ଲୋକସଭା ନିର୍ବାଚନ ପାଇଁ ଖର୍ଚ୍ଚ ସୀମା ଜାରି: ଚିକେନ୍ ବିରିୟାନୀ ୧୫୦ ଟଙ୍କା, ଚା’ ୧୫ ଟଙ୍କା, କଫି ୨୦ ଟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଭାରତୀୟ ନିର୍ବାଚନ ଆୟୋଗ ନିର୍ବାଚନୀ ଖର୍ଚ୍ଚର ସୀମା ଧାର୍ଯ୍ୟ କରିଛନ୍ତି। ଆୟୋଗ ପକ୍ଷରୁ ପ୍ରଚାର ଅଭିଯାନ ସମୟରେ ପ୍ରଦାନ କରାଯାଉଥିବା ୨୦୦ରୁ ଅଧିକ ସାମଗ୍ରୀର ସଂଶୋଧିତ ମୂଲ୍ୟ ସୂଚୀ ଜାରି କରାଯାଇଛି। ଏହା ପ୍ରାର୍ଥୀଙ୍କୁ ଖର୍ଚ୍ଚ ସୀମାରେ ରହିବାକୁ ସହାୟତା ପ୍ରଦାନ କରିବ। ପ୍ରତି ନିର୍ବାଚନ ଅଞ୍ଚଳ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ସେମାନେ ପ୍ରାର୍ଥୀ ଏବଂ ସେମାନଙ୍କ ଦଳ ଦ୍ବାରା ପ୍ରଚାର କାର୍ଯ୍ୟର ଭିଡ଼ିଓଗ୍ରାଫି କରିବେ।

୨୦୨୪ ନିର୍ବାଚନ ପାଇଁ ସଂସଦୀୟ କ୍ଷେତ୍ର ଲାଗି ଖର୍ଚ୍ଚ ପରିମାଣ ୯୫ ଲକ୍ଷ ଟଙ୍କା କରାଯାଇଛି। ୨୦୧୯ରେ ଏହି ଖର୍ଚ୍ଚ ପରିମାଣ ୭୦ ଲକ୍ଷ ଥିଲା।
ରିପୋର୍ଟ ଅନୁସାରେ ଚେନ୍ନାଇ ଜିଲ୍ଲା ନିର୍ବାଚନ ଅଧିକାରୀ ଜେ. ରାଧାକୃଷ୍ଣନ୍ ଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ କପେ ଚା’ ଦାମ୍ ୧୫ ଟଙ୍କା ଏବଂ କଫି ଦାମ୍ ୨୦ ଟଙ୍କା କରାଯାଇଛି। ପୂର୍ବା ନିର୍ବାଚନରେ ଚା’ ଏବଂ କଫି ଦାମ୍ ଯଥାକ୍ରମେ ୧୦ ଏବଂ ୧୫ ଟଙ୍କା ଥିଲା। ସେହିପରି ଚିକେନ୍ ବିରିୟାନୀ ପ୍ୟାକେଟ ଦାମ୍ କୁ ୧୮୦ ଟଙ୍କାରୁ କମାଇ ୧୫୦ ଟଙ୍କା କରାଯାଇଛି। ଅପର ପକ୍ଷରେ ମଟନ୍ ବିରିୟାନୀ ଦାମ୍ ପୂର୍ବ ନିର୍ବାଚନ ଭଳି ପ୍ୟାକେଟ୍ ପିଛା ୨୦୦ ଟଙ୍କା ରହିଛି। ଟି-ସର୍ଟ ଏବଂ ଶାଢ଼ୀ ଦାମ୍ ମଧ୍ୟ ବଢ଼ାଯାଇଛି।

ସଂ‌ଶୋଧିତ ତାଲିକାରେ ପ୍ରଚାର ସମୟରେ କର୍ମୀଙ୍କ ଭୋଜନ, ବୈଠକ, ଭଡ଼ାରେ ଅଣାଯାଇଥିବା ଗାଡ଼ି, ଫର୍ଣ୍ଣିଚର, ମଞ୍ଚ ସାଜସଜ୍ଜା ଆଦିର ଖର୍ଚ୍ଚ ମଧ୍ୟ ଧାର୍ଯ୍ୟ କରାଯାଇଛି। ଏଥିରେ ବାଣଫୁଟା, ପୋଷ୍ଟର, ଫୁଲମାଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ଖର୍ଚ୍ଚ ରହିଛି।

ସମ୍ବନ୍ଧିତ ଖବର