ଦିଲ୍ଲୀ ବିଧାନସଭା ନିର୍ବାଚନ : ଏକ୍‌ଜିଟ୍‌ ପୋଲ୍‌କୁ ନେଇ ପ୍ରତିକ୍ରିୟା

ଏକ୍‌ଜିଟ୍‌ ପୋଲ୍‌କୁ ପ୍ରତ୍ୟାଖ୍ୟାନ କଲେ ମନୋଜ ତିୱାରୀ
ନୂଆଦିଲ୍ଲୀ : ସମସ୍ତ ଏକ୍‌ଜିଟ୍‌ ପୋଲ୍‌ରେ ଆପ୍‌ ପାଇଁ ବିପୁଳ ବିଜୟ ସମ୍ଭାବନା ଦର୍ଶାଯାଇଥିବା ବେଳେ ବିଜେପି ନେତା ମନୋଜ ତିୱାରୀ କିନ୍ତୁ ଏକ୍‌ଜିଟ୍‌ ପୋଲ୍‌କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତିୱାରୀ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି,୧୧ ତାରିଖରେ ସମସ୍ତ ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌ ସାବ୍ୟସ୍ତ ହେବ ଏବଂ ବିଜେପି ୪୮ ଆସନରେ ବିଜୟୀ ହେବ। ବିଜେପିର ପର‌ବେଶ୍‌ ସିଂହ ମଧ୍ୟ କହିଛନ୍ତି ଯେ, ବିଜେପି ୫୦ଟି ଆସନରେ ଜିତିବ ଏବଂ ଆପ୍‌ ମାତ୍ର ୧୬ ଆସନରେ ଜିତିବ। ଅନ୍ୟପକ୍ଷେ ଏକ୍‌ଜିଟ୍‌ ପୋଲ୍‌ ଆସିବାପରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ବିଜେପି ମୁଖ୍ୟାଳୟରେ ବିଜେପି ନେତାମାନଙ୍କର ଏକ ଜରୁରୀ ବୈଠକ ଡାକିଛନ୍ତି।

ଏକ୍‌ଜିଟ୍‌ ପୋଲ ଭୁଲ୍‌ ପ୍ରମାଣିତ ହେବ: କଂଗ୍ରେସ
ଦିଲ୍ଲୀ କଂଗ୍ରେସ ମୁଖ୍ୟ ସୁଭାଷ ଚୋପ୍ରା କହିଛନ୍ତି ଯେ ଏକ୍‌ଜିଟ୍‌ ପୋଲ୍‌ରେ ଆପ୍‌ର ଯେଉଁ ବିପୁଳ ବିଜୟ କଥା କୁହାଯାଉଛି ତାହା ଭୁଲ୍‌ ପ୍ରମାଣିତ ହେବ। ଆପ୍‌ ସରକାର ଗଠନ କରିପାରିବ ନାହିଁ ଏବଂ ବିଜେପିର ଆସନ ସଂଖ୍ୟା ମଧ୍ୟ ୨୦ରୁ କମ୍‌ ରହିବ ବୋଲି ସେ କହିଛନ୍ତି।

ସାଥୀଙ୍କ ପରିଶ୍ରମକୁ ହୃଦୟରୁ ସଲାମ୍‌: ସିସୋଦିଆ
ଆପ୍‌ ନେତା ତଥା ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ ଆପ୍‌ ଏଥର ବି ବିଶାଳ ବିଜୟ ହାସଲ କରିବାକୁ ଯାଉଛି। ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମର ସୁଫଳ ମିଳିବ। ନିଷ୍ଠାପର କାର୍ଯ୍ୟପାଇଁ ସମସ୍ତଙ୍କୁ ହୃଦୟରୁ ସଲାମ୍‌ ବୋଲି ସିସୋଦିଆ କହିଛନ୍ତି।

ଆପ୍‌କୁ ଯଥେଷ୍ଟ ଅଧିକ ଭୋଟ୍‌ ମିଳୁଛି: ସ୍ବାମୀ
ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଯେ ଦିଲ୍ଲୀରେ ଆପ୍‌କୁ ଯଥେଷ୍ଟ ଅଧିକ ଭୋଟ୍‌ ମିଳୁଛି। ଏଥିଯୋଗୁଁ ବିଜେପିକୁ ହିଁ କ୍ଷତି ସହିବାକୁ ପଡ଼ିବ। ବଜେଟ୍‌ ଗୁଗୁଲି ପରେ ମତେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହିତ ଛିଡ଼ା ହେବାକୁ ପଡ଼ିବ ବୋଲି ସ୍ବାମୀ କହିଛନ୍ତି।

ସମ୍ବନ୍ଧିତ ଖବର