ନୂଆଦିଲ୍ଲୀ : ଦିଲ୍ଲୀରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଗତ ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଶାନ୍ତିପୂର୍ଣ୍ଣ ମତଦାନ ହୋଇଥିଲା। ଫେବ୍ରୁଆରି ୮ ତାରିଖ ଶନିବାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସେପଟେ ଅଧିକାଂଶ ଏକଜିଟ ପୋଲରୁ ଜଣାପଡିଛି ଯେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରୁଛି ।
ଏବେ ଏକଜିଟ୍ ପୋଲକୁ ନେଇ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରଥମ ବୟାନ ସାମ୍ନାକୁ ଆସିଛି। କେଜ୍ରିୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି- "କିଛି ଏଜେନ୍ସି ଦେଖାଉଛନ୍ତି ଯେ 'ଗାଳିଗୁଲଚ କରୁଥିବା ଦଳ'କୁ ୫୫ରୁ ଅଧିକ ଆସନ ମିଳୁଛି। ଗତ ଦୁଇ ଘଣ୍ଟା ମଧ୍ୟରେ ଆମର ୧୬ ଜଣ ପ୍ରାର୍ଥୀଙ୍କୁ 'ଆପ୍' ଛାଡି ନିଜ ଦଳରେ ଯୋଗ ଦେବାକୁ ଫୋନ୍ ଆସିଛି ଏବଂ ସେମାନଙ୍କୁ ମନ୍ତ୍ରୀ କରିବା ଏବଂ ପ୍ରତ୍ୟେକ ୧୫ କୋଟି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ସେମାନଙ୍କ ଦଳ ୫୫ରୁ ଅଧିକ ଆସନ ପାଉଛି, ତା'ହେଲେ ଆମର ପ୍ରାର୍ଥୀ ଡାକିବାର ଆବଶ୍ୟକତା କ'ଣ? ଏଥିରୁ ସ୍ପଷ୍ଟ ଯେ ଏକଜିଟ ପୋଲ ଫର୍ଜି ଓ କିଛି ପ୍ରାର୍ଥୀଙ୍କୁ ଠକିବା ପାଇଁ ବାତାବରଣ ସୃଷ୍ଟି କରିବା ପାଇଁ ଏହି ନକଲି ସର୍ଭେ କରାଯାଇଛି।