ଶୀତ ଆସୁଛି: ସଂକ୍ରମଣ ବଢ଼ିବ! ଆସନ୍ତା ୩ ମାସ ଅତି ଗୁରୁତ୍ୱପୂର୍ଣ୍ଣ

ଶୀତ ପାଇଁ ପ୍ରସ୍ତୁତ ରହିବାକୁ ବିଶେଷଜ୍ଞଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପାର୍ବଣ ପରେପରେ ଶୀତ ଆସିଯିବ। କିନ୍ତୁ ଶୀତରେ କରୋନା ସଂକ୍ରମଣ ବଢ଼ିବ ବୋଲି ବି‌ଶେଷଜ୍ଞମାନେ ଚେତାବନୀ ଦେଇ ସାରିଲେଣି। ଶୀତ ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। କୋଭିଡ୍‌ ମହାମାରୀ ପାଇଁ ଡ. ଭିକେ ପୌଲ୍‌ଙ୍କ ନେତୃତ୍ବରେ ଗଠିତ ଏକ ବିଶେଷଜ୍ଞ କମିଟି କହିଛନ୍ତି, ଚଳିତ ଶୀତରେ ରାଜଧାନୀ ଦିଲ୍ଲୀ ଦୈନିକ ୧୫ ହଜାର ପଜିଟିଭ୍‌ ମାମଲା ଦେଖିବ। ଶୀତ ଋତୁରେ ଶ୍ବାସକ୍ରୀୟା ଜନିତ ସଂକ୍ରମଣ ବଢ଼ିବ ଏବଂ ଦିଲ୍ଲୀ ବାହାରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବ। କମିଟି ଏକାଧିକ ଲୋକଙ୍କ ସମାଗମ ପାଇଁ ମନା କରିଛନ୍ତି। କେରଳରେ ଓନାମ୍‌ ଏବଂ ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପାଇଁ ସଂକ୍ରମଣ ହଠାତ୍‌ ଅତି ବଢ଼ିଗଲା ବୋଲି ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ ଦିଲ୍ଲୀରେ ଏଭଳି ଭୁଲ୍‌ ହେବା ଉଚିତ୍‌ ନୁହେଁ ବୋଲି ଡକ୍ଟର ପୌଲ୍‌ଙ୍କ ନେତୃତ୍ବରେ ଗଠିତ କମିଟି କହିଛନ୍ତି। କୋଭିଡ୍‌ ମହାମାରୀ ନିର୍ଦ୍ଦେଶାବଳୀରେ ସଂସ୍କାର ଆଣିବାପାଇଁ କମିଟି ପକ୍ଷରୁ କୁହାଯାଇଛି। ଦୈନିକ ୧୫ ହଜାର ପଜିଟିଭ୍‌ ମାମଲା ପାଇଁ ଦିଲ୍ଲୀ ପ୍ରସ୍ତୁତ ହେବା ଉଚିତ୍‌ ବୋଲି ଡ. ପୌଲ୍‌ କହିଛନ୍ତି। ସେହିପରି ଚିକିତ୍ସା ପାଇଁ ଆଇସିୟୁ, ଅଣ-ଆଇସିୟୁ ଏବଂ କୋଭିଡ୍‌ କେୟାର ଆଇସୋଲେସନ୍‌ ବେଡ୍‌ ମଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାପାଇଁ କୁହାଯାଇଛି।

ଆଗାମୀ ୩ ମାସ ଅତି ଗୁରୁତ୍ବପୂର୍ଣ୍ଣ। ତେଣୁ କରୋନା ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ ଆଣିବାପାଇଁ କମିଟି ପକ୍ଷରୁ କୁହାଯାଇଛି। କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଷ୍ଟ୍ରାଟେଜିରେ ସୁଧାର ଆଣିବାକୁ ପଡ଼ିବ। ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ପ୍ରସ୍ତୁତ କରିବାକୁ ପଡ଼ିବ। ସେହିପରି କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ବି ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ହେବ। ଲକ୍ଷଣ ଥିବା ରୋଗୀଙ୍କର ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସି‌ଲେ ଆର୍‌ଟି ପିସିଆର୍‌ ଟେଷ୍ଟ୍‌ ନିଶ୍ଚିତ କରିବା ଉଚିତ୍‌। ଦିଲ୍ଲୀରେ ମହାମାରୀ ଆରମ୍ଭରୁ କେବଳ ୭ରୁ ୧୦ ପ୍ରତିଶତ କଣ୍ଟାକ୍ଟ ଟ୍ରେସିଂ ହୋଇଛି। କିନ୍ତୁ ଆଗକୁ କଣ୍ଟାକ୍ଟ ଟ୍ରେସିଂ ଆହୁରି ଅଧିବ ବଢ଼ାଇବକୁ ପଡ଼ିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର