ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଘଣ୍ଟାକୁ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ରାଜନୀତିରେ ଯଦି କାହାର ଦବଦବା ରହିଛି ତାହେଲେ ସେ ହେଉଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ଦେଖିଲେ ସ୍ପଷ୍ଟ ହୁଏ ।

ପ୍ରଧାନମନ୍ତ୍ରୀ ମୋଦୀ ଯିଏ ଏକାଧିକ ଆତଙ୍କବାଦୀଙ୍କ ଟାର୍ଗେଟରେ । ତେଣୁ ସେ ଯେଉଁଆଡେ ଯାଆନ୍ତି ସେଠି ଜଳ ସ୍ଥଳ ସବୁଠି ମୁତୟନ ହୋଇଯାଏ କଡା ସତର୍କ ପ୍ରହରୀ । ଆଗପଛ ସବୁଆଡେ ଘୁରିବୁଲେ ଅଙ୍ଗରକ୍ଷୀଙ୍କର ଆଖି । ରାସ୍ତାରେ ଲାଗିଥାଏ ଗାଡିର ଲମ୍ବା ଲାଇନ । ତା’ ସାଙ୍ଗକୁ ସ୍ୱତନ୍ତ୍ର ଏସପିଜି ସୁରକ୍ଷା ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ସ୍ପେଶାଲ ପ୍ରୋଟେକ୍ସନ୍ ଗ୍ରୁପ( ଏସପିଜି) ହାତରେ । ହେଲେ ସେ ଯେଉଁ ରାଜ୍ୟକୁ ଯାଆନ୍ତି ସେଠିକାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ, ଡିଜିପି ଓ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ ସୂଚନା ଦିଆଯାଏ । ସିକ୍ୟୁରିଟି ଯୋଜନା ମଧ୍ୟ ଏସଏସପିକୁ ଜଣାଇଦିଆଯାଏ । ଏମରଜେନ୍ସି ପାଇଁ କଣ୍ଟିଜେନ୍ସି ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରାଯାଏ । ହେଲେ ଆପଣ ଜାଣନ୍ତି କି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ କେତେ ଖର୍ଚ୍ଚ ହେଉଛି । ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ଆପଣ ଜାଣନ୍ତି କି ପୂର୍ବାପେକ୍ଷା ମୋଦୀଙ୍କ ସୁରକ୍ଷା ବଜେଟକୁ ବୃଦ୍ଧି କରାଯାଇଛି । ଏବେ ଏହାକୁ ପାଖାପାଖି ୬୦୦ କୋଟି ଯାଏଁ ବଢାଇଦିଆଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବଜେଟ୍:
୨୦୧୪-୧୫ରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବଜେଟ୍ ୨୮୯ କୋଟି ଥିବାବେଳେ
୨୦୧୫-୧୬ରେ ଏହାକୁ ୩୩୦ କୋଟିକୁ ବୃଦ୍ଧି କରାଗଲା ।
୨୦୧୯-୨୦ରେ ଏହି ସୁରକ୍ଷା ବଜେଟ ୫୪୦.୧୬କୁ ବୃଦ୍ଧି କରାଯାଇଥିଲା
୨୦୨୧-୨୨ରେ ଏହାକୁ ବୃଦ୍ଧି କରାଯାଇ ଏବେ ପାଖାପାଖି ୬୦୦ କୋଟିରେ ପହଞ୍ଚିଛି ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଦିନକୁ ପାଖାପାଖି ୨ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଘଣ୍ଟାକୁ ପାଖାପାଖି ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।

କିପରି ହୁଏ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା?
ଚାରି ସ୍ତରୀୟ ଏସପିଜି କମାଣ୍ଡୋ ସୁରକ୍ଷା
ସୁରକ୍ଷାରେ ମୁତୟନ ଥାନ୍ତି ୨୪ କମାଣ୍ଡୋ
କମାଣ୍ଡୋଙ୍କ ହାତରେ ଥାଏ ଏଫଏନଏଫ୍-୨୦୦୦ ଆସଲ୍ଟ ରାଇଫଲ, ସେମି ଅଟୋମେଟିକ୍ ପିସ୍ତଲ ଓ ଅତ୍ୟାଧୁନିକ ହତିଆର
ବୁଲେଟ ପ୍ରୁଫ ଗାଡି ଭିତରେ ଥାନ୍ତି ପ୍ରଧାନମନ୍ତ୍ରୀ । ଦୁଇପଟେ ଥାଏ ଶସ୍ତ୍ର ସଜ୍ଜିତ ଗାଡି । ହାଇ ପ୍ରୋଫାଇଲ ଗାଡି ବ୍ୟତୀତ ମୁତୟନ ଥାଏ ଜ୍ୟାମର ଓ ସ୍ପେଶାଲ ଆମ୍ବୁଲାନ୍ସ ।ଖାଲି ସେତିକି ନୁହେଁ ଚାରିପଟେ ଘେରି ରହିଥାନ୍ତି ପାଖାପାଖି ଶହେ ସଶସ୍ତ୍ର ଯବାନ ।

୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ୧୯୮୮ରେ ଏହି ଏସପିଜି ଆକ୍ଟକୁ ପାରିତ କରାଗଲା । ଏବଂ ଏସପିଜି ଗଠନ କରାଗଲା । ପୁଣି ୧୯୯୧ରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ଏହି ଆଇନରେ ସଂଶୋଧନ କରାଗଲା । ଏହି ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାରକୁ ପଦବୀ ଥିବାବେଳେ ଏବଂ ପଦରୁ ହଟିବାର ୧୦ ବର୍ଷ ଯାଏଁ ଏହି ଏସପିଜି ସୁରକ୍ଷା ଦିଆଯିବ । ହେଲେ ୨୦୦୩ରେ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ଏହାକୁ ପୁନର୍ବାର ସଂଶୋଧନ କରାଗଲା । ଏହାକୁ ୧୦ ବର୍ଷ ବଦଳରେ ୧ ବର୍ଷ ସମୟ ସୀମା ଯାଏଁ ଧାର୍ଯ୍ୟ କରାଗଲା । ୨୦୧୯ରେ ଏହାକୁ ପୁଣିଥରେ ସଂଶୋଧନ କରାଗଲା । କେବଳ ପ୍ରଧାନମନ୍ତ୍ରୀଙ୍କୁ ହିଁ ଏସପିଜି ସୁରକ୍ଷା ମିଳିବବୋଲି ନିୟମ କରାଗଲା ।

 

ସମ୍ବନ୍ଧିତ ଖବର