ପାଟନା : ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ୩ୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ମିଳିଥିବା ସୂଚନା ଅନୁସାରେ ୩ୟ ପର୍ଯ୍ୟାୟରେ ୫୪ ପ୍ରତିଶତ ମତଦାନ ହୋଇଛି । ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ଦ୍ବାରା ବୁଥ ବାହୁଡ଼ା ମତାମତ ସର୍ଭେ ବା ଏକଜିଟ ପୋଲ ସର୍ଭେ ପ୍ରକାଶ ପାଇଛି । ଅଧିକାଂଶ ଏକଜିଟ ପୋଲ ରିପୋର୍ଟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତୃତ୍ବାଧୀନ ମହାମେଣ୍ଟ ବିହାରରେ ସରକାର ଗଢିବାର ସମ୍ଭାବନା ରହିଛି ।
ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ ଅନୁସାରେ ଏନଡିଏ ୮୦ଟି ଓ ମହାମେଣ୍ଟ ୧୫୦ଟି ଆସନ ପାଇବ ।
ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ଉପନିର୍ବାଚନ ହୋଇଥିବା ୨୮ଟି ଆସନ ମଧ୍ୟରୁ ବିଜେପି ୧୬ରୁ ୧୮ଟି ଆସନ ଜିତିପାରେ । ସେହିପରି କଂଗ୍ରେସ ୧୦ରୁ ୧୨ଟି ଆସନ ଜିତିବାର ସମ୍ଭାବନା ରହିଛି । ଉତ୍ତରପ୍ରଦେଶରେ ହୋଇଥିବା ଉପନିର୍ବାଚନରେ ବିଜେପି ୫ରୁ ୬ଟି ଆସନ ଜିତିବ । ଗୁଜୁରାଟରେ ୮ଟି ଆସନରେ ଉପନିର୍ବାଚନ ହୋଇଥିବାବେଳେ ସେଥିରୁ ବିଜେପି ୬-୭ଟି ଓ କଂଗ୍ରେସ ୦-୧ଟି ଆସନ ଜିତିପାରେ ।