ଗୁଆହାଟୀ : ଆସାମର ତିନସୁକିଆ ଜିଲ୍ଲା ସ୍ଥିତ ବାଗଜାନ ତୈଳକୂପରେ ସ୍ଥିତି ଦିନକୁ ଦିନ ଭୟଙ୍କର ଆକାର ଧାରଣ କରୁଛି । ଏପରିିକି ଏହି ନିଆଁକୁ ଲିଭାଇବାକୁ ବିଦେଶରୁ ଆସିଥିବା ବିଶେଷଜ୍ଞ ମଧ୍ୟ ବିଫଳ ହେଲେଣି ।

Advertisment

ବୁଧବାରଦିନ ଏହି ତୈଳକୂପରେ ହଠାତ ଏକ ବିସ୍ଫୋରଣ ହେବାରୁ ସେଠାରେ କାମ କରୁଥିବା ୩ ଜଣ ବିଦେଶୀ ବିଶେଷଜ୍ଞ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ବିସ୍ଫୋରଣ ଭୟଙ୍କର ଥିଲା ବୋଲି ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ କରିଛି ।

ଗତ ମେ ୨୭ରେ ତୈଳକୂପର ପ୍ରେସର କଣ୍ଟ୍ରୋଲ ସିଷ୍ଟମ ବିଫଳ ହେବାରୁ ଏଥିରୁ ତୈଳ ନିର୍ଗତ ହେବା ଆରମ୍ଭ କରିଥିଲା । ଏହି ତୈଳକୂପରେ ହୋଇଥିବା ଛିଦ୍ରକୁ ମରାମତି କରିବାକୁ ଅଏଲ ଇଣ୍ଡିଆ ପକ୍ଷରୁ ସିଂଗାପୁରର ଏକ କମ୍ପାନି ଆଲର୍ଟ ଡିଜାଷ୍ଟର କଣ୍ଟ୍ରୋଲକୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସିଂଗାପୁର କମ୍ପାନିର ଏକ ୬ ଜଣିଆ ବିଶେଷଜ୍ଞ ଟିମ ଗତ ଜୁନ ୮ରୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିଲେ । ଏହି ଦଳରେ ସିଂଗାପୁରର ୩ ଜଣ, ଆମେରିକାର ୨ ଜଣ ଓ କାନାଡାର ଜଣେ ନାଗରିକ ଥିଲେ ।

କିନ୍ତୁ ସ୍ଥିତିକୁ ସମ୍ଭାଳିବାରେ ବିଫଳହେବାରୁ ସେମାନେ ଭାରତ ଛାଡ଼ିବାକୁ ଇଚ୍ଛାପ୍ରକାଶ କରିବା ପରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ପ୍ରାୟ ୧୮ ଘଣ୍ଟା ଧରି ବନ୍ଧକ ରଖିଥିଲେ ।