ବ୍ରିଟେନରୁ ଚୋରି ଦାମୀ କାର୍‌ କରାଚିରୁ ମିଳିଲା, ମାଷ୍ଟରମାଇଣ୍ଡକୁ ଖୋଜାଚାଲିଛି

ଲଣ୍ଡନ/ଇସଲମାବାଦ ୪/୯: ବ୍ରିଟେନରୁ କିଛି ସପ୍ତାହ ପୂର୍ବରୁ ଚୋରି ହୋଇଥିବା ୨.୩୯ କୋଟି ଟଙ୍କା ମୂଲ୍ୟର ଏକ ଦାମୀ ଓ ବିଳାସପୂର୍ଣ୍ଣ କାର କରାଚିରୁ ମିଳିଛି। କରାଚିର ଏକ ପ୍ରମୁଖ ସ୍ଥାନରେ ଜଣେ ବ୍ୟକ୍ତିଙ୍କ ବଙ୍ଗଳାରେ ସୀମା ଶୁଳ୍କ ବିଭାଗର ଅଧିକାରୀମାନେ ଶନିବାର ଏହି କାରକୁ ଠାବ କରିଛନ୍ତି। ଉକ୍ତ ବିଳାସପୂର୍ଣ୍ଣ କାର୍‌ ହେଉଛି ବେଣ୍ଟଲି ମୁଲସାନି। ଚଢ଼ଉ ବେଳେ କାର୍‌ ମିଳିଥିବା ପଡ଼ୋଶୀ ଘରୁ ମଧ୍ୟ ଲାଇସେନ୍ସ ନଥିବା ଅସ୍ତ୍ରଶସ୍ତ୍ର ମିଳିଛି। ସୂଚନା ଅନୁଯାୟୀ, କିଛି ସପ୍ତାହ ପୂର୍ବରୁ ଲଣ୍ଡନରୁ ଏହି କାର ଚୋରି ହୋଇଥିଲା। ଚୋରି ରୢାକେଟରେ ସଂପୃକ୍ତ ବ୍ୟକ୍ତିମାନେ ସେହି କାରକୁ ପାକିସ୍ତାନ ପଠାଇବାକୁ ସକ୍ଷମ ହୋଇଥିଲେ। ପୂର୍ବ ୟୁରୋପୀୟ ଦେଶର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କ ନାମରେ ଜାଲ କାଗଜପତ୍ର ପ୍ରସ୍ତୁତ କରି କାର୍‌କୁ ପାକିସ୍ତାନ ରପ୍ତାନି କରାଯାଇଥିଲା। ତେବେ ସଂପୃକ୍ତ ବରିଷ୍ଠ କୂଟନୀତିଜ୍ଞଙ୍କୁ ସରକାର ବର୍ତ୍ତମାନ ଦେଶକୁ ଫେରାଇ ନେଇଛନ୍ତି। ଚୋରି ହୋଇଥିବା କାର୍‌ ମୂଲ୍ୟ ୩ ଲକ୍ଷ ଆମେରିକୀୟ ଡଲାର ବା ପ୍ରାୟ ୨.୩୯ କୋଟି ଟଙ୍କାରୁ ଅଧିକ। ସୀମା ଶୁଳ୍କ ଅଧିକାରୀମାନେ କାର୍‌ ରଖିଥିବା ବ୍ୟକ୍ତି ଏବଂ ତାଙ୍କୁ କାର୍‌ ବିକ୍ରି କରିଥିବା ବ୍ରୋକରଙ୍କୁ ହେପାଜତକୁ ନେଇଛନ୍ତି। ଘର ମାଲିକ ଆବଶ୍ୟକ କାଗଜପତ୍ର ଦେବାରେ ବିଫଳ ହୋଇଛି। ଯାନର ପଞ୍ଜୀକରଣରେ ମଧ୍ୟ ଜାଲିଆତି ହୋଇଛି । କାର୍‌ରୁ ଚୋରି କରିବା ସହିତ ଚୋରାରେ ଏହାକୁ କରାଚି ପଠାଯାଇଥିବାରୁ ଏ ବାବଦରେ ୩୦୦ ନିୟୁତ ଟଙ୍କାରୁ ଅଧିକ ମୂଲ୍ୟର ଟିକସ ଠକେଇ ହୋଇଛି ବୋଲି ଏତଲାରେ ଦର୍ଶାଯାଇଛି। ତେବେ ରାକେଟ୍‌ର ମୁଖ୍ୟ ଅଭିଯୁକ୍ତ ବା ମାଷ୍ଟରମାଇଣ୍ଡକୁ ଏବେ ବି ଖୋଜାଚାଲିଛି ବୋଲି ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର