କୋଭିଡ୍‌ ଟିକା ସଂପର୍କରେ ବିଶେଷଜ୍ଞଙ୍କ ମତାମତ

ନୂଆଦିଲ୍ଲୀ, ୮।୨: ଦେଶରେ ସମ୍ପ୍ରତି ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖଭାଗ କୋଭିଡ୍‌ ଯୋଦ୍ଧାମାନଙ୍କର କୋଭିଡ୍‌ ଟିକାକରଣ ଜାରି ରହିଥିବା ବେଳେ ଆସନ୍ତା ମାସରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ଥିବା ହିତାଧିକାରୀମାନଙ୍କୁ ଏହି ଟିକା ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିସାରିଛନ୍ତି। ଅପରପକ୍ଷେ, ଟିକା ନେବା ପରେ କାଁ ଭାଁ ପ୍ରତିକୂଳ ପ୍ରତିକ୍ରିୟା ନଜରକୁ ଆସିବା ପରେ କିଛି ହିତାଧିକାରୀ ସ୍ବତଃପ୍ରବୃତ ଭାବେ ଟିକା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଜଣାଯାଇଛି। ତେବେ ସେମାନଙ୍କ ମନରେ ଟିକା ବାବଦରେ ରହିଥିବା ସନ୍ଦେହ ଦୂରୀକରଣ ପାଇଁ ବିଶେଷଜ୍ଞମାନେ ଟିକା ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ପାଠକମାନଙ୍କ ଅବଗତି ନିମନ୍ତେ ସେଗୁଡ଼ିକ ନିମ୍ନରେ ପ୍ରଦତ୍ତ କରାଗଲା।

 ସମସ୍ତେ କୋଭିଡ୍‌ ଟିକା ନେବା ବାଧ୍ୟତାମୂଳକ କି?
କୋଭିଡ୍‌ ଟିକାକରଣ ଏକ ସ୍ବେଚ୍ଛାକୃତ ପ୍ରକ୍ରିୟା। ଏଥିପାଇଁ ବାଧ୍ୟବାଧକତା ନଥିଲେ ବି ଏହି ମହାମାରୀ ଦାଉରୁ ନିଜକୁ ବଞ୍ଚାଇବା ସହ ପରିବାର ଓ ସମାଜରେ ଏହାର ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ପ୍ରତ୍ୟେକ ନାଗରିକ ଏହି ଟିକା ନେବା ଆବଶ୍ୟକ।
 ଜଣେ କୋଭିଡ୍‌ରେ ପୀଡ଼ିତ ଥିଲେ ନେଇପାରିବ କି?
ଜଣେ କୋଭିଡ୍‌ ଆକ୍ରାନ୍ତଙ୍କ ଠାରୁ ଟିକାଦାନ କେନ୍ଦ୍ରରେ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବାର ଅନେକ ଆଶଙ୍କା ରହିଛି। ସୁତରାଂ ଏପରି କ୍ଷେତ୍ରରେ ଟିକାଗ୍ରହଣକୁ ଦୁଇ ସପ୍ତାହ ଗଡ଼େଇଦେଲେ ଭଲ।
 କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିବା ଜଣେ ବ୍ୟକ୍ତି ଏହି ଟିକା ନେବା ଜରୁରୀ କି?
ଜଣଙ୍କ ଠାରେ କୋଭିଡ୍‌ ସଂକ୍ରମଣର ଇତିହାସ ରହିଥିଲେ ହେଁ ସେ ଟିକା ନେବା ଜରୁରୀ। ଏହାଦ୍ବାରା ସେ ନିଜଠାରେ ରୋଗପ୍ରତିରୋଧକତା ଆହୁରି ବଢ଼ାଇପାରିବେ।
 ଭାରତରେ ବ୍ୟବହୃତ ଶସ୍ତା ଟିକା ଅନ୍ୟ ଦେଶରେ ବ୍ୟବହୃତ ଦାମୀ ଟିକା ପରି ଉତ୍ତମ କି?
ବିଭିନ୍ନ ପର୍ଯ୍ୟାୟର ନୈଦାନିକ ପରୀକ୍ଷଣ ପରେ ଟିକାର ଫଳପ୍ରଦତା ନିଶ୍ଚିତ ହୋଇଛି। ସୁତରାଂ ଭାରତୀୟ ଟିକା ଅନ୍ୟ ଟିକା ପରି ଗୁଣାତ୍ମକ ଓ ନିରାପଦ।
 ଜଣେ କର୍କଟ, ମଧୁମେହ ଓ ଉଚ୍ଚ ରକ୍ତଚାପ ପରି ରୋଗରେ ପୀଡ଼ିତ ଥାଇ ସେଥିପାଇଁ ଔଷଧ ଖାଉଥିଲେ ଏହି ଟିକା ନେଇପାରିବେ କି?
ଏଭଳି ରୋଗୀମାନଙ୍କୁ ଅତ୍ୟଧିକ ବିପଦମୁଖୀ ଭାବେ ବିଚାର କରାଯାଏ। ସୁତରାଂ ସେମାନେ ପ୍ରାଥମିକତା ଭିତ୍ତିରେ କୋଭିଡ୍‌ ଟିକା ନେବା ଏକାନ୍ତ ଜରୁରୀ।
 ଟିକା ନେବା ପରେ କ’ଣ ସବୁ ସମ୍ଭାବ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇପାରେ?
ଟିକା ନେଇଥିବା ସ୍ଥାନରେ ସାମାନ୍ୟ ପୀଡ଼ା ଅନୁଭୂତ ହେବା ସହ ଜ୍ବର କିମ୍ବା ଶରୀର ପୀ଼ଡ଼ା ପରି ପ୍ରତିକ୍ରିୟା ଆସିପାରେ। ତେବେ ସେଥିପାଇଁ ବିବ୍ରତ ହେବାର କାରଣ ନାହିଁ।
 ଟିକାର କେତେଟି ମାତ୍ରା ଏବଂ କେତେ ଦିନ ଅନ୍ତରରେ ନେବାକୁ ପଡ଼ିବ?
ଟିକାକରଣ ପ୍ରକ୍ରିୟା ସଂପନ୍ନ କରିବା ଲାଗି ଜଣକୁ ୨୮ ଦିନ ଅନ୍ତରରେ ଦୁଇଟି ମାତ୍ରା ନେବାକୁ ପଡ଼ିବ।
 ସ୍ବାସ୍ଥ୍ୟ ବିଭାଗରେ ପଞ୍ଜୀକରଣ ନ କରି ଜଣେ ଟିକା ନେଇ ପାରିବ କି?
କୋଭିଡ୍‌ ଟିକା ନେବା ପାଇଁ ହିତାଧିଙ୍କର ନାମ ପଞ୍ଜୀକରଣ ନିହାତି ଆବଶ୍ୟକ। ଏହା ପରେ ହିଁ ତାଙ୍କୁ ଟିକାଦାନ କେନ୍ଦ୍ରର ନାମ ଓ ସମୟ ବିଷୟରେ ସୂଚନା ମିଳିପାରିବ।

ସମ୍ବନ୍ଧିତ ଖବର