ଟ୍ରମ୍ପଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ:ଆମେରିକା ସଂସଦରେ ଝଡ଼

କଂଗ୍ରେସକୁ ତଦନ୍ତ ଦାୟିତ୍ୱ ଦେଲା ହ୍ଵାଇଟ ହାଉସ

ଓ୍ଵାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ଯୌନଶୋଷଣ ଅଭିଯୋଗକୁ ହ୍ଵାଇଟ ହାଉସ୍‌ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି। ‘ମି ଟୁ’ ଅଭିଯାନ ମାଧ୍ୟମରେ ଅନ୍‌ଲାଇନରେ ଟ୍ରମ୍ପ୍‌ଙ୍କ ବିରୋଧରେ ଏହି ଅଭିଯୋଗ ନେଇ ଆମେରିକା ରାଜନୀତି ସରଗରମ ରହିଛି। ଗତବର୍ଷ ରାଷ୍ଟ୍ରପତି ନିର୍ବାଚନ ସମୟରେ ଟ୍ରମ୍ପଙ୍କ ବିରୋଧରେ ୫୬ଟି ଯୌନଶୋଷଣ ଅଭିଯୋଗ ଆସିଥିଲା । ଲଗାତାର ଏଭଳି ଅଭିଯୋଗ ଯୋଗୁଁ ଆମେରିକା ସଂସଦରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଟ୍ରମ୍ପଙ୍କ ଇସ୍ତଫା ଦାବିକରି ବିରୋଧୀ ଡେମୋକ୍ରାଟିକ ନେତା ଗୃହ ଅଚଳ କରିଦେଇଥିଲେ।

ଯଦିଓ ରାଷ୍ଟ୍ରପତି ଚୟନର ପୂରା ଅଧିକାର ଦେଶବାସୀଙ୍କର ରହିଛି ତଥାପି ଜଣେ ନିଷ୍କଳଙ୍କ ରାଜନେତା ଶାସନଗାଦିରେ ରହିଲେ ଦେଶରେ ନାରୀ ସୁରକ୍ଷା ଅତୁଟ ରହିବ ବୋଲି ସେମାନେ କହିଛନ୍ତି। ଯଦି ହ୍ଵାଇଟ ହାଉସ୍‌ ସେମାନଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରୁଛି ତେବେ ରାଷ୍ଟ୍ରପତି ଟ୍ରମ୍ପ ନିଜ ସପକ୍ଷରେ ପ୍ରମାଣ ଦିଅନ୍ତୁ ବୋଲି ଡ଼େମୋକ୍ରାଟିକ ସାଂସଦ କ୍ରଷ୍ଟେନ୍‌ ଗିଲିବ୍ରାଣ୍ଡ କହିଛନ୍ତି। ଗୃହରେ ଏଭଳି ନାନା ଅଭିଯୋଗ ଆସିବା ପରେ ହ୍ଵାଇଟ ହାଉସ୍‌ ଏହାର ତଦନ୍ତ ପାଇଁ କଂଗ୍ରେସକୁ ଅନୁରୋଧ କରିଛନ୍ତି। ୨୦୦୬ ମସିହାରେ ମିସ୍‌ ଆମେରିକା ପ୍ରତିଯୋଗିତା ପାଇଁ ଯୁବତୀ ଓ କିଶୋରୀମାନେ ପୋଷାକ ବଦଳାଉଥିବା ବେଳେ ଗ୍ରୀନ୍‌ ରୁମ୍‌କୁ ଆସି ଟ୍ରମ୍ପ ସେମାନଙ୍କ ସହ ଦୁର୍ବ୍ୟବହାର କରିଥିଲେ ବୋଲି ଅଭିନେତ୍ରୀ ସାମନ୍ଥା ହୋଲଭୀ କହିଛନ୍ତି। ତେବେ ଟ୍ରମ୍ପଙ୍କ ବିରୋଧ ଏଭଳି ଅଭିଯୋଗ କିଛି ନୁଆ ନୁହେଁ , ଅନେକ ଥର ଟ୍ରମ୍ପ ଟାଓ୍ଵାର କର୍ମଚାରୀଙ୍କୁ ମଧ୍ୟ ସେ ଟାର୍ଗେଟ୍‌ କରିଥିବା ଜଣେ ପୂର୍ବତନ କର୍ମଚାରୀ କହିଛନ୍ତି ।

ସମ୍ବନ୍ଧିତ ଖବର