ନୂଆଦିଲ୍ଲୀ: ଡିସେମ୍ବର ପହିଲାରୁ ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼ ହୋଇଛି। କ୍ରମାଗତ ୫ ମାସ ଧରି ବାଣିଜ୍ୟିକ  ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି। ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି। ଏଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ। 

Advertisment

ତୈଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟ୍ ଅନୁଯାୟୀ ବାଣିଜ୍ୟିକ ସିଲିଣ୍ଡରର ଦରରେ ୧୬.୫୦ଟଙ୍କା ବୃଦ୍ଧି ପାଇଛି। ଏହା କ୍ରମାଗତ ପଞ୍ଚମ ମାସ ଯେତେବେଳେ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି।

ସର୍ବଶେଷ ମୂଲ୍ୟ ଅନୁଯାୟୀ, ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ଦର ୧୮୧୮.୫୦ ଟଙ୍କା ହୋଇଛି। ଗତ ମାସରେ ଅର୍ଥାତ୍ ନଭେମ୍ବରରେ ଏହାର ଦାମ  ୧୮୦୨ଟଙ୍କା ବାଣିଜ୍ୟିକ ସିଲିଣ୍ଡରର ଓଜନ ୧୯ କିଲୋଗ୍ରାମ । ଏହା ରେଷ୍ଟୁରାଣ୍ଟ ଇତ୍ୟାଦିରେ ବ୍ୟବହୃତ ହୁଏ। ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି ଯୋଗୁ ରେଷ୍ଟୁରାଣ୍ଟଗୁଡିକ ଖାଦ୍ୟର ଦାମ୍ ବୃଦ୍ଧି ହେବାର ଆଶଙ୍କା ରହିଛି। 

କୋଲକାତାରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୯୨୭ ଟଙ୍କା ହୋଇଛି। ନଭେମ୍ବରରେ ଏହାର ଦାମ ୧୯୧୧.୫୦ ଟଙ୍କା ଥିଲା ।ମୁମ୍ବାଇରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୭୫୪.୫୦ ରୁ ୧୭୭୧ ଟଙ୍କାକୁ ବୃଦ୍ଧି ପାଇଛି। ଚେନ୍ନାଇରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୯୮୦.୫୦ ଟଙ୍କା ହୋଇଛି। ପହିଲାଠାରୁ ପାଟନାରେ ୨୦୨୭.୫୦ ଟଙ୍କାରେ ବାଣିଜ୍ୟିକ ସିଲିଣ୍ଡର ଉପଲବ୍ଧ ହେବ।

ଏଥର ମଧ୍ୟ ଘରୋଇ ଏଲପିଜି ସିଲିଣ୍ଡରର ଦରରେ କୌଣସି ହ୍ରାସ କିମ୍ବା ବୃଦ୍ଧି ହୋଇନାହିଁ। ଏହା ପୁରୁଣା ଦରରେ ସ୍ଥିର ରହିଛି । ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ଦର ୮୦୩ ଟଙ୍କା ରହିଛି। ଯେତେବେଳେ କି, ପାଟନାରେ ଏହାର ଦର ୮୯୨.୫୦ ଟଙ୍କା ଅଛି। ସେହିପରି କୋଲକାତାରେ ଏହାର ଦାମ  ୮୨୯ ଟଙ୍କା ଏବଂ ମୁମ୍ବାଇରେ ଏହାର ଦାମ ୮୦୨.୫୦ ଟଙ୍କା ରହିଛି। ସେହିଭଳି ଚେନ୍ନାଇରେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡରର ଦର ୮୧୮.୫୦ ଟଙ୍କା ରହିଛି।

ଅଧିକ ପଢ଼ନ୍ତୁ: ଭାରତକୁ ଖୋଲା ଧମକ ଦେଲେ ଟ୍ରମ୍ପ୍

ପହିଲାଠାରୁ ଆଭିଏସନ ଟର୍ବାଇନ ଇନ୍ଧନ (ଏଟିଏଫ)ର ମୂଲ୍ୟ ମଧ୍ୟ ଅପଡେଟ୍ କରାଯାଇଛି। ଡିସେମ୍ବର ମାସରେ ଏହାର ଦର ୪,୦୦୦ ଟଙ୍କା ରୁ ଅଧିକ ବୃଦ୍ଧି ଘଟିଛି। ଏହି ବୃଦ୍ଧି ପରେ ବିମାନ ଯାତ୍ରା ମହଙ୍ଗା ହୋଇପାରେ ବୋଲି କୁହାଯାଉଛି।

ଦେଶର ସମସ୍ତ ସହର ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରକାଶ ପାଇଛି। ତେବେ ଦର‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଚଳିତ ବର୍ଷ ମାର୍ଚ୍ଚ ୨୦୨୪ରେ ପେଟ୍ରୋଲ ଏବଂ ଡିଜେଲର ଦର ଲିଟର ପିଛା ୨ ଟଙ୍କା ହ୍ରାସ ପାଇଥିଲା। ସେବେଠାରୁ ସମସ୍ତ ସହରରେ ପେଟ୍ରୋଲ ଏବଂ ଡିଜେଲର  ଦର  ସ୍ଥିର ରହିଛି।

ଅଧିକ ପଢ଼ନ୍ତୁ: ଡିଜିପି-ଆଇଜିପି ସମ୍ମିଳନୀର ଆଜି ଅନ୍ତିମ ଦିବସ: ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ