ବଜେଟ୍‌ରେ କୃଷି ପାଇଁ ଖର୍ଚ୍ଚ : ସାରାଦେଶରେ ଷଷ୍ଠ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ : କୃଷକମାନଙ୍କ ପ୍ରସଙ୍ଗରେ ଦେଶର ରାଜନୀତି ସରଗରମ ରହିଛି ଏବଂ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଆସୁଛନ୍ତି। ଏପରି ଅବସ୍ଥାରେ କୃଷି ସଂକ୍ରାନ୍ତୀୟ ଏକ ଭିନ୍ନ ଚିତ୍ର ସାମ୍‌ନାକୁ ଆସିଛି। କୃଷି ପାଇଁ କେ‌ଉଁ ରାଜ୍ୟ ନିଜ ବ‌ଜେଟ୍‌ରେ କେତେ ଅର୍ଥ ଖର୍ଚ୍ଚ କରିଛି, ତାହାର ଏକ ତାଲିକା ପ୍ରକାଶ ପାଇଛି , ଯେଉଁଥିରେ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି।

ସୂଚନା ଅନୁସାରେ, ଓଡିଶା ୨୦୧୫-୧୬ ରୁ ୨୦୨୦-୨୧ ମଧ୍ୟରେ ବଜେଟ୍‌ର ୮.୧ ପ୍ରତିଶତ ଅର୍ଥରାଶି କୃଷି ଉପରେ ଖର୍ଚ୍ଚ କରିଛି। ପିଆର୍‌ଏସ୍‌ ଲେଜିସ୍‌ଲେଟିଭ ରିସର୍ଚ୍ଚ ଦ୍ବାରା ପ୍ରକାଶିତ ‘ଷ୍ଟେଟ୍‌ ଅଫ୍‌ ଷ୍ଟେଟ୍‌ ଫାଇନାନ୍ସ ରିପୋର୍ଟରେ ଏହି ତଥ୍ୟ ରହିଛି। ଏହି ରିପୋର୍ଟରେ ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କର ଗତ ୬ ବର୍ଷର ବଜେଟ ଖର୍ଚ୍ଚର ଆକଳନ କରାଯାଇଛି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ସଡକ, ଗ୍ରାମୀଣ ବିକାଶ ସମେତ ଅନ୍ୟ କ୍ଷେତ୍ରର ବଜେଟ ଖର୍ଚ୍ଚକୁ ରାଜ୍ୟମାନଙ୍କ ସହିତ ତୁଳନା କରାଯାଇଛି। ରିପୋର୍ଟରେ କୃଷି କ୍ଷେତ୍ରରେ ସର୍ବାଧିକ ୧୮.୧ ପ୍ରତିଶତ ବଜେଟ ଛତିଶଗଡ, ୧୨.୨ ପ୍ରତିଶତ ପଞ୍ଜାବ, ୧୧.୩ ପ୍ରତିଶତ ତେଲେଙ୍ଗନା, ୮.୮ ପ୍ରତିଶତ କର୍ଣ୍ଣାଟକ, ୮.୬ ପ୍ରତିଶତ ମହାରାଷ୍ଟ୍ର ଓ ୮.୧ ପ୍ରତିଶତ ଓଡିଶା ଖର୍ଚ୍ଚ କରୁଥିବାର ଉଲ୍ଲେଖ କରାଯାଇଛି। ଅପରପକ୍ଷେ ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଗୋଆ ଓ ଦିଲ୍ଲୀ କୃଷି କ୍ଷେତ୍ରରେ ଖର୍ଚ୍ଚ କରିବା ମାମଲାରେ ତଳଆଡ଼ୁ ଛଅଟି ରାଜ୍ୟରେ ରହିଥିବାର ରିପୋର୍ଟରେ କୁହାଯାଇଛି। ଦିଲ୍ଲୀରେ ସର୍ବନିମ୍ନ ୦.୪ ପ୍ରତିଶତ ଅର୍ଥରାଶି କୃଷି କ୍ଷେତ୍ରରେ ଖର୍ଚ୍ଚ କରାଯାଉଛି। ବଜେଟ ଖର୍ଚ୍ଚରେ କୃଷି, ହର୍ଟିକଲଚର, କୃଷିଋଣ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ତଥା ଜାତୀୟ କୃଷି ବିକାଶ ଭଳି ଯୋଜନାର ଖର୍ଚ୍ଚକୁ ମଧ୍ୟ ସାମିଲ କରାଯାଇଛି। ଏତଦ୍‌ବ୍ୟତୀତ ରିପୋର୍ଟରେ ଗତ ଛଅ ବର୍ଷରେ ଶିକ୍ଷା ପାଇଁ ଓଡିଶା ୧୫.୦ ପ୍ରତିଶତ, ଗ୍ରାମୀଣ ବିକାଶରେ ୯.୨ ପ୍ରତିଶତ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ୫.୩ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବାର ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର