ଭୁଟାନ ପରେ ଏବେ ତାଜକିସ୍ତାନର ସୁନାଖଣି ଅଞ୍ଚଳ ଉପରେ ସାମ୍ରାଜ୍ୟ ବିସ୍ତାରବାଦୀ ଚୀନ୍‌ର ଦୃଷ୍ଟି

ନୂଆଦିଲ୍ଲୀ: ଭୁଟାନ୍ ପରେ ସମ୍ପ୍ରତି ସାମ୍ରାଜ୍ୟ ବିସ୍ତାରବାଦୀ ଚୀନ୍‌ର ଦୃଷ୍ଟି ପଡ଼ିଛି ଛୋଟ ତଥା ଗରିବ କେନ୍ଦ୍ରୀୟ ଏସିଆ ରାଷ୍ଟ୍ର ତାଜକିସ୍ତାନ ଉପରେ ଦୃଷ୍ଟି ପକାଇଛି। ଗତ କେତେ ସପ୍ତାହ ହେବ ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ ଥରକୁ ଥର କହି ଆସୁଛି ଯେ, ପାମିର୍‌ ପର୍ବତ ଚୀନ୍‌କୁ ଛାଡ଼ି ଦିଆଯିବା ଉଚିତ।

ଚୀନ୍ ସୂତ୍ରରୁ ଉଦ୍ଧାର କରି ଐତିହାସିକ ଚୋ ୟାଓ ଲୁ’ ଏକ ଆଲେଖ୍ୟରେ କହିଛନ୍ତି ଯେ, ସମଗ୍ର ପାମିର ଅଞ୍ଚଳ ଚୀନ୍‌ର। ତେଣୁ, ତାହାକୁ ଚୀନ୍‌କୁ ଫେରସ୍ତ କରାଯିବା ଉଚିତ। ସେ ଲେଖିଛନ୍ତି, ୧୯୧୧ରେ ନୂତନ ଚୀନ୍ ରାଷ୍ଟ୍ର ଗଠନ ହେବା ପରେ ସରକାରୀ କର୍ତ୍ତୃପକ୍ଷମାନଙ୍କର ପ୍ରଥମ କାମ ଥିଲା ହରାଇଥିବା ଅଞ୍ଚଳ ଫେରାଇ ଆଣିବା। କିଛି ଅଞ୍ଚଳ ଫେରସ୍ତ ଆସିଥିଲା, ଅନ୍ୟ କେତେକ ଏବେ ମଧ୍ୟ ପଡ଼ୋଶୀ ଦେଶମାନଙ୍କ ଦଖଲରେ ରହିଛି। ସେଭଳି ଗୋଟାଏ ପ୍ରାଚୀନ ଅଞ୍ଚଳ ହେଉଛି ପାମିର। ବିଶ୍ବ ଶକ୍ତିମାନଙ୍କ ଚାପ ଯୋଗୁଁ ୧୨୮ ବର୍ଷ ହେବ ତାହା ଚୀନ୍ ବାହାରେ ରହିଛି। ଏ ପ୍ରସଙ୍ଗ ଦୁସାମ୍ବେସ୍ଥିତ ସରକାରଙ୍କୁ ଚିନ୍ତିତ କରିଥିବା ବେଳେ ରୁଷ୍‌ର ଧ୍ୟାନ ମଧ୍ୟ ଆକର୍ଷଣ କରିଛି। ରୁଷ୍ ଚାହେଁ କେନ୍ଦ୍ରୀୟ ଏସୀୟ ଦେଶମାନେ ତା’ର ରଣ କୌଶଳର ପଶ୍ଚାତ୍‌ଭାଗରେ ରୁହନ୍ତୁ।

Image Courtesy of Dainik Bhaskar

୨୦୧୦ରେ ଚୀନ୍ ଓ ତାଜକିସ୍ତାନ ସୀମା ରାଜିନାମା ସ୍ବାକ୍ଷର କରିଥିଲେ। ସେତେବେଳେ ତାଜକିସ୍ତାନ ପାମିର୍‌ର ୧, ୧୫୮ ବର୍ଗ କିଲୋମିଟର୍ ଅଞ୍ଚଳ ଚୀନ୍‌କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା। ତାଜକିସ୍ତାନ-ଆଫଗାନିସ୍ତାନ ସୀମାନ୍ତ ନିକଟ ତାସକୁଗାନ୍‌ରେ ଚୀନ୍ ବିମାନ ବନ୍ଦର ନିର୍ମାଣ କରୁଛି, ତାହା ‌ଏବେ ବଡ଼ ଚିନ୍ତାର କାରଣ ହୋଇଛି।

ଏଥିସହ ଚୀନ୍ ସରକାର ତାଜକିସ୍ତାନ ଖଣିରେ ଗଚ୍ଛିତ ଥିବା ସୁନା ପ୍ରସଙ୍ଗରେ ବି କହୁଛି। ଚୀନ୍ ରିପୋର୍ଟ ଅନୁସାରେ, କେବଳ ତାଜକିସ୍ତାନରେ ୧୪୫ଟି ଖଣିରେ ସୁନା ଗଚ୍ଛିତ ଅଛି। ଉତ୍ତର ତାଜକିସ୍ତାନରେ ଖଣି ଖୋଳି ସୁନା ବାହାର କରିବାକୁ ଚୀନ୍ କମ୍ପାନିକୁ ଅନୁମତି ମଧ୍ୟ ଦେଇଛି। ଏହି ପ୍ରକଳ୍ପକୁ ଆଧାର କରି ଚୀନ୍ ସେ ଅଞ୍ଚଳରେ ରାସ୍ତା ଓ ବିମାନ ବନ୍ଦର ନିର୍ମାଣ କରୁଛି।

ସମ୍ବନ୍ଧିତ ଖବର