଖବର