ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)ରେ ହ୍ରାସ ଯୋଜନା ରହିଛି। ପ୍ରାୟ ୧୭୫ଟି ଜିନିଷ ଉପରୁ ଟିକସ ୧୦% କମ୍ ହେବା ଆଶା କରାଯାଉଛି। ସେହି ଜିନିଷଗୁଡ଼ିକ ମଧ୍ୟରେ ଟିଭି, ସାମ୍ପୁ, ହାଇବ୍ରିଡ୍ କାର୍, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଆଦି ରହିଛି। ଜିଏସ୍ଟି କମିଲେ ଏହି ଜିନିଷଗୁଡ଼ିକ ଶସ୍ତା ହେବା ଆଶା କରାଯାଉଛି। ଜିଏସ୍ଟି ହ୍ରାସ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଚଳିତ ମାସ ୩-୪ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସ୍ଟି ପରିଷଦର ବୈଠକ ଅନୁଷ୍ଠିତ ହେବ।
ଆମେରିକା ଲଗାଇଥିବା ୫୦% ଶୁଳ୍କର ମୁକାବିଲା କରିବା ଲାଗି କେନ୍ଦ୍ର ସରକାର ଜିଏସ୍ଟିରେ ବଡ଼ ହ୍ରାସ ଯୋଜନା କରିଛନ୍ତି। ଦେହରେ ଲଗାଯାଉଥିବା ପାଉଡର, ଟୁଥ୍ପେଷ୍ଟ ଓ ସାମ୍ପୁକୁ ୧୮ ପ୍ରତିଶତ ସ୍ଲାବ୍ରୁ ବାହାର କରି ୫ ପ୍ରତିଶତରେ ରଖିବା ଯୋଜନା ଅଛି। ଯଦି ତାହା ଘଟିବ ତେବେ ହିନ୍ଦୁସ୍ତାନ ୟୁନିଲିଭର, ଗୋଦରେଜ ଇଣ୍ଡଷ୍ଟ୍ରିଜ୍ ଭଳି କମ୍ପାନି ଉପକୃତ ହେବେ। ସେହିପରି ଏୟାର କଣ୍ଡିସନର (ଏସି) ଓ ଟିଭିକୁ ମଧ୍ୟ ୨୮ ପ୍ରତିଶତରୁ ବାହାର କରି ୧୮ ପ୍ରତିଶତରେ ରଖାଯିବ ବୋଲି ଚର୍ଚ୍ଚା ହେଉଛି। ତାହା ସାମସଙ୍ଗ, ଏଲ୍ଜି ଇଲେକ୍ଟ୍ରୋନିକ୍ସ ଓ ସୋନି ଭଳି ବ୍ରାଣ୍ଡ୍ ପାଇଁ ଲାଭଦାୟକ ହେବ।
ଏହା ବ୍ୟତୀତ, ସାର, କୃଷି ଉପକରଣ ଓ ଟ୍ରାକ୍ଟର ଆଦିକୁ ବର୍ତ୍ତମାନର ୧୨ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବ୍ରୁ ବାହାର କରି ୫ ପ୍ରତିଶତରେ ରଖିବା ଯୋଜନା ରହିଛି। ବୟନ କ୍ଷେତ୍ରକୁ ମଧ୍ୟ ଟିକସ ହ୍ରାସର ସୁବିଧା ଦେବା ଉପରେ ବିଚାର କରାଯାଉଛି, କାରଣ ଆମେରିକା ଶୁଳ୍କ ଦ୍ବାରା ଏହି କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ଛୋଟ ପେଟ୍ରୋଲ ହାଇବ୍ରିଡ୍ କାର୍କୁ ୧୮ ପ୍ରତିଶତ ସ୍ଲାବ୍କୁ ଆଣିବା ଉପରେ ବିଚାର କରାଯାଉଛି। ୩୫୦ ସିସିରୁ କମ୍ ଇଞ୍ଜିନ କ୍ଷମତା ଦୁଇଚକିଆ ଯାନର ଟିକସ କମ୍ କରିବା ମଧ୍ୟ ଯୋଜନାରେ ରହିଛି। କିନ୍ତୁ ବଡ଼ ଓ ବିଳାସପୂର୍ଣ୍ଣ ଗାଡ଼ି ନିର୍ମାତାଙ୍କୁ ନିରାଶ ହେବାକୁ ପଡ଼ିପାରେ। କାରଣ ସେଗୁଡ଼ିକ ଉପରେ ଜିଏସ୍ଟି ବଢ଼ିବା ଆଶଙ୍କା ରହିଛି। ଜୁଆ, କାସିନୋ, ଘୋଡ଼ା ଦୌଡ଼ ଉପରେ ଜିଏସ୍ଟି ବଢ଼ିବ। ବିଦେଶୀ ମୃଦୁପାନୀୟ ଉପରେ ମଧ୍ୟ ଟିକସ ବଢ଼ିବା ଆଶଙ୍କା ରହିଛି।
ତେବେ, ଜିଏସ୍ଟି ପରିଷଦ ବୈଠକ ପୂର୍ବରୁ ୱାଟର ପ୍ୟୁରିଫାୟର ନିର୍ମାତା ସଂଘ ପକ୍ଷରୁ ୱାଟର ପ୍ୟୁରିଫାୟରକୁ ୧୮ ପ୍ରତିଶତ ସ୍ଲାବରୁ ବାହାର କରି ୫ ପ୍ରତିଶତରେ ରଖିବାକୁ କେନ୍ଦ୍ର ରାଜସ୍ବ ସଚିବଙ୍କୁ ଏକ ଚିଠି ଜରିଆରେ ପ୍ରସ୍ତାବ ଦିଆଯାଇଛି। ଏହା ଏସି କିମ୍ବା କାର୍ ଭଳି ଏକ ବିଳାସପୂର୍ଣ୍ଣ ସାମଗ୍ରୀ ନୁହେଁ। ଯେହେତୁ ଏହା ସୁରକ୍ଷିତ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରୁଛି, ତେଣୁ ତାହାକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବିବେଚନା କରିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି।