ନିଜ ପୋଷାକ ଖର୍ଚ୍ଚ ଦରମାରୁ ଭରଣା କରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷାକ ପରିଚ୍ଛଦକୁ ନେଇ ଅନେକ ସମୟରେ ବିରୋଧୀ ଦଳ ତାଙ୍କୁ ସମାଲୋଚନା କରିଥାନ୍ତି । ବିଶେଷକରି ୨୦୧୫ରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ଭାରତ ଗସ୍ତ କାଳରେ ମୋଦି ପିନ୍ଧିଥିବା ତଥାକଥିତ ୧୦ ଲକ୍ଷ ଟଙ୍କିଆ ସ୍ୟୁଟ୍‌କୁ ନେଇ ରାହୁଳ ଗାନ୍ଧୀ ଓ ଅରବିନ୍ଦ କେଜରିଓ୍ଵାଲ ତାଙ୍କୁ ଟାର୍ଗେଟ୍‌ କରିଥିଲେ । ଏପରିକି ମୋଦି ସରକାରକୁ ସୁଟ୍‌ ବୁଟ୍‌ର ସରକାର ବୋଲି କହିଥିଲେ ରାହୁଲ । ଦେଶର କୋଟି କୋଟି ଲୋକ ଅନାହାରରେ ରହୁଥିବାବେଳେ ପ୍ରଧାନମନ୍ତ୍ରୀ ବିଳାସମୟ ଜୀବନ ଯାପନ ପାଇଁ ରାଜକୋଷରୁ ଅନେକ ଅର୍ଥ ବ୍ୟୟ ହେଉଥିବା ସେ କହିଥିଲେ ।

କିନ୍ତୁ ସୂଚନା ଅଧିକାର ଆଇନ ବଳରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିିଥିବା ସୂଚନା ଏହି ଧାରଣାକୁ ମିଥ୍ୟା ପ୍ରମାଣିତ କରିଛି । ନିଜର ପୋଷାକ ବାବଦ ଖର୍ଚ୍ଚ ମୋଦି ନିଜ ଦରମାରୁ ଭରଣା କରନ୍ତି ବୋଲି ପିଏମଓ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

ସୂଚନା ଅଧିକାରୀ କର୍ମୀ ରୋହିତ ସବରଓ୍ଵାଲଙ୍କ ପକ୍ଷରୁ ଏହି ଆରଟିଆଇ ଆବେଦନ କରାଯାଇଥିଲା । ନିଜ ଆବେଦନରେ ରୋହିତ ଅଟଳବିହାରୀ ବାଜପେୟୀଙ୍କଠାରୁ ଆରମ୍ଭ କରି ମୋଦିଙ୍କ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀମାନଙ୍କ ପୋଷାକ ବାବଦରେ ସରକାର କେତେ ଖର୍ଚ୍ଚ କରନ୍ତି ତାହାର ବିବରଣୀ ମଗାଯାଇଥିଲା । ଏହି ଆବେଦନର ଉତ୍ତରରେ ପିଏମଓ ପକ୍ଷରୁ କୁହାଯାଇଛି ଯେ ଏସବୁ ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନ ଉପରେ ଆଧାରିତ । ସେ ନେଇ କୌଣସି ସରକାରୀ ରେକର୍ଡ ନାହିଁ । ତେବେ ପ୍ରଧାନମନ୍ତ୍ରୀ ମାନଙ୍କ ପୋଷାକ ଖର୍ଚ୍ଚ ସରକାର ବହନ କରନ୍ତି ନାହିଁ ବୋଲି ପିଏମଓ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । କେବଳ ପୋଷାକ ନୁହେଁ ପ୍ରାୟ ଅଧିକାଂଶ ବ୍ୟକ୍ତିଗତ ଖର୍ଚ୍ଚ ପ୍ରଧାନମନ୍ତ୍ରୀ ମୋଦି ନିଜ ବେତନରୁ ବ୍ୟୟ କରନ୍ତି ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର