କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗାଭତ୍ତା ୪ % ବଢ଼ିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ମହଙ୍ଗାଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଏହି ନିଷ୍ପତ୍ତି
ନିଆଯାଇଛି। ପିଛିଲାଭାବେ ଜାନୁଆରି ପହିଲାରୁ କର୍ମଚାରୀମାନଙ୍କୁ ଏହି ବର୍ଦ୍ଧିତ ମହଙ୍ଗାଭତ୍ତା ମିଳିବ।

ପୂର୍ବରୁ କର୍ମଚାରୀ ଓ ପେନସନଭୋଗୀମାନେ ୩୮ ପ୍ରତିଶତ ମହଙ୍ଗାଭତ୍ତା ପାଉଥିବାବେଳେ ଏବେ ତାହା ୪୨ ପ୍ରତିଶତକୁ ବୃଦ୍ଧି
କରାଯାଇଛି। ଏହା ପୂର୍ବରୁ ଗତବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ଏହାର କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗାଭତ୍ତା ୪ ପ୍ରତିଶତ ବୃଦ୍ଧି କରିଥିଲେ। ଫଳରେ ସେମାନେ ୩୮ ପ୍ରତିଶତ ମହଙ୍ଗାଭତ୍ତା ପାଉଛନ୍ତି। ବର୍ଦ୍ଧିତ ମହଙ୍ଗାଭତ୍ତା ବାବଦରେ ସରକାରଙ୍କୁ ବର୍ଷକୁ ଅତିରିକ୍ତ ୧୨୮୧୫ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ହେବ। ୪୭.୫୮ ଲକ୍ଷ କର୍ମଚାରୀ ଓ ୬୯.୭୬ ଲକ୍ଷ ପେନସନଭୋଗୀ ଏହାଦ୍ବାରା ଉପକୃତ ହେବେ ବୋଲି କ୍ୟାବିନେଟ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର