ଗୋଆରେ ଝୁଲା ସରକାର ! ସବୁ ଦଳ ‘ମ୍ୟାଜିକ୍ ନମ୍ବର’ ଠାରୁ ଦୂରରେ ରହିପାରନ୍ତି

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ନିର୍ବାଚନ ଶେଷ ହୋଇଛି। ଏବେ କିଏ ସରକାର ଗଢ଼ିବ, କେଉଁଠାରେ କେଉଁ ଦଳ ଆଗରେ ରହିବ ତାହା ଉପରେ ସମଗ୍ର ଦେଶର ନଜର। ତେବେ, ଆଜି ୫ଟି ରାଜ୍ୟର ମତଦାନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା‌ ପକ୍ଷରୁ ହୋଇଥିବା ଏକଜିଟ୍ ପୋଲ ବା ବୁ୍‌ଥ ବାହୁଡ଼ା ମତର ଫଳାଫଳ ସାମନାକୁ ଆସିଛି।

ଜି ନ୍ୟୁଜ ଡିଜାଇନ ବକ୍ସଡର ଏକଜିଟ ପୋଲ ଫଳାଫଳରୁ ଏହି ସୂଚନା ମିଳୁଛି ଯେ ଗୋଆରେ ୪୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବିଜେପିକୁ ୧୩ରୁ ୧୮ଟି ସିଟ ମିଳିବ ବୋଲି ଅନୁମାନ କରାଯାଉଛି। ସେହିପରି କଂଗ୍ରେସକୁ ୧୪ରୁ ୧୯ ସିଟ ମିଳିପାରେ। ଏଥିସହିତ ଏମଜିପିକୁ ୨ରୁ ୫ଟି ଓ ଆମ ଆଦମୀ ପାର୍ଟିକୁ ୧ରୁ ୩ଟି ସିଟ ମିଳିପାରେ। ଅନ୍ୟ ଦଳର ଖାତାକୁ ୧ରୁ ୩ଟି ସିଟ ଯାଇପାରେ।

ସେହିପରି ଇଣ୍ଡିଆ ଟିଭି-ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚ ଅନୁଯାୟୀ ବିଜେପି ୧୦-୧୪, କଂଗ୍ରେସ ୨୦-୨୫, ଟିଏମସି ୩-୫, ଅନ୍ୟ ୧-୪ ପାଇବାକୁ ଥିବାବେଳେ ନ୍ୟୁଜଏକ୍ସ-ପୋଲଷ୍ଟାର୍ଟ ଅନୁଯାୟୀ ବିଜେପି ୧୭-୧୯, କଂଗ୍ରେସ ୧୧-୧୩, ଟିଏମସି ୦, ଅନ୍ୟ ୩-୧୧, ରିପବ୍ଲିକ୍ ଟିଭି ଅନୁଯାୟୀ ବିଜେପି ୧୩-୧୭, କଂଗ୍ରେସ ୧୩-୧୭, ଟିଏମସି ୨-୪, ଅନ୍ୟ ୨-୧୦ ସିଟ୍‌ ପାଇବାର ସମ୍ଭାବନା ଅଛି। ସରକାର ଗଠନ ପାଇଁ ୨୧ ସିଟ୍‌ର ଆବଶ୍ୟକତା ରହିଥିବା ବେଳେ ସମସ୍ତେ ଏହାଠାରୁ ଦୂରରେ ଥିବାରୁ ଗୋଆରେ ବିଧାନସଭାରେ ଝୁଲା ସରକାର ଗଠନ ହେବାର ସମ୍ଭାବନା ଦେଖାଦେଇଛି।

ଭୋଟ ପ୍ରତିଶତ ଦେଖିବାକୁ ଗଲେ ବିଜେପିର ଭୋଟ ପ୍ରତିଶତ ୩୧ ପାଖାପାଖି ରହିବାର ଅନୁମାନ କରାଯାଉଛି। ସେହିପରି କଂଗ୍ରେସକୁ ୩୩ ପ୍ରତିଶତ, ଏମଜିପି ଓ ଆପକୁ ୧୨-୧୨ ପ୍ରତିଶତ ଭୋଟ ମିଳିବା ନେଇ ଅନୁମାନ କରାଯାଉଛି।

୨୦୧୨ରେ ବିଧାନସଭା ନିର୍ବାଚନରେ ବିଜେପିକୁ ୨୧ଟି ସିଟ ମିଳିଥିବା ବେଳେ ୨୦୧୭ରେ ଏହା ହ୍ରାସ ପାଇ ୧୩କୁ ଖସି ଆସିଥିଲା। ସେହିପରି କଂଗ୍ରେସ ୨୦୧୨ ବିଧାନସଭା ନିର୍ବାଚନରେ ୯ଟି ସିଟ ହାତେଇଥିବା ବେଳେ ୨୦୧୭ରେ ୭ଟି ସିଟ ପାଇଥିଲା। ଏଥିସହିତ ୨୦୧୯ରେ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ୨୬ଟି ସିଟ ହାସଲ କରିଥିବା ବେଳେ କଂଗ୍ରେସକୁ ୧୪ଟି ସିଟ ମିଳିଥିଲା।

ସମ୍ବନ୍ଧିତ ଖବର