ମିଶ୍ର ଟିକା ନେବା ସପକ୍ଷରେ ବିଶେଷଜ୍ଞ କମିଟି

ଭେଲୋର ଖ୍ରୀଷ୍ଟିୟାନ ମେଡିକାଲ କଲେଜକୁ ପରୀକ୍ଷଣ ଅନୁମତି ପାଇଁ ସୁପାରିସ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ନିୟନ୍ତ୍ରଣ ପାଇଁ ଏବେ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଇତିମଧ୍ୟରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସ୍‌ସିଓ)ର ସବ୍‌‌ଜେକ୍ଟ ଏକ୍ସପର୍ଟ କମିଟି(ଏସ୍‌ଇସି) ଲୋକଙ୍କୁ ପୃଥକ ଟିକା ଡୋଜ୍ ଦେବା ସପକ୍ଷରେ ମତ ଦେଇଛି। ଏପରିକି ଭେଲୋରସ୍ଥିତ ଖ୍ରୀଷ୍ଟିୟାନ ମେଡିକାଲ କଲେଜକୁ ଏଥିପାଇଁ ନୈଦାନିକ ପରୀକ୍ଷଣ ଅନୁମତି ଦେବା ଲାଗି ଏସ୍‌ଇସି ସୁପାରିସ କରିଛି। ମୁଖ୍ୟତଃ କୋଭିସିଲ୍‌ଡ ଓ କୋଭାକ୍ସିନ ଟିକାର ମିଳିତ ପରୀକ୍ଷଣ ପାଇଁ ଉକ୍ତ ସୁପାରିସ କରାଯାଇଛି। ଗୋଟିଏ ପଟେ ଆଷ୍ଟ୍ରାଜେନେକା ବା କୋଭିସିଲ୍‌ଡ ଏକ ଏଡିନୋଭାଇରସ୍‌ ଟିକା ହୋଇଥିବାବେଳେ କୋଭାକ୍ସିନ ଟିକା ନିଷ୍କ୍ରିୟ ବା ମୃତ ଭୂତାଣୁକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି। ଏହି ଦୁଇଟି ଟିକା ସଂପୂର୍ଣ୍ଣ ଭାବେ ଭିନ୍ନ। ଏହା ଭିନ୍ନ ଭାବେ ପ୍ରସ୍ତୁତ ହୋଇଥିବାବେଳେ କାର୍ଯ୍ୟ ମଧ୍ୟ ପୃଥକ ଭାବେ କରିଥାଏ। ସେହିଭଳି ଯେଉଁଭଳି ଉପାୟରେ ଏହି ଟିକାଦ୍ବୟ ପ୍ରତିରୋଧକତା ସୃଷ୍ଟି କରିଥାଏ ତାହା ମଧ୍ୟ ଅଲଗା ବୋଲି ଯ‌ଶଲୋକ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର କନସଲଟାଣ୍ଟ୍ ଜେନେରାଲ ମେଡିସିନ ବିଭାଗର ବିଶେଷଜ୍ଞ ଡାକ୍ତର ରୋହନ ସିକ୍ବିରା କହିଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଟିକା ବିଭାଗ ନିର୍ଦ୍ଦେଶକ ଡାକ୍ତର କେଟ୍ ଓ’ବ୍ରେନ୍ କହିଛନ୍ତି ଟିକା ଯେଭଳି କାର୍ଯ୍ୟ କରିଥାଏ ତାହାର ମୌଳିକ ନୀତିକୁ ଭିତ୍ତିକରି ଆମେ ଚିନ୍ତା କରୁଛୁ ଯେ ମିଶ୍ରଣ ବ୍ୟବସ୍ଥା କାର୍ଯ୍ୟ କରିବ।

ଜଣକୁ ଭିନ୍ନ ଭିନ୍ନ ଟିକା ଦିଆଯିବା ନେଇ ଏକାଧିକ ଗବେଷଣା ଚାଲିଛି। ‌ଏଗୁଡ଼ିକ ଏବେ ବିଭିନ୍ନ ପର୍ଯ୍ୟାୟରେ ରହିଛି। ଆମେ ଜାଣୁ ଯେ ଲୋକଙ୍କ ପାଇଁ ଏସବୁ ଟିକା ନିରାପଦ ଏବଂ ସାର୍ସ କୋଭ-୨ ବିରୋଧରେ ଫଳପ୍ରଦ। ତେଣୁ ଗବେଷକମାନେ ଏହାର ପରବର୍ତ୍ତୀ ପଦକ୍ଷେପ ଉପରେ ଗବେଷଣା ଚଳାଇଛନ୍ତି। ସ୍ପେନିସ କମ୍ବିଭାକ୍ସ ପରୀକ୍ଷଣରେ ୬୦୦ରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କୁ ପ୍ରଥମ ଡୋଜ୍ ଆଷ୍ଟ୍ରାଜେନେକା ଟିକା ଦିଆଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଲୋକଙ୍କୁ ଦ୍ବିତୀୟ ଡୋଜ୍‌ରେ ଫାଇଜର ଟିକା ଦିଆଯାଇଥିଲା। ପ୍ରାରମ୍ଭିକ ଫଳାଫଳରୁ ଜଣାଯାଇଛି ଯେ କେବଳ ଆଷ୍ଟ୍ରାଜେନେକା ଟିକା ନେଇଥିବା ବ୍ୟକ୍ତିଙ୍କ ତୁଳନାରେ ସେମାନଙ୍କ ଠାରେ ସାର୍ସ-କୋଭ-୨କୁ ପ୍ରତିହତ କରିବା ପାଇଁ ୩୭ ଗୁଣ ଅଧିକ ଆଣ୍ଟିବଡି ଏବଂ ୪ ଗୁଣ ଅଧିକ ସାର୍ସ-କୋଭ-୨ ପ୍ରତିରୋଧୀ କୋଷ ସୃଷ୍ଟି ହୋଇଛି।

କାନାଡ଼ା, ଫିନଲାଣ୍ଡ, ଫ୍ରାନ୍ସ, ନରୱେ, ସ୍ବିଡେନ, ସ୍ପେନ୍ ଏବଂ ଦକ୍ଷିଣ କୋରିଆରେ ଯଦି ଲୋକମାନେ ପ୍ରଥମ ଡୋଜ୍‌ରେ ଆଷ୍ଟ୍ରାଜେନେକା ଟିକା ନେଇଥାନ୍ତି ତାହେଲେ ସେମାନଙ୍କୁ ଦ୍ବିତୀୟ ଡୋଜ୍‌ରେ ଭିନ୍ନ ଭିନ୍ନ ଟିକା ନେବାକୁ ଅନୁମତି ଦିଆଯାଇଛି। ଆମେରିକାରେ ମଦ୍ୟ ଫାଇଜର ଓ ମଡର୍ଣ୍ଣା ଟିକା ନେବା ଲାଗି ଅନୁମତି ଦିଆଯାଇଛି। ୨୮ ଦିନର ବ୍ୟବଧାନରେ ଏହି ଟିକା ନିଆଯାଇ ପାରିବ ବୋଲି କୁହାଯାଇଛି। ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଅତିକମ୍‌ରେ ୨୦ ଜଣ ଲୋକଙ୍କୁ ଭୁଲରେ ଭିନ୍ନ ଭିନ୍ନ ଡୋଜ୍‌ ଟିକା ଦିଆଯାଇଛି। ପ୍ରଥମ ଡୋଜ୍‌ରେ କୋଭିସିଲଡ ଏବଂ ଦ୍ବିତୀୟ ଡୋଜ୍‌ରେ କୋଭାକ୍ସିନ ଦିଆଯାଇଥିଲା।

ସମ୍ବନ୍ଧିତ ଖବର