ସୁରକ୍ଷିତ ହୋଇ ନଥିବାରୁ ଫାଇଜର ଟିକାକୁ ଭାରତୀୟ ବିଶେଷଜ୍ଞ କମିଟି ଖାରଜ କରି ଦେଇଥିଲା

ନୂଆଦିଲ୍ଲୀ : ଆମେରିକୀୟ ଫାର୍ମା କମ୍ପାନି ଫାଇଜର ଭାରତରେ ନିଜ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛି । ତେବେ ମିଳିଥିବା ସୂଚନା ଅନୁସାରେ ନିଜର ଆବେଦନ ପ୍ରତ୍ୟାହାର ଛଡ଼ା ଏହି କମ୍ପାନି ପାଖରେ ଅନ୍ୟ କିଛି ପନ୍ଥା ନ ଥିଲା । କାରଣ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିଜିସିଆଇ)ର ବିଶେଷଜ୍ଞ କମିଟି ଦୁଇଦିନ ତଳେ ଫାଇଜର ଟିକାକୁ ଅନୁମତି ନ ଦେବାକୁ ଡିଜିସିଆଇକୁ ସୁପାରିସ କରିଥିଲା ।

ଫାଇଜର ଟିକା ପୂର୍ବରୁ ବ୍ରିଟେନ ଓ ବାହାରିନରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇସାରିଛି । କିନ୍ତୁ ଭାରତରେ ଅନୁମତି ପାଇଁ କମ୍ପାନି ଆଶାବାନ୍ଧି ବସିଥିଲା । କମ୍ପାନିର ଆବଦନକୁ ବିଶେଷଜ୍ଞ କମିଟି ଗତ ୩ ତାରିଖରେ ବିଚାର କରିଥିଲା ।

କିନ୍ତୁ ବିଶେଷଜ୍ଞ କମିଟି ଫାଇଜର ଟିକାରେ ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉଥିବା ଜାଣିବାକୁ ପାଇଥିଲା । ଆହୁରି ମଧ୍ୟ ଭାରତୀୟ ଲୋକଙ୍କଠାରେ ଟିକାର ନିରାପତ୍ତା ପରୀକ୍ଷା ପାଇଁ କମ୍ପାନି କୌଣସି ପ୍ରସ୍ତାବ ଦେଇ ନଥିଲା । ଏହା ଫଳରେ କମ୍ପାନିର ଆବଦନକୁ ବିଶେଷଜ୍ଞ କମିଟି ଖାରଜ କରିଦେଇଥିଲା ।

ସୂଚନାଯୋଗ୍ୟ, ଭାରତରେ ଏବେ ଦୁଇଟି କରୋନା ଟିକା ଦିଆଯାଉଛି । ଗୋଟିଏ ହେଉଛି ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦିତ କୋଭିସିଲଡ ଓ ଭାରତ ବାୟୋଟେକର କୋଭାକ୍ସିନ ଟିକା । ଭାରତରେ ଜାନୁଆରି ୧୬ରୁ ପ୍ରଥମ ପର୍ଯ୍ୟାୟ କରୋନୀ ଟିକାକରଣ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର