ନୂଆଦିଲ୍ଲୀ: ଏୟାର୍ ଇଣ୍ଡିଆ ଫ୍ଲାଇଟ୍ ୧୭୧ର ମର୍ମନ୍ତୁଦ ଦୁର୍ଘଟଣା ଜାଣିଶୁଣି ମାନବିକ କାର୍ଯ୍ୟାନୁଷ୍ଠାନର ପରିଣାମ ହୋଇଥାଇପାରେ ବୋଲି ଜଣେ ପ୍ରମୁଖ ବିମାନ ଚଳାଚଳ ନିରାପତ୍ତା ବିଶେଷଜ୍ଞ ମତ ଦେଇଛନ୍ତି। ଭାରତର ଅନ୍ୟତମ ଅଗ୍ରଣୀ ବିମାନ ଚଳାଚଳ ବିଶେଷଜ୍ଞ କ୍ୟାପ୍ଟେନ୍ ମୋହନ ରଙ୍ଗନାଥନ୍ ଇନ୍ଧନ କଟ୍ଅଫ୍ ସୁଇଚ୍ ଓ କକ୍ପିଟ୍ ଅଡିଓର କ୍ରମକୁ ଦର୍ଶାଇ କହିଛନ୍ତି ଯେ କକ୍ପିଟ୍ରେ ଜାଣିଶୁଣି ନିଆଯାଇଥିବା ପଦକ୍ଷେପ ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ, ଏପରିକି ଆତ୍ମଘାତୀ ମଧ୍ୟ ହୋଇଥାଇପାରେ। ଡ୍ରିମ୍ଲାଇନର୍ ଇଞ୍ଜିନରେ ଇନ୍ଧନ ବନ୍ଦ କରାଯାଇପାରିବ କି ବୋଲି ପଚରାଯିବାରୁ କ୍ୟାପ୍ଟେନ୍ ରଙ୍ଗନାଥନ କହିଛନ୍ତି, ଏହା ମାନୁଆଲି କରିବାକୁ ହେବ। ଏହା ଆପେ ଆପେ ବା ଶକ୍ତି ବିଫଳତା କାରଣରୁ ହୋଇପାରିବ ନାହିଁ। ଭାରତର ଏୟାର୍କ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍ଭେଷ୍ଟିଗେସନ୍ ବ୍ୟୁରୋ (ଏଏଆଇବି) ଜୁନ୍ ୧୨ରେ ହୋଇଥିବା ଦୁର୍ଘଟଣାର ପ୍ରାଥମିକ ରିପୋର୍ଟ ପ୍ରକାଶ କରିବାର ମାତ୍ର ୨୪ ଘଣ୍ଟା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ୨୦୧୧ରେ ବିମାନଟି ବାଣିଜ୍ୟିକ ସେବାରେ ପ୍ରବେଶ କରିବା ପରେ ବୋଇଂ ୭୮୭ ଡ୍ରିମ୍ଲାଇନର୍ ବିମାନରେ ପ୍ରଥମ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା।
ରଙ୍ଗନାଥନ୍ କହିଛନ୍ତି, ମୁଁ ଶୁଣିଛି ଯେ କ୍ୟାପ୍ଟେନ୍ଙ୍କର କିଛି ରୋଗବେମାରୀ ଇତିହାସ ଥିଲା। କକ୍ପିଟ୍ ଭଏସ୍ ରେକର୍ଡର ଅନୁଯାୟୀ ଯାହା ସାମନାକୁ ଆସିଛି, ସେଥିରେ କିଛି ଅସଙ୍ଗତି ଦେଖିବାକୁ ମିଳିଛି, ଯାହା କି ପ୍ରାୟ ଲୁଚାଇବା ଭଳି। ଉଡ଼ାଣ ଓ ଅବତରଣ ସମୟରେ ସମସ୍ତ ପାଇଲଟ୍ ହେଡ୍ଫୋନ୍ ବ୍ୟବହାର କରିବା ବାଧ୍ୟତାମୂଳକ। କକପିଟ୍ ଭଏସ୍ ରେକର୍ଡର୍ କକ୍ ପିଟ୍ ଏରିଆ ମାଇକ୍ରୋଫୋନ୍ ଆଧାରରେ ସିଏଏମ୍ ୧ (କ୍ୟାପ୍ଟେନ୍) କିମ୍ବା ସିଏଏମ୍ ୨ (କୋ-ପାଇଲଟ୍)ରୁ ଆସିଛି କି ନାହିଁ ତାହା ସ୍ପଷ୍ଟ ଭାବେ ସୂଚାଇବ। କ୍ୟାପ୍ଟେନ୍ ରଙ୍ଗନାଥନ୍ ଦାବି କରିଛନ୍ତି ଯେ ଏୟାର୍ ଇଣ୍ଡିଆର ଅନେକ କାର୍ଯ୍ୟରତ ପାଇଲଟ୍ ତାଙ୍କୁ ସୂଚନା ଦେଇଥିଲେ ଯେ ବିମାନ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କର ଏକ ଜଣାଶୁଣା ଡାକ୍ତରୀ ଇତିହାସ ଅଛି ଏବଂ ଦୁର୍ଘଟଣା ପୂର୍ବରୁ ସେ ଡାକ୍ତରୀ ଛୁଟିରେ ଥିଲେ।
ପାଇଲଟ୍ କାହିଁକି ଡାକ୍ତରୀ ଛୁଟିରେ ଥିଲେ ତାହାର ତଦନ୍ତ ହେବା ଆବଶ୍ୟକ। ପାଇଲଟ୍-ଜନିତ ଦୁର୍ଘଟଣା ବିରଳ, କିନ୍ତୁ ଅଭୂତପୂର୍ବ ନୁହେଁ। କ୍ୟାପ୍ଟେନ୍ ରଙ୍ଗନାଥନ୍ ୨୦୧୫ରେ ଜର୍ମାନ ୱିଙ୍ଗସ୍ ଫ୍ଲାଇଟ୍ ୯୫୨୫ ଦୁର୍ଘଟଣାକୁ ଉଦାହରଣ ଦେଇଥିଲେ, ଯେଉଁଥିରେ ସହ-ପାଇଲଟ୍ ଜାଣିଶୁଣି ବିମାନଟିକୁ ଫ୍ରାନ୍ସ ଆଲପ୍ସକୁ ଉଡ଼ାଇ ଦେଇଥିଲେ, ଯେଉଁଥିରେ ଥିବା ସମସ୍ତ ୧୫୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଇଜିପ୍ଟ ଏୟାର୍ ଫ୍ଲାଇଟ୍ ୯୯୦ (୧୯୯୯), ସିଲ୍କ ଏୟାର୍ ଫ୍ଲାଇଟ୍ ୧୮୫ (୧୯୯୭) ଏବଂ ଚୀନ୍ ଇଷ୍ଟର୍ଣ୍ଣ ଏୟାର୍ଲାଇନ୍ସ ଫ୍ଲାଇଟ୍ ୫୭୩୫ (୨୦୨୨)ରେ ଏଭଳି ସନ୍ଦେହଜନକ ଘଟଣା ଘଟିଛି। ମାଲେସିଆ ଏୟାର୍ଲାଇନ୍ସର ବିମାନ ଏମ୍ଏଚ୍୩୭୦ କ୍ଷେତ୍ରରେ ଅନେକ ବିଶେଷଜ୍ଞଙ୍କ ମତରେ ବିମାନଟି ନିଖୋଜ ହେବା ପୂର୍ବରୁ ପାଇଲଟ୍ ଜାଣିଶୁଣି ଏହାର ଗତିପଥ ବଦଳାଇ ଦେଇଥାଇପାରନ୍ତି। ରଙ୍ଗନାଥନ୍ କହିଛନ୍ତି, ସିଲ୍କ ଏୟାର ଦୁର୍ଘଟଣା ଘଟିବା ସମୟରେ ମୁଁ ସିଙ୍ଗାପୁରରେ ଥିଲି ଏବଂ ମୁଁ ସେହି ପାଇଲଟ୍ଙ୍କ ବିରୋଧରେ ପ୍ରମାଣ ଦେଇଥିଲି। ଇଣ୍ଡୋନେସିଆ କର୍ତ୍ତୃପକ୍ଷ ଏହାକୁ ଯାନ୍ତ୍ରିକ ବିଫଳତା ବୋଲି କହିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏନ୍ଟିଏସ୍ବି ଏହା ପାଇଲଟ୍ଙ୍କ ଆତ୍ମହତ୍ୟା ବୋଲି ପ୍ରମାଣିତ କରିଥିଲା। ଏଭଳି ଘଟଣା ସାରା ବିଶ୍ୱରେ ଘଟୁଛି ବୋଲି ରଙ୍ଗନାଥନ୍ କହିଛନ୍ତି।