ନୂଆଦିଲ୍ଲୀ: ପଂଜାବ କଂଗ୍ରେସରେ ଚରମ ଗୋଷ୍ଠୀ କନ୍ଦଳ ଭିତରେ ଆଜି ଚରଣଜିତ୍ ସିଂହ ଚନ୍ନିଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇଛି । ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଆଜି ଚଣ୍ଡିଗଡ଼ସ୍ଥିତ ରାଜଭବନରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ମୋଟ ୧୫ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ପରାମର୍ଶଦାତା ମହମ୍ମଦ ମୁସ୍ତାଫାଙ୍କ ପତ୍ନୀ ରଜିୟା ସୁଲ୍ତାନା ମଧ୍ୟ ସ୍ଥାନ ପାଇଛନ୍ତି। ଚନ୍ନିଙ୍କ ମନ୍ତ୍ରିମଣ୍ଡଳରେ କେତେକ ନୂଆ ମୁହଁ ଦେଖିବାକୁ ମିଳିଥିବା ବେଳେ ବହୁ ପୁରୁଖା ନେତାଙ୍କୁ ବାଦ୍ ଦିଆଯାଇଛି।
ସିଦ୍ଧୁଙ୍କ ପରାମର୍ଶଦାତାଙ୍କ ପତ୍ନୀ ମନ୍ତ୍ରୀ ହେଲେ
କ୍ୟାପ୍ଟେନ୍ଙ୍କ ୪ ସହଯୋଗୀ ବାଦ୍ ପଡ଼ିଲେ
୭ ନୂଆ ମୁହଁ ସାମିଲ
ବାଦ୍ ପଡ଼ିବାରୁ କାନ୍ଦିଲେ ବଲ୍ବୀର
ଆଜି ଶପଥ ଗ୍ରହଣ ଉତ୍ସବରେ ପ୍ରଥମେ ୬ ଥର ବିଧାୟକ ଥିବା ବ୍ରହ୍ମା ମହିନ୍ଦ୍ରା ଶପଥ ନେଇଥିଲେ ଏବଂ ତାଙ୍କ ପରେ ମନ୍ପ୍ରୀତ ସିଂହ ବାଦଲଙ୍କୁ ଶପଥ ଦିଆଯାଇଥିଲା। ମନ୍ପ୍ରୀତ ଅମରିନ୍ଦର ସରକାରରେ ବି ମନ୍ତ୍ରୀ ରହିଥିଲେ। କଂଗ୍ରେସ ବିଧାୟକ ଅରୁଣା ଚୌଧୁରୀ, ସୁଖବିନ୍ଦର ସିଂହ, ସରକାରିଆ ଏବଂ ରାଣା ଗୁର୍ଜିତ୍ ସିଂହ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆଜି ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ୭ ନୂଆ ମୁହଁ ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ୪ ଜଣ ଘନିଷ୍ଠ ସହଯୋଗୀଙ୍କୁ ଏହି ସଂପ୍ରସାରଣରୁ ବାଦ ଦିଆଯାଇଛି। ସେମାନେ ହେଲେ ବଲ୍ବୀର ସିଂହ ସିଦ୍ଧୁ, ସାଧୁ ସିଂହ ଧରମ୍ସୋତ୍, ଗୁରୁପ୍ରୀତ୍ ସିଂହ କାଙ୍ଗଡ଼ ଏବଂ ରାଣା ଗୁରୁମିତ ସୋଢ଼ି। ବଲ୍ବୀର ମନ୍ତ୍ରିମଣ୍ଡଳରରୁ ବାଦ ପଡ଼ିବା ପରେ ଆଜି ଏକ ସାମ୍ବାଦିକ ସମ୍ବିଳନୀରେ କାନ୍ଦି ପକାଇଥିଲେ। ‘ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ମୁଁ ଅତ୍ୟନ୍ତ ସଫଳତାର ସହ କାମ କରିଥିଲେ ବି ମତେ କାହିଁକି ବାଦ୍ ଦିଆଗଲା ’ବୋଲି ସେ କଂଗ୍ରେସ ନେତୃତ୍ବକୁ ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/65d4g65da4g65d4a65g45a6dg.jpg)