ବୁଥ ବାହୁଡା ମତ ଦେଲା ସବୁଜ ସଙ୍କେତ : ଦିଲ୍ଲୀରେ ପୁଣି କ୍ଷମତାକୁ ଫେରିବ ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଲାଗି ଶେଷ ହୋଇଛି ମତଦାନ। ନିର୍ବାଚନ ଫଳାଫଳକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗବେଷଣା ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍‌ ପୋଲ ବା ବୁଥ୍‌ ବାହୁଡ଼ା ମତ ସାମ୍ନାକୁ ଆସିଛି। ଦିଲ୍ଲୀରେ ଏଥର ମୋଟାମୋଟି ପ୍ରତିଦ୍ୱନ୍ଦ୍ୱିତା ଦ୍ୱିମୁଖୀ ହେଉଥିବା ଆକଳନ କରାଯାଇଛି। ଯଦିଓ ଦିଲ୍ଲୀର ୭୦ଟି ନିର୍ବାଚନ ମଣ୍ଡଳୀରେ ଭିନ୍ନଭିନ୍ନ ଦଳରୁ ୩ ଜଣ ଳେଖାଏଁ  ପ୍ରଭାବଶାଳୀ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି କିନ୍ତୁ କଂଗ୍ରେସ ପ୍ରାୟତଃ ଦୌଡ଼ରେ ରହିବ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅଙ୍କ କଷିଛନ୍ତି। ଏଥର ଦିଲ୍ଲୀରେ ପ୍ରତିଦ୍ୱନ୍ଦିତା ମୁଖ୍ୟତଃ ରାଜ୍ୟରେ ଶାସନଗାଦୀରେ ଥିବା ଆମ୍‌ ଆଦମୀ ପାର୍ଟି ଓ କେନ୍ଦ୍ର ସରକାରରେ ଥିବା ବିଜେପି ମଧ୍ୟରେ ହେବ। ଗୋଟିଏ ପଟେ ଆମ୍‌ ଆଦମୀ ପାର୍ଟିର ମୁଖିଆ ଅରବିନ୍ଦ କେଜ୍ରିଓ୍ଵାଲ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଭୋଟ ଯୁଦ୍ଧକୁ ଓହ୍ଲାଇଥିବା ବେଳେ ବିଜେପି କିନ୍ତୁ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରି ନାହିଁ। ବରଂ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳତାକୁ ସମ୍ବଳ କରି ନିର୍ବାଚନୀ ମଇଦାନ୍‌କୁ ଓହ୍ଲାଇଛି । କଂଗ୍ରେସ ମଧ୍ୟ ସେହିପରି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ।

ଏପରି ସ୍ଥଳେ ଦିଲ୍ଲୀ ଲଢେଇରେ କିଏ କରିବ ବାଜିମାତ ? କିଏ ଜିତିବ ଦିଲ୍ଲୀର ଦିଲ ? ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ କ’ଣ ହେବ ତାହାକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ବଢିଥିବାବେଳେ ଆସିଛି ବୁଥ ବାହୁଡା ମତ | ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକଜିଟ ପୋଲ ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ ଆଦମୀ ପାର୍ଟି ପୁଣି ଥରେ କ୍ଷମତାକୁ ଫେରିବାର ସମ୍ଭାବନା ଦେଖାଦେଇଛି | ଅବଶ୍ୟ ୨୦୧୫ ନିର୍ବାଚନ ଅପେକ୍ଷା ଏଥର କିଛି ଆସନ କମିପାରେ ବୋଲି ବୁଥ ବାହୁଡା ମତରୁ ଜଣାପଡିଛି |

ଟାଇମ୍ସ ନାଓ ପକ୍ଷରୁ ଆକଳନ କରାଯାଇଛି ଯେ ଆମ ଆଦମୀ ପାର୍ଟି-୪୪ଟି ଆସନ ପାଇବାକୁ ଥିବାବେଳେ ବିଜେପି-୨୬ଟି ଆସନ ପାଇବ | ସେହିପରି କଂଗ୍ରେସ ଖାତା ଖୋଲିପାରିବ ନାହିଁ | ରିପବ୍ଲିକ ଟିଭି ପକ୍ଷରୁ ପ୍ରକାଶିତ ବୁଥ ବାହୁଡା ମତ ଅନୁସାରେ ଆମ ଆଦମୀ ପାର୍ଟି-୪୮-୬୧ଟି ଆସନ ପାଇବାକୁ ଥିବାବେଳେ ବିଜେପି-୦୯-୨୧ ଓ କଂଗ୍ରେସ-୦-୧ଟି ଆସନ ପାଇବ | ନ୍ୟୁଜ ଏକ୍ସ ଓ ଇଣ୍ଡିଆ ନ୍ୟୁଜ ପକ୍ଷରୁ ପ୍ରକାଶିତ ଏକଜିଟ୍ ପୋଲ୍ ଅନୁସାରେ ଆମ ଆଦମୀ ପାର୍ଟି-୫୩-୫୭ଟି ଆସନ, ବିଜେପି-୧୧ରୁ ୧୭ଟି ଆସନ ଓ କଂଗ୍ରେସ-୦ରୁ ୨ଟି ଆସନ ପାଇବ ବୋଲି ଆକଳନ କରାଯାଇଛି |

ଏଠାରେ ସୂଚନା ଥାଉ କି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ୭୦ଟି ଆସନରେ ଭୋଟ ଗ୍ରହଣ ହୋଇଥିବାବେଳେ ସମୁଦାୟ ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଯାଇଛି | ଆସନ୍ତା ୧୧ ତାରିଖରେ ଦିଲ୍ଲୀ ବିଧାନସଭାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ |

ସମ୍ବନ୍ଧିତ ଖବର