ନୂଆଦିଲ୍ଲୀ: ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ରାଜ୍ୟ ବିଧାନସଭା ପାଇଁ ହୋଇଥିବା ମତଦାନର ଏକ୍ଜିଟ୍ ପୋଲ ଫଳାଫଳ ଆଜି ସନ୍ଧ୍ୟାରେ ପ୍ରକାଶ ପାଇଛି। ଆଜି ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଓ ମାର୍କେଟ୍ ରିସର୍ଚ୍ଚ ଏଜେନ୍ସି ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ବା ବୁଥ ବାହୁଡ଼ା ମତ ପ୍ରକାଶ ପାଇଛି। କେଉଁ ରାଜ୍ୟରେ କେଉଁ ଦଳ କ୍ଷମତାକୁ ଆସିବ, ପୂର୍ବରୁ କ୍ଷମତାରେ ଥିବା ଦଳ ପୁଣି ରାଜ୍ୟ ସମ୍ଭାଳିବେ ନା ନୂଆ ଦଳ ରାଜ୍ୟର ଦାୟିତ୍ବ ହାତକୁ ନେବେ ତାହାର ଏକ ସମ୍ଭାବ୍ୟ ଦୃଶ୍ୟପଟ୍ଟ ସାମ୍ନାକୁ ଆସିଛି। ଫଳାଫଳରୁ ମଧ୍ୟପ୍ରଦେଶରେ ଶାସନ ଗାଦି ଅକ୍ତିଆର ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ସଂକେତ ମିଳିଛି। ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୧୬ ଥିବା ବେଳେ ରିପବ୍ଲିକ ଟିଭି ବିଜେପିକୁ ବହୁମତ ମିଳିବ ବୋଲି ଆକଳନ କରିଥିବା ବେଳେ ନ୍ୟୁଜ୍ ୨୪ ମଧ୍ୟ ବିଜେପି ସପକ୍ଷରେ ବିଜୟ ଯିବ ବୋଲି ଅନୁମାନ ଲଗାଇଛି। ତେବେ ଟିଭି ୯, ଜନ୍କି ବାତ୍ ଓ ଦୈନିକ ଭାସ୍କର ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ଉଭୟ ବିଜେପି ଓ କଂଗ୍ରେସ ବହୁମତର ଦାବିଦାର ବୋଲି ଦର୍ଶାଯାଇଛି।
ରିପବ୍ଲିକ୍ ଟିଭି- ମାର୍ଟିିଜ୍
ବିଜେପି: ୧୧୮-୧୩୦
କଂଗ୍ରେସ: ୯୭-୧୦୭
ଅନ୍ୟାନ୍ୟ: ୦-୨
ଟିଭି୯- ପୋଲଷ୍ଟାର୍ଟ
ବିଜେପି: ୧୦୬-୧୧୬
କଂଗ୍ରେସ: ୧୧୧-୧୨୧
ଅନ୍ୟାନ୍ୟ: ୦-୬
ଜନ କୀ ବାତ୍
ବିଜେପି: ୧୦୦-୧୨୩
କଂଗ୍ରେସ: ୧୦୨-୧୨୫
ଅନ୍ୟାନ୍ୟ: ୦-
ଦୈନିକ ଭାସ୍କର
ବିଜେପି: ୯୫-୧୧୫
କଂଗ୍ରେସ: ୧୦୫-୧୨୦
ନ୍ୟୁଜ ୨୪- ଟୁଡେଜ୍ ଚାଣକ୍ୟ
ବିଜେପି: ୧୫୧
କଂଗ୍ରେସ: ୭୪
ନଭେମ୍ବର ୧୭ରେ ମଧ୍ୟପ୍ରଦେଶ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ୭୭.୧୫ ପ୍ରତିଶତ ମତଦାନ ହୋଇଥିଲା, ଯାହା କି ୨୦୧୮ତୁଳନାରେ ପ୍ରାୟ ୧.୫ ପ୍ରତିଶତ ଅଧିକ ରହିଥିଲା। ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧୀନ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ବିରୋଧୀ ଭାରତୀୟ ଜାତୀୟ କଂଗ୍ରେସ (ଆଇଏନ୍ସି) ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ଡିସେମ୍ବର ୩ ତାରିଖ, ରବିବାର ଦିନ ବିଧିବଦ୍ଧ ଭାବେ ଭୋଟ ଗଣତି କରାଯାଇ ଆନୁଷ୍ଠାନିକ ଭାବେ ଫଳାଫଳ ପ୍ରକାଶ ପାଇବ।