୨୦୧୯ର ସାଧାରଣ ଓ ବିଧାନସଭା ନିର୍ବାଚନରେ ବିଜେଡି ଖର୍ଚ୍ଚ କରିଛି ୨୨୮,୫୯,୮୧,୫୮୦ ଟଙ୍କା: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ:୨୦୧୯ର ସାଧାରଣ ଓ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି) ଦ୍ବାରା ସମୁଦାୟ ୨,୨୮,୫୯,୮୧,୫୮୦ ଟଙ୍କା ଖର୍ଚ୍ଚ କରାଯାଇଛି। ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ଚଳିତ ସପ୍ତାହରେ ଆୟୋଗ ଦ୍ବାରା ଏହି ତଥ୍ୟକୁ ସାର୍ବଜନୀନ କରାଯାଇଛି। ବିଜେଡିର ଉପରୋକ୍ତ ଖର୍ଚ୍ଚର ବିବରଣୀ ଦଳ ଦ୍ବାରା ଅଗଷ୍ଟ ୧୦,୨୦୧୯ ଓ ୨୮,ସେପ୍ଟେମ୍ବର ୨୦୧୯(ପାଟକୁରା) ବିଧାନସଭା ନିର୍ବାଚନକୁ ନେଇ ଆୟୋଗରେ ଦାଖଲ କରାଯାଇଥିବା ବ୍ୟୟ ସଂପର୍କୀତ ରିପୋର୍ଟ ଆଧାରରେ ଉପସ୍ଥାପନ କରାଯାଇଛି।
ଆୟୋଗଙ୍କ ଦ୍ବାରା ସଦ୍ୟ ପ୍ରକାଶିତ ରିପୋର୍ଟରେ ୨୦୧୯ ସାଧାରଣ ନିର୍ବାଚନ ଓ ୪ ରାଜ୍ୟ ବିଧାନସଭା ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ବାରା ମୋଟ ୩୦୪୬,୨୪,୬୦,୯୧୩ ଟଙ୍କା ଖର୍ଚ୍ଚ କରାଯାଇଛି। ବିଜେପି ଦ୍ବାରା ସର୍ବାଧିକ ୧୨୬୪,୩୩,୫୭,୭୯୦ ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ କଂଗ୍ରେସ ଦ୍ବାରା ୮୨୦,୮୯,୩୩,୧୫୨ ଟଙ୍କା ଖର୍ଚ୍ଚ କରାଯାଇଛି। ରିପୋର୍ଟରେ ଆଉ ଏକ ଗୁରତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ତାହା ହେଉଛି ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀଙ୍କ ହାରାହାରି ଖର୍ଚ୍ଚର ପରିମାଣ ୫୦,୮୫,୦୧୯ ଟଙ୍କା ୮୨ ପଇସା ରହିଥିବାବେଳେ ଓଡ଼ିଶାର ପ୍ରାର୍ଥୀଙ୍କ କ୍ଷେତ୍ରରେ ନିର୍ବାଚନ ଖର୍ଚ୍ଚ ପରିମାଣ ହାବରାହାରି ୫୩,୪୮,୯୮ ଟଙ୍କା ୧୦ ପଇସା ରହିଥିଲା। ନିର୍ବାଚନ ଆୟୋଗଙ୍କ ରିପୋର୍ଟରେ ୨୦୧୯ ଲୋକସଭା ନିର୍ବାଚନରେ ଓଡ଼ିଶାରେ ପ୍ରତିଦ୍ବନ୍ଦିତା କରିଥିବା ୧୭୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୫ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ ବୋଲି କୁହାଯାଇଛି।

BJD Logo Bigger | Sambad English
ଦେଶର ୧୦ଟି ଲୋକସଭା ସଂସଦୀୟ କ୍ଷେତ୍ର ଯେଉଁଠାରେ ସର୍ବନିମ୍ନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ ସେଥିରେ ଓଡ଼ିଶାର ନବରଙ୍ଗପୁର ସାମିଲ ରହିଥିବାର ରିପୋର୍ଟରେ ଦର୍ଶାଯାଇଛି। ନବରଙ୍ଗପୁରରେ ମାତ୍ର ୪ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ୪୬ଜଣ ସାଧାରଣ ପର୍ଯ୍ୟବେକ୍ଷକ,୨୧ ଜଣ ବ୍ୟୟ ସଂପର୍କିତ ପର୍ଯ୍ୟବେକ୍ଷକ ଓ ୧୨ ଜଣ ପୁଲିସ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଥିଲା।୨୦୧୯ ସାଧାରଣ ନିର୍ବାଚନରେ ୪.୧୬ କୋଟି ଟଙ୍କାର (୧.୬୪ ଲକ୍ଷ ଲିଟର ମଦ) ୩.୮୬ କୋଟି ଟଙ୍କା ନଗଦ ତଥା ୦.୧୩ କୋଟି ଟଙ୍କାର ମାଗଣା ଉପହାର ଜବତ କରାଯାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି।


ରିପୋର୍ଟରେ ୨୦୧୪ର ସାଧାରଣ ନିର୍ବାଚନ ତୁଳନାରେ ୨୦୧୯ ସାଧାରଣ ନିର୍ବାଚନରେ ଭୋଟର ଟର୍ଣ୍ଣଆଉଟ ବିଯୁକ୍ତ ୦.୫ ପ୍ରତିଶତ ବୋଲି ରିପୋର୍ଟରେ ଦର୍ଶାଯାଇଛି।୨୦୧୯ରେ ଭୋଟର ଟର୍ଣ୍ଣ ଆଉଟ ୭୩.୨୯ ରହିଥିବା ବେଳେ ୨୦୧୪ରେ ଭୋଟର ଟର୍ଣ୍ଣଆଉଟ ୭୩.୭୯ ପ୍ରତିଶତ ରହିଥିଲା।୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୨,୩୮,୧୭,୧୬୯ ଭୋଟରୁ ୩,୧୦,୮୨୪ ନୋଟା ଭୋଟ ରହିଥିଲା ଯାହାର ପ୍ରତିଶତ ୧.୩୧ ଥିଲା ବୋଲି ରିପୋର୍ଟରେ କୁହାଯାଇଛି।
ରିପୋର୍ଟ ଅନୁସାରେ ଦେଶର ୧୦ ଟି ସର୍ବାଧିକ ନୋଟା ଭୋଟ ସଂସଦୀୟ କ୍ଷେତ୍ର ତାଲିକାରେ ଓଡ଼ିଶାର ଦୁଇଟି ସଂସଦୀୟ କ୍ଷେତ୍ର ସାମିଲ ଅଛି। ଓଡ଼ିଶାର ନବରଙ୍ଗପୁରରେ ସର୍ବାଧିକ ୪୪,୫୮୨ ଓ କୋରାପୁଟରେ ୩୬,୫୬୧ ନୋଟା ଭୋଟ ରହିଥିଲା ବୋଲି ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁସାରେ ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ନୋଟା ଭୋଟର ସଂଖ୍ୟା ହ୍ରାସ ପାଇଥିବାର ରିପୋର୍ଟରେ କୁହାଯାଇଛି।୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ନୋଟା ଭୋଟ ସଂଖ୍ୟା ଯଥାକ୍ରମେ ୩,୩୨,୭୬୬ ଓ ୩,୧୦୮୨୪ ରହିଥିଲା
୨୦୧୯ ସାଧାରଣ ନିର୍ବାଚନରେ କମ ବ୍ୟବଧାନରେ ନିର୍ବାଚନରେ ବିଜୟ ହାସଲ କରିବାର ଦେଶର ୧୦ଟି ଲୋକସଭା ଆସନାରୁ ଓଡିଶାର କୋରାପୁଟ ଆସନ ସାମିଲ ଥିବାର ରିପୋର୍ଟରେ ଉଲ୍ଲେଖ ଅଛି। କୋରାପୁଟରେ ବିଜୟ ବ୍ୟବଧାନ ୩,୬୧୩ ରହିଥିଲା। କମ ସଂଖ୍ୟକ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ଦେଶର ୧୦ ଟି ସଂସଦୀୟ କ୍ଷେତ୍ରରେ ଓଡ଼ିଶାର ନବରଙ୍ଗପୁର ସାମିଲ ଥିଲା ଯେଉଁଠି ୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିଲେ। ରିପୋର୍ଟ ଅନୁସାରେ ଓଡ଼ିଶାର କନ୍ଧମାଳ ସଂସଦୀୟ କ୍ଷେତ୍ରରେ ସର୍ବାନିମ୍ନ ୩ ଜଣ ପ୍ରାର୍ଥୀଙ୍କର ଅମାନତ ରଦ୍ଦ ହୋଇଥିଲା।୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୩ ଜଣ ବିଜୟୀ ପ୍ରାର୍ଥୀ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି। ଅନ୍ୟପକ୍ଷେ, ରିପୋର୍ଟର ତଥ୍ୟ ଅନୁସାରେ ୨୦୧୪ ସାଧାରଣ ନିର୍ବାଚନରେ ୭ ଜଣ ବିଜୟୀ ପ୍ରାର୍ଥୀ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଥିଲେ।୨୦୧୯ରେ ବିଜେଡି ୨୧ ଟି ଆସନରେ ନିର୍ବାଚନ ଲଡିଥିବା ବେଳେ ଦଳର ୧୨ ପ୍ରାର୍ଥୀ ବିଜୟୀ ହୋଇଥିଲେ ଏବଂ ଦଳକୁ ମୋଟ ୧,୦୧,୭୪,୦୨୧ (୧.୬୭ ପ୍ରତିଶତ) ଭୋଟ ମିଳିଥିଲା ବୋଲି ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ ନିର୍ବାଚନ ଫଳାଫଳ ଘୋଷଣା ପରେ ଓଡ଼ିଶାରୁ ଦୁଇଟି ନିର୍ବାଚନ ସଂପର୍କୀତ ପିଟିସନ ଦାଖଲ କରାଯାଇଥିବାର କୁହାଯାଇଛି।୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୩୭,୭୫୪ ପୋଲିଂ ଷ୍ଟେସନରୁ ୨୨୬ରେ ରିପୁଲିଂ ହୋଇଥିବାର ଉଲ୍ଲେଖ ଅଛି।
ରିପୋର୍ଟରେ ରାଜ୍ୟରେ ୨୦୧୯ରେ ସାଧାରଣ ନିର୍ବାଚନ ସହିତ ୧୪୭ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା ବୋଲି ଉଲ୍ଲେଖ ଅଛି। ବିଧାନସଭା ନିର୍ବାଚନରେ ସମୁଦାୟ ୧୧୨୭ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିବାବେଳେ ୭୭୭ ଜଣ ଅମାନତ ହରାଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି।
ଭାରତୀୟ ନିର୍ବାଚନ ଆୟୋଗଙ୍କ ରିପୋର୍ଟରେ ଓଡ଼ିଶାରେ ନିର୍ବାଚନର ୪ ଦିନ ପୁର୍ବରୁ ପ୍ରାକୃ ତିକ ବିପର୍ଯ୍ୟୟ ସତ୍ବେ ଓଡିଶାର ନିର୍ବାଚନ ପରିଚାଳନାର ସଫଳତାକୁ ପ୍ରଶଂସା କରାଯାଇଛି। ଆହୁରି ମଧ୍ୟ କୁହାଯାଇଛି ଯେ ନିର୍ବାଚନର ୪ ଦିନ ପୂର୍ବରୁ ପ୍ରମୁଖ ବାତ୍ୟା ଫନି ଦ୍ବାରା ଓଡ଼ିଶା ପ୍ରଭାବିତ ହୋଇଥିଲା। ହେଲେ ଏହା ନିର୍ବାଚନ ଅଧିକାରୀଙ୍କ ମନୋବଳକୁ ଦୁର୍ବଳ କରିନଥିଲା। ନିର୍ବାଚନ ଅଧିକାରୀମାନେ ସ୍ବଚ୍ଛ, ଅବାଧ ନିର୍ବାଚନ କରାଇବାକୁ ସୁନିଶ୍ଚିତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିଥିଲେ। ସେମାନଙ୍କ ଦ୍ବାରା ଭୋଟର ସଚେତନତା ତଥା ଆଉଟରିଚ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଭୋଟରମାନଙ୍କୁ ମତଦାନର ଗୁରୁତ୍ବ ଓ ମହତ୍ବ ସଂପର୍କରେ ଅବଗତ କରାଯାଇଥିଲା ବୋଲି ରିପୋର୍ଟରେ ବିଶେଷଭାବେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର